୨୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ମୋହନ ସରକାର କ୍ଷମତାକୁ ଆସିଥିଲେ ତାହାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ୭ମାସର ରାଜ୍ୟ ସରକାର ଏକ ଜନବିରୋଧୀ ସରକାର ଭାବେ ପ୍ରମାଣିତ ହୋଇଛି। ଏହି ସମୟ ଭିତରେ ୮ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଚଳିତମାସ ୨୦ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜନଅସନ୍ତୋଷ ସମାବେଶ ଆୟୋଜିତ ହେବ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି।
ଆଜି କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ରଞ୍ଜିତ ପାତ୍ର କହିଲେ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଉପରେ ଅତ୍ୟାଚାର, ଖଣି ଲୁଟ୍, ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩ଶହ ୟୁନିଟ୍ ମାଗଣା ବିଜୁଳି, ମହଙ୍ଗା ମାଡ଼, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଉତ୍କଟ ବେକାରୀ, କଳା ତାଲିକାଭୁକ୍ତ କମ୍ପାନିକୁ ପ୍ରୋତ୍ସାହନ ବନ୍ଦ କରିବା ଦିଗରେ ଏହି ବିକ୍ଷୋଭ ସମାବେଶ କରାଯିବ। ଏଥିରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅଖିଳ ଭାରତ ଯୁବ କଂଗ୍ରେସର ସଂପାଦକ ଅଜିତ ସିଂହ କହିଲେ, ମୋହନ ସରକାର ଏକ ଜନବିରୋଧୀ ସରକାର। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ବିଫଳ। ବିଜେପି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ଓଡ଼ିଶାବାସୀଙ୍କୁ ମିଛ କଥା କହି ବିଜେପି ଓଡ଼ିଶାରେ କ୍ଷମତାସୀନ ହୋଇଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମନୋଜ ବିଶ୍ବାଳ, ସୁଦୀପ ସାମଲ, ଅଜୟ ସାହୁ, ମହମ୍ମଦ ପରଭେଜ ଓ ସଙ୍କୁନା କହଁର ଉପସ୍ଥିତ ଥିଲେ।



