ସଂଜୟ ସିଂଙ୍କୁ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଲେ ଦିଲ୍ଲୀ କୋର୍ଟ – Utkal Mail
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଦିଲ୍ଲୀର ରୌଜ୍ ଆଭେନ୍ୟୁ କୋର୍ଟ ଗୁରୁବାର ଇଡି ହେପାଜତକୁ ବା ରିମାଣ୍ଡକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ମଦ ନୀତି ମାମଲାରେ ଶୁଣାଣି ସମୟରେ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ମଧ୍ୟ ୫ ଦିନିଆ ରିମାଣ୍ଡ ମଞ୍ଜୁର ହୋଇଥିଲା। ଏଭଳି ସ୍ଥିତିରେ ସିଂହ ଅକ୍ଟୋବର ୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଏଜେନ୍ସିର ହେପାଜତରେ ରହିବେ ଏବଂ ଏହି ସମୟରେ ତାଙ୍କୁ ପଚରାଉଚରା କରାଯିବ।
ସଂଜୟଙ୍କୁ ବୁଧବାର ତାଙ୍କ ନର୍ଥ ଆଭେନ୍ୟୁ ସ୍ଥିତ ବାସଭବନରେ ଅନେକ ଘଣ୍ଟାର ଚଢ଼ାଉ ଓ ପଚରାଉଚରା ପରେ ଇଡି ଗିରଫ କରିଥିଲା। କିଛି ମଦ ଡିଲରଙ୍କୁ ଫାଇଦା ଦେବା ପାଇଁ ଲାଞ୍ଚ ନିଆଯାଇଥିବା ଇଡି ଅଭିଯୋଗ କରିଛି।
ଏହି ମାମଲାର ଶୁଣାଣି ସମୟରେ ସଞ୍ଜୟ ସିଂହ କୋର୍ଟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହାରିବାର ସମ୍ଭାବନା ରହିଛି । ସେଥିପାଇଁ ଏହି ଲୋକମାନେ ଏପରି କରୁଛନ୍ତି। ସିଂଙ୍କ ପକ୍ଷରୁ ଓକିଲ ମୋହିତ ମାଥୁର କହିଛନ୍ତି ଯେ କେଉଁ ଆଧାରରେ ତାଙ୍କୁ ଗିରଫ କରାଯାଇଛି ତାହା କୁହାଯିବା ଉଚିତ। ଆମକୁ ରିମାଣ୍ଡ ପେପର ଦିଆଯିବା ଦରକାର। ତେବେ କିଛି ସମୟ ପରେ ଇଡି ତାଙ୍କୁ ରିମାଣ୍ଡ ପେପର ପ୍ରଦାନ କରିଥିଲା ।