ମହାକାଶରେ ଭାରତ ଏବେ ମହାଶକ୍ତି: ଚୀନ୍ ଓ ରୁଷ୍ଙ୍କୁ ପଛରେ ପକାଇ ଦେଇଛି – Utkal Mail
ବେଙ୍ଗାଲୁରୁ: ମହକାଶ ଗବେଷଣା ଓ ମହକାଶ ବ୍ୟବସାୟ କ୍ଷେତ୍ରରେ ଭାରତ ଏବେ ଏକ ମହାଶକ୍ତି ରୂପେ ଉଭା ହୋଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ଏବଂ ଆଜି ସୂର୍ଯ୍ୟ ମିସନ ଆଦିତ୍ୟ ଏଲ୍-୧ର ସଫଳ ଉତ୍କ୍ଷେପଣ ସହିତ ଭାରତୀୟ ବୈଜ୍ଞାନିକମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସମଗ୍ର ବିଶ୍ବରେ ଏବେ ମହାକାଶ ବିଜ୍ଞାନୀମାନେ ଭାରତର ଗବେଷଣା ଉପଲବ୍ଧିକୁ ପ୍ରଶଂସା କରିବା ସହ ଏହା ଭବିଷ୍ୟତର ଯୋଜନା ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ଚନ୍ଦ୍ରଯାନ ୩ର ରୋଭର୍ ଯେଉଁଭଳି ପ୍ରସ୍ତୁତ ହୋଇଛି ଏବଂ ଚନ୍ଦ୍ରର ବାତାବରଣ ନେଇ ଏହା ତଥ୍ୟ ପ୍ରଦାନରେ ଯେଭଳି ସଫଳ ହୋଇଛି ତାହା ନାସା ଓ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକଙ୍କୁ ମଧ୍ୟ ଚକିତ କରିଛି। ଏତେ କମ୍ ଖର୍ଚ୍ଚରେ ଏଭଳି ସଫଳତା ଭାରତୀୟ ମହାକାଶ ପ୍ରଯୁକ୍ତିର ସ୍ବକୀୟତା, ଯାହା ଅନ୍ୟ ବଡ଼ବଡ଼ ଦେଶର ବୈଜ୍ଞାନିକଙ୍କ ଲାଗି ଚାଲେଞ୍ଜ ସୃଷ୍ଟି କରିଛି।
ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ଚୀନ୍ ଓ ରୁଷ୍କୁ ମଧ୍ୟ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ଭାରତର ବିଭିନ୍ନ ମହାକାଶ ଅଭିଯାନ ପାଇଁ ଏବେ ଘରୋଇ କମ୍ପାନିଙ୍କ ନିମନ୍ତେ ଦ୍ବାର ଉନ୍ମୁକ୍ତ କରିଦିଆଯାଇଛି। ବୈଶ୍ବିକ ଲଞ୍ଚ୍ ବ୍ୟବସାୟରେ ଭାରତର ଭାଗିଦାରିତା ୫ ଗୁଣ ବୃଦ୍ଧି ପାଇଛି। ଭାରତର ମହାକାଶ ଯୋଜନାରେ ଏବେ ବିଦେଶୀ ପୁଂଜି ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ ହୋଇଥିବାରୁ ଭାରତ ଏବେ ଚୀନ୍ ଓ ରୁଷ୍କୁ ପଛରେ ପକାଇ ଦେଇଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଇସ୍ରୋ ବର୍ତ୍ତମାନ ବ୍ୟାବସାୟିକ ଭିତ୍ତିରେ ମହାକାଶ ଯାନ ପ୍ରେରଣ କରି ବେଶ୍ ସଫଳତା ହାସଲ କରିଛି।