ଓଡିଶା

୨ୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ – Utkal Mail



ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଉଦ୍‌ଘାଟନ କରି ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ । ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ ବୈଷ୍ୟମତାକୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ । ଆମର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରସାରର ପ୍ରାଥମିକ ଗୁରୁତ୍ୱ ରହିଛି । ତେଣୁ ଆମେ ଉଭୟ ଜଗତିକରଣରୁ ମିଳୁଥିବା ସୁଯୋଗ ଏବଂ ଆମ ପରିଚୟର ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି ସାହିତ୍ୟ ଉତ୍ସବରେ ବିଶିଷ୍ଟ ସମାଜବିଜ୍ଞାନୀ ତଥା ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ଦିବ୍ୟାଦତ ବକ୍ତବ୍ୟ ରଖିଥିଲେ । ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ପ୍ରମୁଖ ଯୋଗ ଦେଇଥିଲେ ।
ଆଗାମୀ ବର୍ଷ ଠାରୁ ଜାତୀୟ ସ୍ତରରେ ଦେଶର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏକ ବିଚାରକ ମଣ୍ଡଳୀ ଏହି ସମ୍ମାନ ପାଇଁ ସାହିତ୍ୟିକଙ୍କୁ ମନୋନୀତ କରିବେ ଏବଂ ତାଙ୍କୁ ୭ ଲକ୍ଷ ଟଙ୍କାର ରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରାଚୀନ୍‌ର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଘୋଷଣା କରିଥିଲେ ।

ଏହି ଅବସରରେ ପ୍ରଫେସର ନନ୍ଦୀ ସାହିତ୍ୟିକ ମାନଙ୍କର ରଚନାତ୍ମକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ସାହିତ୍ୟିକ ସେମାନଙ୍କ ସୃଷ୍ଟିକୁ ନିଜେ ସ୍ୱୀକାର ମଧ୍ୟ କରିପାରନ୍ତି ନାହିଁ । ନିଜ ବକ୍ତବ୍ୟରେ ଶ୍ରୀ କୌଶିକ ଲେଖକ ଓ କବିମାନଙ୍କୁ ସାଧାରଣ ଜନତାଙ୍କ ମୁଖପାତ୍ର ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଣେ ଲେଖକ ନିଜ ଚାରିପଟେ ଥିବା ଲୋକମାନଙ୍କର ଦୁଃଖ ଓ ସମସ୍ୟାକୁ ଅନୁଭବ କରି ନିଜ ଲେଖନୀ ଦ୍ୱାରା ତାହାକୁ ପ୍ରକାଶ କରିଥାଏ ।

ଏହି ଅବସରରେ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ରଚିତ ଚାରିଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିସହ ପ୍ରାଚୀନ ଦ୍ୱାରା ପ୍ରକାଶିତ ‘ସାରୋଳ ଦାସ ମହାଭାରଥ ସଂପାଦନା ପ୍ରସ୍ତାବ- ଭବିଷ୍ୟତ, ଅତୀତ ଓ ବର୍ତମାନ’ ମଧ୍ୟ ଉନ୍ମୋଚିତ ହୋଇଥିଲା । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button