ଓଡିଶା

ଆଜିଠୁ ସିଲ୍କ ସିଟି ଫେଷ୍ଟ୍: ପଲ୍ଲୀଶ୍ରୀ, ପୁସ୍ତକ, ହର୍ବାଲ୍ ଓ କୃଷି ମେଳା ସାଙ୍ଗକୁ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ

ବ୍ରହ୍ମପୁର: ଶୁକ୍ରବାରରୁ ପାଞ୍ଚ ଦିନ କାଳ ଝୁମିବ ରେଶମ ସହର। ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ମେଗା ଷ୍ଟାର୍ ନାଇଟ୍, ଆଉ ଏକା ସାଙ୍ଗରେ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ହର୍ବାଲ୍ ମେଳା ଓ କୃଷି ମେଳାର ଭରପୁର ମଜା ଉଠାଇ ପାରିବେ ସହରବାସୀ। ଗୋଟିଏ ମଞ୍ଚ ଉପରୁ ସିଲ୍କ ସିଟି ଫେଷ୍ଟ ସାଙ୍ଗକୁ ହକି ଫେଷ୍ଟର ଧମାଲ୍ ଦେଖିବାକୁ ପାଇବେ ଦେଖଣାହାରୀ। ମୁଖ୍ୟତଃ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପଡ଼ିଆ ସମେତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ, କେ.ସି.ହାଇସ୍କୁଲ ପଡ଼ିଆରେ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ ରେଶମ ସହର ମହୋତ୍ସବ। ଗୋପାଳପୁର ବେଳାଭୂମି ମହୋତ୍ସବ ଜରିଆରେ ୨୦୨୨କୁ ବିଦାୟ ଦେଇଥିବା ଗଞ୍ଜାମ ଜିଲ୍ଲାବାସୀ ସିଲ୍କ ସିଟି ଫେଷ୍ଟ ଜରିଆରେ ୨୦୨୩ ଆଗମନକୁ ସ୍ବାଗତ ଜଣାଇବେ। ଖାଦ୍ୟ ଷ୍ଟଲ୍, ଭଳିକି ଭଳି ଘରକରଣା ଓ ସାଜସଜ୍ଜା ସାମଗ୍ରୀ କିଣାବିକା ସାଙ୍ଗକୁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ପାଇବେ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାବାସିନ୍ଦା। ଏକାସାଙ୍ଗରେ ହକି ମହୋତ୍ସବରେ ମଧ୍ୟ ସାମିଲ ହୋଇ କ୍ରୀଡ଼ା କ୍ଷେତ୍ରରେ ଆମ ରାଜ୍ୟର ଭବ୍ୟ ବିଶ୍ବକପ୍ ଆୟୋଜନକୁ ସ୍ବାଗତ ଜଣାଇବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ହେବ ସିଲ୍କ ସିଟି ଫେଷ୍ଟ ମଞ୍ଚ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଚାଲିବ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ କୃଷି ମେଳା ଓ କେ.ସି.ହାଇସ୍କୁଲ ପଡ଼ିଆରେ ହର୍ବାଲ୍ ମେଳା ଅନୁଷ୍ଠିତ ହେବ। ମହୋତ୍ସବରେ ଲୋକ ନୃତ୍ୟ ସାଙ୍ଗକୁ ସ୍ଥାନୀୟ କଳାକାର ଓ ସାଂସ୍କୃତିକ ସଙ୍ଗଠନର ନୃତ୍ୟ ସଙ୍ଗୀତ ପରିବେଷିତ ହେବ। ମେଗା ଷ୍ଟାର୍ ନାଇଟରେ ଶୁକ୍ରବାର ବଲିଉଡ୍ ସିଙ୍ଗର୍ ବେନ୍ନୀ ଦୟାଲ୍ ଓ ଲିସା ମିଶ୍ର, ଶନିବାର ବଲିଉଡ୍ ଗାୟିକା ନୀତି ମୋହନ, ରବିବାର ଗାୟକ ପିତା ପୁତ୍ର ଯୋଡ଼ି ଉଦିତ ନାରାୟଣ ଓ ଆଦିତ୍ୟ ନାରାୟଣ, ସୋମବାର ବଲିଉଡ୍ ଷ୍ଟାର୍ ଦିଶା ପଟାନୀ, ମଙ୍ଗଳବାର ଶେଷ ସନ୍ଧ୍ୟାରେ ଷ୍ଟାର୍ ସିଙ୍ଗର୍ ଶାନ୍ ନିଜ ନୃତ୍ୟ ଗୀତ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବେ। ଗୋଟିଏ ମଞ୍ଚରେ ଦର୍ଶକ ଦେଖିବାକୁ ପାଇବେ ସ୍ଥାନୀୟରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ କଳାକାରଙ୍କ ଝଲକ।

