ଦେଶ ବିଦେଶ

ପିଆଇଏଲ୍‌ ଏବେ ‘ପଇସା’, ‘ପବ୍ଲିସିଟି’ ଓ ‘ପର୍ସନାଲ’ ଇଣ୍ଟ୍‌ରେଷ୍ଟ ମାମଲା: ଜଷ୍ଟିସ୍ ବିଭି ନାଗରତ୍ନା

ନୂଆଦିଲ୍ଲୀ: ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନବିଚାରପତି ହେବାକୁ ଯାଉଥିବା ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ  ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ବ୍ୟାପକ ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଅନ୍ୟାୟର ସମାଧାନ ପାଇଁ ମୂଳତଃ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ ପରିକଳ୍ପନା କରାଯାଇଥିବା ପିଆଇଏଲ୍‌ଗୁଡ଼ିକୁ ଏବେ କିଛି ଲୋକ ଅପବ୍ୟବହାର କରୁଛନ୍ତି।

ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଦ୍ୱାରା ପ୍ରକାଶିତ ‘ଲ, ଜଷ୍ଟିସ୍, ସୋସାଇଟି: ସିଲେକ୍ଟେଡ୍‌ ୱାର୍କସ ଅଫ୍ ପ୍ରଫେସର ଉପେନ୍ଦ୍ର ବକ୍ସି’ର ଉନ୍ମୋଚନ ଅବସରରେ ଜଷ୍ଟିସ୍ ନାଗରତ୍ନା ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଫେସର ବକ୍ସି ଯଥାର୍ଥରେ ଦର୍ଶାଇଛନ୍ତି ଯେ ଜନସ୍ୱାର୍ଥ ମାମଲା ରାଜ୍ୟକୁ ଉତ୍ତରଦାୟୀ କରିବା ପାଇଁ ଏକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିଛି, ନ୍ୟାୟପାଳିକାକୁ ମୌଳିକ ଅଧିକାରର ରକ୍ଷକ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଶକ୍ତି ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିଛି। କିନ୍ତୁ ମୁଁ ଭାବୁଛି ଅନ୍ୟାୟ ଦୂର କରିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ପିଆଇଏଲ୍‌ର ଅପବ୍ୟବହାର ବିଷୟରେ ଏବେ ଚିନ୍ତା କରିବା ଓ ଲେଖିବାର ସମୟ ଆସିଛି।

ସେ ଆହୁରି ଉଲ୍ଲେଖ କରିଛନ୍ତି, ମୁଁ କହିବି, ପିଆଇଏଲ୍ ଦୁର୍ବଳଙ୍କ ହାତରେ ଏକ ଅସ୍ତ୍ର ଥିଲା, କିନ୍ତୁ ବର୍ତ୍ତମାନ ଏହା ନିଜର ଗୁଣବତ୍ତା ହରାଉଛି। ଅତି ସରଳ ଢଙ୍ଗରେ କହିଲେ ପିଆଇଏଲ୍ ଏବେ ‘ପଇସା ଇଣ୍ଟରେଷ୍ଟ ଲିଟିଗେସନ୍’, ‘ପବ୍ଲିସିଟି ଇଣ୍ଟରେଷ୍ଟ ଲିଟିଗେସନ୍’ ବା ‘ପ୍ରାଇଭେଟ୍ ଇଣ୍ଟରେଷ୍ଟ ଲିଟିଗେସନ୍’ରେ ପରିଣତ ହୋଇଛି। ଆଜିକାଲି ପ୍ରକୃତ ଜନସ୍ୱାର୍ଥ ମାମଲା କେଉଁଠି? ପ୍ରକୃତ ଜନସ୍ୱାର୍ଥ ମାମଲା ବା ସାମାଜିକ କାର୍ଯ୍ୟାନୁଷ୍ଠାନ ମାମଲାକୁ ପୁନରୁଦ୍ଧାର କରିବା ସମୟର ଆବଶ୍ୟକତା ବୋଲି ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button