ଦେଶ ବିଦେଶ

୯ ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ ଗର୍ଭାଶୟ କର୍କଟ ଟିକା

ସେ ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତଙ୍କଠାରେ ଆଜିକାଲି କର୍କଟ ରୋଗ ଏକ ସାଧାରଣ ରୋଗ ଭାବେ ଦେଖାଦେଉଛି । କିନ୍ତୁ ମହିଳାମାନଙ୍କର ଗର୍ଭାଶୟରେ କର୍କଟ ରୋଗ ହେବା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହି ପରିସ୍ଥିତିରେ ସରକାର ଏବେ କର୍କଟର ମୁକାବିଲା ପାଇଁ ଏକ ବଡ ଯୋଜନା କରୁଛନ୍ତି । ଏହି ଟିକା ସାରା ଦେଶର ୯ ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ । ଏହି ଟିକାକରଣ ଅଭିଯାନ ତିନି ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲିବ ଯାହା ଝିଅମାନଙ୍କର ଗର୍ଭାଶୟରେ କର୍କଟ ହେବାର ସମ୍ଭାବନାକୁ କମ୍ କରିବ ।  ଚଳିତ ବର୍ଷ ଏପ୍ରିଲ ପରେ ଏହି ଅଭିଯାନ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ଯାହା ସୂଚନା ରହିଛି ବର୍ତ୍ତମାନ ସରକାର ଏହି ଟିକା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।  ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବାକୁ ସରକାରଙ୍କୁ ଅତିକମରେ ୭ କୋଟି ଟିକା ଆବଶ୍ୟକ ପଡିପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ୯ ରୁ ୧୪ ବର୍ଷ ବୟସର ଝିଅମାନେ ଏହି ଟିକା ପାଆନ୍ତି, ତେବେ ପରବର୍ତ୍ତି ସମୟରେ ଯୌବନ ଅବସ୍ଥାରେ ସେମାନଙ୍କର ଗର୍ଭାଶୟ କର୍କଟ ହେବାର ସମ୍ଭାବନା କମ୍ ରହିବ । କ୍ୟାନ୍ସର ମାମଲା ମଧ୍ୟରେ ଗର୍ଭାଶୟ କର୍କଟ ସବୁଠାରୁ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି କର୍କଟ ଟିକାକୁ ପ୍ରସ୍ତୁତ କରିଛି । କରୋନା ସମୟରେ ଅକ୍ସଫୋର୍ଡ ୟୁନିଭରସିଟି ସହଯୋଗରେ ସେରମ୍ ପ୍ରଭାବଶାଳୀ କୋଭିଶିଲ୍ଡ ଟୀକା ପ୍ରସ୍ତୁତ କରିଥିଲା । ଏହି ଟୀକା ବହୁତ ପୂର୍ବରୁ ପ୍ରସ୍ତୁତି ହେବାର ଥିଲା ହେଲେ କୌଣସି କାରଣ ବଶତଃ ହୋଇପାରି ନଥିଲା । କିନ୍ତୁ ବର୍ତ୍ତମାନ ବହୁ ପରିମାଣରେ ଟିକା ପ୍ରସ୍ତୁତ କରାଯାଉଛି । ଟିକାର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ରଖାଯାଇଥିବା ବେଳେ ଏବେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଛି । ବିଶେଷଜ୍ଞମାନଙ୍କ ମତ ଅନୁସାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗର୍ଭାଶୟ କର୍କଟ ଟିକାକୁ ଏକ ବଡ ପଦକ୍ଷେପ ଭାବରେ ବିବେଚନା କରାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button