ଶୁକ୍ରବାର ପ୍ରଥମ ସନ୍ଧ୍ୟାରେ ରେଶମ ସହରବାସୀ ପାଇପାରିବେ ମନୋରଞ୍ଜନର ଜବରଦସ୍ତ ତଡକା। ସ୍ଥାନୀୟ କଳାକାର ମାନଙ୍କ ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଭା ମଞ୍ଚ ଉପରୁ ଦର୍ଶକଙ୍କୁ ନଚାଇବେ। ଦିଗପହଣ୍ଡିର ଢୁମ୍ପା, ରାୟଗଡ଼ାର ଢେମସା ଓ କୋଲକାତାର କଥକ ନୃତ୍ୟ ଭଳି ଲୋକ ନୃତ୍ୟ ସାଙ୍ଗକୁ ବ୍ରହ୍ମପୁର ଓ ଛତ୍ରପୁରର ବିଭିନ୍ନ ନୃତ୍ୟ ଦଳ ଦ୍ବାରା ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ବଲିଉଡ୍ ଡ୍ୟାନ୍ସ ମହୋତ୍ସବ ସନ୍ଧ୍ୟାକୁ ଭରପୁର ରଙ୍ଗିନ କରିବ। ମହୋତ୍ସବ ସ୍ଥଳରେ ପଲ୍ଲୀଶ୍ରୀ ମେଳାର ୧୫୦ଟି ଷ୍ଟଲ୍ ଖୋଲିବ। ଏଥିରେ ୫୦ଟି ଲେଖାଏଁ ଷ୍ଟଲରେ ପୁସ୍ତକ ମେଳା ଓ ମିଶନ୍ ଶକ୍ତି ତଥା ଏସ୍ଏଚଜିମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମିଳିବ। ୩୦ଟି ଷ୍ଟଲରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ୨୦ଟି ଲାଇଭ୍ ଡେମୋ ଷ୍ଟଲରେ ବେଲଗୁଣ୍ଠାର ପିତଳ ମାଛ, ବ୍ରହ୍ମପୁରର ପାଟ, ଆଚାର, ପାମ୍ପଡ ଆଦି ପ୍ରଦର୍ଶିତ ହେବ। ଏହି ସ୍ଥାନରେ ବୁଣାକାରମାନଙ୍କ ଦ୍ୱାରା ପାଟ ବସ୍ତ୍ର ବୁଣି ଦର୍ଶକଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖାଯିବା ଯୋଜନା ରହିଛି।

