ରାଜନୀତି

ଆଗଧାଡ଼ିର ନେତା, ଏବେ ଅଲୋଡ଼ା: ଅଡ଼ୁଆରେ ପକାଇଛି ବ୍ୟକ୍ତିଗତ ବିବାଦ, ଦଳବଦଳ ନିଷ୍ପତ୍ତି! – Utkal Mail


ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ନିର୍ବାଚିତ ହୋଇ ରାଜ୍ୟ ରାଜନୀତିରେ ଜଣେ ସଫଳ ରାଜନେତା ଭାବେ ଏକଦା ପରିଚୟ ପାଉଥିଲେ ପୂର୍ବମନ୍ତ୍ରୀ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ସଂସଦୀୟ ବ୍ୟାପାର ସମେତ ଶିଳ୍ପ, ଖଣି, ଇସ୍ପାତ ଓ ଆଇନ୍‌, ସୂଚନା, ପ୍ରଯୁକ୍ତି ବିଦ୍ୟା ସହ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଶ୍ରୀ ମହାନ୍ତି ନିଜର ରାଜନୈତିକ ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ବାଲେଶ୍ବର ବସ୍ତା ନିର୍ବାଚନ ମଣ୍ଡଳୀରୁ ଶ୍ରୀ ମହାନ୍ତି ଏକକାଳୀନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ ଜନତା ଦଳ, ପରେ ବି‌ଜୁ ଜନତା ଦଳରେ ୧୯୯୦ରୁ ୨୦୧୩ ମସିହା ମଧ୍ୟରେ ସମଗ୍ର ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ ଦେଖିବାକୁ ମିଳିଥିଲା।

ହେଲେ ବିବାଦ ଘେରକୁ ଟାଣି ହେବା ପରେ ୨୦୧୪ ମସିହାରୁ ସେ ଏକପ୍ରକାର ଅଲୋଡ଼ା ହୋଇ ରହିଛନ୍ତି। ବସ୍ତା ନିର୍ବାଚନମଣ୍ଡଳୀରୁ ବିଜେଡି ରଘୁନାଥଙ୍କ ବଦଳରେ ନିତ୍ୟାନନ୍ଦ ସାହୁଙ୍କୁ ଟିକେଟ ଦେଇଥିବା ବେଳେ ୨୦୧୯ ନିର୍ବାଚନରେ ସେ ଦଳ ପାଇଁ ପୁଣି ଖୋଜା ପଡ଼ିବେ ବୋଲି ଆଶା ବାନ୍ଧିଥିଲେ। ହେଲେ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ରଘୁନାଥ। ତେବେ ବିଜେପି ସେଠାରୁ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ବିପୁଳ ବ୍ୟବଧାନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି‌ର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଏଯାବତ ସକ୍ରିୟ ଭୂମିକା ତୁଲାଇ ଆସୁଥିବା ରଘୁନାଥଙ୍କ ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେହିପରି କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନମଣ୍ଡଳୀରୁ ତିନି ଥର ବିଧାୟକ ଜିତିଥିବା ପଦ୍ମଲୋଚନ ପଣ୍ଡା ଗୋଟିଏ ସମୟରେ ଉତ୍ତରଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଥିଲେ। କଂଗ୍ରେସ ଟିକେଟ୍‌ରେ ଶ୍ରୀ ପଣ୍ଡା ୧୯୮୫, ୧୯୯୫ ଓ ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ରେ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦ୍ବୀଙ୍କୁ କଡ଼ା ଟକ୍କର ଦେଇଥିଲେ। ହେଲେ ୨୦୧୮ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ହାତ ଛାଡ଼ି ଶ୍ରୀ ପଣ୍ଡା ବିଜେପିରେ ସାମିଲ ହୋଇଥିଲେ। ବିଜେପି ମଧ୍ୟ ତାଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିଥିଲା। ତେବେ ଶ୍ରୀ ପଣ୍ଡା ନିର୍ବାଚନ ହାରି ଯାଇଥିଲେ। ଜଳେଶ୍ବର ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ (୧୯୯୫ ଓ ୨୦୦୦) ଜିତିଥିବା ଜିଲ୍ଲା କଂଗ୍ରେସର ଆଉ ଜଣେ ଟାଣୁଆ ନେତା ଥିଲେ ଜୟନାରାୟଣ ମହାନ୍ତି। ୪୦ ବର୍ଷ କାଳ କଂଗ୍ରେସରେ ରହି ସେ ଦଳର ବିଭିନ୍ନ ଦାୟିତ୍ବ ତୁଲାଇବା ସହ ଜିଲ୍ଲା ମୁଖିଆ ଦାୟିତ୍ବ ବି ପାଇଥିଲେ। ମାତ୍ର ୨୦୧୮ ମସିହା ଜୁନ୍‌ ୨୯ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀଙ୍କଠାରୁ ବିପୁଳ ଭୋଟ୍‌ରେ ସେ ମଧ୍ୟ ପରାଜୟ ବରଣ କଲେ। ତା ପରଠୁ ଜଳେଶ୍ବର ରାଜନୀତିରେ ଶ୍ରୀ ମହାନ୍ତିଙ୍କୁ ଆଉ ସକ୍ରିୟ ଥିବାର ଦେଖାଯାଉନାହିଁ। ସମାନ ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଦେବୀପ୍ରସନ୍ନ ଚଣ୍ଡ ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍‌ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୯ ମାର୍ଚ୍ଚ ୨୧ ତାରିଖରେ ଶ୍ରୀ ଚଣ୍ଡ ଦଳରୁ ଇସ୍ତଫା ଦେଇଥିବା ବେଳେ ସକ୍ରିୟ ରାଜନୀତିରୁ ଏକ ପ୍ରକାର ଦୂରେଇ ରହିଛନ୍ତି। ତେବେ ଜିଲ୍ଲାର ଏହି ବରିଷ୍ଠ ନେତାମାନଙ୍କର ବ୍ୟକ୍ତିଗତ ବିବାଦ, ସକ୍ରିୟ ରାଜନୀତିରେ ନିଷ୍କ୍ରିୟତା ଏବଂ ଦଳ ବଦଳ ନିଷ୍ପତ୍ତି କାରଣରୁ ସେମାନଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିବା ସାଧାରଣରେ ଆଲୋଚନା ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button