ଭାରତ ବିପକ୍ଷରେ ବାଂଲାଦେଶ ଟି-୨୦ ଦଳ ଘୋଷିତ, ଶାକିବ ଆଉଟ୍,ମେହଦି ଇନ

ଢାକା: ବାଂଲାଦେଶ କ୍ରିକେଟ୍ ଦଳ ସଂପ୍ରତି ଭାରତ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଦ୍ଵିତୀୟ ମ୍ୟାଚ୍ କାନପୁରରେ ଖେଳା ଯାଉଛି। ଏହା ପରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ର ଟି-୨୦ ସିରିଜ୍ ଖେଳାଯିବ। ଏଥିପାଇଁ ଆଜି ବାଂଲାଦେଶ ଦଳ ଘୋଷଣା କରାଯାଇଛି। ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵାଧୀନ ୧୫ ଜଣିଆ ଦଳ ଘୋଷଣା କରାଯାଇଛି।
ଦଳରୁ ଅଲରାଉଣ୍ଡର ଶାକିବ ଅଲ ହସନଙ୍କୁ ବାଦ୍ ଦିଆଯାଇଛି। ସେ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ଘୋଷଣ କରିଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିନି।
ବାଂଲାଦେଶ ବୋର୍ଡ ଭାରତୀୟ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଏମିତି ତିନି ଜଣ ଖେଳାଳିଙ୍କୁ ସାମିଲ କରିଛି, ଯେଉଁମାନେ ଗତ ଏକ ବର୍ଷରୁ ଟି-୨୦ ଦଳରୁ ବାହାରେ ଥିଲେ। ଏହି ତିନି ଖେଳାଳି ହେଉଛନ୍ତି ମେହଦି ହସନ ମିରାଜ, ପରଭେଜ ହୁସେନ ଇମୋନ ଓ ରକିବୁଲ ହସନ। ମେହଦି ଶେଷ ଥର ବାଂଲାଦେଶ ପାଇଁ ୨୦୨୩ ଜୁଲାଇରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଟି-୨୦ ବିଶ୍ଵକପ୍ ଖେଳିଥିବା ସୌମ୍ୟ ସରକାରଙ୍କୁ ଦଳରୁ ବାଦ୍ ଦିଆଯାଇଛି।
ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ଵାଲିୟରରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ।
ବାଂଲାଦେଶ ଦଳ
ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତଞ୍ଜିଦ ହସନ ତମିମ, ପରଭେଜ ହୁସେନ ଇମୋନ, ତୌହିଦ ହୃଦୟ, ମେହମୁଦୁଲ୍ଲା, ଲିଟନ ଦାସ, ଜାକିର ଅଲ୍ଲୀ, ମେହଦି ହସନ ମିରାଜ, ରିଶାଦ ହୁସେନ, ମୁସ୍ତାଫିଜୁର ରେହମାନ, ତସ୍କିନ ଅହମ୍ମଦ, ଶୋରିଫୁଲ ଇସ୍ଲାମ, ତଞ୍ଜିମ ହସନ ଶାକିବ ଓ ରକିବୁଲ ହସନ।