ସ୍ୱାସ୍ଥ୍ୟ

ଖବରକାଗଜରେ ଖାଉଛନ୍ତି କି ? ହୋଇପାରେ ମାରାତ୍ମକ ରୋଗ

ଖବରକାଗଜରେ ପରଷା ଯାଉଥିବା ଖାଦ୍ୟ ଖାଉଛନ୍ତି କି ? ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସ୍ଥାନରେ ଖବରକାଗଜରେ ଦିଆ ଯାଉଥିବା ଖାଦ୍ୟ ଖାଇଥାଉ। ଏହା ଦ୍ଵାରା ଅନେକ ମାରାତ୍ମକ ରୋଗ ହୋଇପାରେ । ଖବରକାଗଜରେ ରହୁଥିବା ବିଷାକ୍ତ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ। ଖବରକାଗଜ ଛପା ହେଉଥିବା କାଳିରେ ସୀସା ସହ ଅନ୍ୟାନ୍ୟ ଧାତବ ପଦାର୍ଥ ରହିଛି । ତେଣୁ ଖାଦ୍ୟ ସାମଗ୍ରୀକୁ ଖବରକାଗଜରେ ଗୁଡାଇ ରଖୁବା, ପରଷିବା କିମ୍ବା ସଂରକ୍ଷିତ ନ ରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଦେଇ ଯାଇଥାଏ। ଏଥିଯୋଗୁଁ ସେଥିରେ ଜୀବାଣୁ, ଭୂତାଣୁ ଓ ଅନ୍ୟ ହାନିକାରକ ଉପାଦାନ ରହିଥାଏ। ଏହାଖାଦ୍ୟ ସାମଗ୍ରୀରେ ମିଶିବାର ଅନେକ ଆଶଙ୍କା ରହିଛି। ଏଥିସହ ଖବରକାଗଜରେ ରହିଥିବା ଧାତବ ପଦାର୍ଥ ଖାଦ୍ୟରେ ମିଶିଲେ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ଏଫ୍ଏସ୍ଏସ୍ଏଆଇ ସିଇଓ ଜି. କମଳାବର୍ଣନ ରାଓ ଚେତାଇ ପରାମର୍ଶ ଦେଇଛନ୍ତି ।

ଏନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞ ଜୟନ୍ତ ପଣ୍ଡା କହିଛନ୍ତି, ଖାଦ୍ୟ ଠିକ୍ ଭାବେ ରଖା ନ ଗଲେ ତାହା ଅନ୍ୟ ଜିନିଷ ସଂସ୍ପର୍ଶରେ ଆସିଥାଏ ଫଳରେ ଏହାକୁ ଖାଇବା ଦ୍ଵାରା ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥାନ୍ତି। ଏହାଦ୍ଵାରା ପେଟ କାଟିଥାଏ, ବାନ୍ତି, ଜ୍ଵର ହୋଇଥାଏ ଏବଂ ବେଳେ ବେଳେ ବିଷକ୍ରିୟା ହୋଇ ଅବସ୍ଥା ଗୁରୁତର ହୋଇ ପଡ଼ିଥାଏ। ତେଣୁ କେବଳ ରାନ୍ଧିବା ଗୁରୁତ୍ଵପୂର୍ଣ୍ଣ ନୁହେଁ, ରାନ୍ଧି ସାରିବା ପରେ ଠିକ୍ ଭାବେ ଖାଦ୍ୟ ପଦାର୍ଥକୁ ରଖୁବା ସହ ତାହାକୁ ପରଷିବା ବି ସମାନ ଭାବେ ଗୁରୁତ୍ଵପୂର୍ଣ୍ଣ ଅଟେ ବୋଲି ସେ କହିଛନ୍ତି । ଖବରକାଗଜରେ ଖାଦ୍ୟ ଖାଇଲେ ତାହା କେବେବି ସ୍ଵାସ୍ଥ୍ୟକର ନୁହେଁ । ଆମେ ଖାଉଥିବା ଖାଦ୍ୟ ଏଥିରେ ବ୍ୟବହୃତ କେମିକାଲ୍ ସଂସ୍ପର୍ଶରେ ଆସିଲେ ଜଣ୍ଡିସ୍, କିଡନୀ ଫେଲ୍, ଲିଭର, ଫୁସ୍‌ଫୁସ୍‌କୁ ଅକାମୀ କରିଦିଏ। ତେଣୁ ଭୋକ କମିଯିବା, ପେଟ ଫମ୍ପାଇବା, ପରିସ୍ରା ହଳଦିଆ ହେବା, ପରିସ୍ରା କମିଯିବା ପରି ସମସ୍ୟା ଦେଖା ଦେଇଥାଏ। ଯେଉଁମାନେ ବର୍ଷ ବର୍ଷ ଧରି ଖବରକାଗଜରେ ଖାଦ୍ୟ ଖାଉଛନ୍ତି, ତାହା ମାରାତ୍ମକ ସମସ୍ୟା ସୃଷ୍ଟି କରିପାରେ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button