ମହୋତ୍ସବ ପ୍ରତ୍ୟେକ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ସେଥିପାଇଁ ଆୟୋଜନକୁ ସବୁ ଦିଗରୁ ସୁନିଶ୍ଚିତ କରାଯାଇଛି। ଟ୍ରାଫିକ୍ ଓ ଜନଗହଳି ନିୟନ୍ତ୍ରଣ ତଥା ଆଇନଶୃଙ୍ଖଳା ସ୍ଥିତି ମୁକାବିଲା ପାଇଁ ଜଣେ ଏଏସପି, ୬ ଡିଏସପି, ୧୨ ଇନିସପେକ୍ଟର, ୫୦ ଏସ୍ଆଇ ଏବଂ ଏଏସ୍ଆଇ, ୭୦ କନଷ୍ଟେବଳ, ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ପଡୋଶୀ ଜିଲ୍ଲାରୁ ଅତିରିକ୍ତ ପୋଲିସ ବାହିନୀ ମଧ୍ୟ ଅଣାଯାଉଛି। ବ୍ରହ୍ମପୁର ଏସପି ବା. ସର୍ବଣା ବିବେକ ଏମ୍ ମହୋତ୍ସବ ପଡ଼ିଆରେ ଏହି ପ୍ରସ୍ତୁତି ନେଇ ବ୍ରିଫିଙ୍ଗ୍ କରିବା ସହ ଫୋର୍ସକୁ ନେଇ ପ୍ରାକ୍ ପ୍ରସ୍ତୁତି କରାଇଛନ୍ତି। ପୋଲିସ ପକ୍ଷରୁ ସବୁ ଦିଗକୁ ନଜରରେ ରଖି ବ୍ୟାପକ ଓ ଶତପ୍ରତିଶତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା କହିଛନ୍ତି ଏସପି।

ମହୋତ୍ସବ ସ୍ଥଳ ଜାତୀୟ ରାଜପଥ ୫୯ ପାର୍ଶ୍ୱରେ ଥିବାରୁ ରାଜପଥରେ ଯାତାୟାତ ସ୍ବାଭାବିକ ରଖିବା ଓ ଟ୍ରାଫିକ ଜନିତ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଚାରି ଚକିଆ ଓ ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ଖୋଡାସିଙ୍ଗି କାଳୀ ପୂଜା ପଡ଼ିଆ, ୟୁସିପି ଛାତ୍ରୀ ନିବାସ, ଆଇଟିଆଇ କ୍ୟାମ୍ପସ୍ ଓ ଏଲ୍ଆଇସି ଅଫିସ୍ ନିକଟ ପଡ଼ିଆ ଏବଂ ବିଦ୍ୟୁତପୁରୀ କଲୋନୀରେ ବ୍ୟବସ୍ଥା କରାଯାଇଛି। ପୋଲିସ ଏ ନେଇ ରୁଟ୍ ଚାର୍ଟ ମଧ୍ୟ ଜାରି କରିଛି। ଗୁରୁବାର ସନ୍ଧ୍ୟାରେ ଫଗିଙ୍ଗ୍ ମେସିନ୍ ଦ୍ବାରା ମଶାମରା ଧୂଆଁ ଛଡ଼ା ଯାଇଛି। ସେଲଫି ପଏଣ୍ଟ୍, ଆକର୍ଷଣୀୟ ସ୍ବାଗତ ତୋରଣ, ସୁସଜ୍ଜିତ ମଞ୍ଚ, ମାଇଁ ହାର୍ଟ ବିଟସ୍ ଫର୍ ହକି କଳାକୃତି, ବ୍ୟାରିକେଡ୍ ଆଦି ସବୁ ପ୍ରସ୍ତୁତ। ମହୋତ୍ସବ ପୂର୍ବ ସନ୍ଧ୍ୟାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀ ଭାସନ୍, ବିଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ପ୍ରମୁଖ ସିଲ୍କ ସିଟି ଫେଷ୍ଟ ଆୟୋଜନ ସ୍ଥଳରେ ପ୍ରସ୍ତୁତି ତଦାରଖ କରିଛନ୍ତି। ଆଗନ୍ତୁକ, ସହରବାସୀ ଯେପରି ନିଶ୍ଚିତ ଭାବେ ମହୋତ୍ସବର ମଜା ଉଠାଇ ପାରିବେ ସେଥିଲାଗି ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button