ଚନ୍ଦ୍ରର ଧରାବତରଣ – Utkal Mail
ଆସନ୍ତା ମାସ କେରଳର ଥିରୁଅନନ୍ତପୁରମ୍ରେ ବିଶ୍ବ ବିଜ୍ଞାନ ଉତ୍ସବ ଆରମ୍ଭ ହେବା ପୂର୍ବରୁ ସେଠାରେ ‘ମ୍ୟୁଜିଅମ୍ ଅଫ୍ ମୁନ୍’ ନାମକ ଏକଦିବସୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଏକ ବିଶାଳ ଚନ୍ଦ୍ର ପ୍ରତିକୃତି ସାହାଯ୍ୟରେ ଚନ୍ଦ୍ରର ପ୍ରକୃତ ଆକାର ଓ ରୂପକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। ବ୍ରିଟିସ୍ ଚିତ୍ରଶିଳ୍ପୀ ଲ୍ୟୁକ୍ ଜେରାମ୍ଙ୍କ ପ୍ରାୟ ଦୁଇ ଦଶନ୍ଧି ଅଧ୍ୟବସାୟର ଫଳ ହେଉଛି ଏହି ବିଶାଳ ଚନ୍ଦ୍ର। ତିନି ମହଲା ଉଚ୍ଚ ଓ ୨୩ ଫୁଟ୍ ବ୍ୟାସ ବିଶିଷ୍ଟ ଚନ୍ଦ୍ର ସ୍ଥାପତ୍ୟଟି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ମହାକାଶ ଯାନ ଲୁନାର ରିକନ୍ନାଇସାନ୍ସ ଦ୍ବାରା ଉତ୍ତୋଳିତ ବାସ୍ତବ ଚିତ୍ରରେ ସଜ୍ଜିତ। ଏହି ପ୍ରଦର୍ଶନୀରେ ଚନ୍ଦ୍ରପୃଷ୍ଠର ସୂକ୍ଷ୍ମ ବିବରଣୀ ପରିସ୍ଫୁଟିତ ହୋଇଛି ଯାହା ଦର୍ଶକଙ୍କୁ ନିକଟରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସୁଯୋଗ ଦେଇଥିଲା। ଆମେ ଭୂପୃଷ୍ଠରୁ ଚନ୍ଦ୍ରର କେବଳ ଗୋଟିଏ ପାର୍ଶ୍ବକୁ ନିରୀକ୍ଷଣ କରିପାରୁଥିବା ବେଳେ ଉକ୍ତ ପ୍ରତିକୃତିର ଲକ୍ଷ୍ୟ ହେଉଛି ଚନ୍ଦ୍ରର ଅଦୃଶ୍ୟ ପାର୍ଶ୍ବର ଉନ୍ମୋଚନ କରିବା। ଚନ୍ଦ୍ରକୁ ଭୂଇଁର ଏତେ ପାଖରୁ ଦେଖିବା ପାଇଁ ଗତ ମଙ୍ଗଳବାର ରାତିରେ ଲକ୍ଷାଧିକ ଦର୍ଶକ ରୁଣ୍ଡ ହୋଇଥିଲେ। ଆସନ୍ତା ଜାନୁଆରି ୧୫ରୁ ଆରମ୍ଭ ହେବାକୁ ଥିବା ବିଶ୍ବ ବିଜ୍ଞାନ ଉତ୍ସବରେ ଏହି ପ୍ରଦର୍ଶନୀ ପୁଣି ଆରମ୍ଭ ହୋଇ ଏକ ମାସ ଧରି ଜାରି ରହିବ।



