‘ଅଶ୍ବତ୍ଥମା’ ପାଇଁ ପାପାରାଜିଙ୍କୁ ମିଠା ବାଣ୍ଟିଲେ କଙ୍ଗନା, ପ୍ରତିକ୍ରିୟାରେ ଶୁଣିଲେ- ‘ଓ ମାଇଁ ଗଡ୍’ – Utkal Mail
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ୍ ନିଜର ବୟାନବାଜି ଓ କଟୁକ୍ତି ଲାଗି ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଏଥିଲାଗି ସାମ୍ବାଦିକ ଓ ପେସାଦାର ଫଟୋଗ୍ରାଫର ( ପାପାରାଜି)ମାନେ କଙ୍ଗନାଙ୍କୁ ପାଖରେ ପାଇଲେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମତାମତ ନେବାର ସୁଯୋଗ ଆଦୌ ହାତଛଡ଼ା କରନ୍ତି ନାହିଁ। ତେବେ ଗତକାଲି କଙ୍ଗନା ଏଇ ପାପାରାଜିମାନଙ୍କ ମୁହଁ ମିଠା କରି ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ଜାଣିବା ଏଇ ମିଠାବଣ୍ଟା ପଛର କାରଣ କ’ଣ ?
ଅସଲ କଥା ହେଲା ନିକଟରେ ପିଇସି ବନିଛନ୍ତି କଙ୍ଗନା । ଆଉ ସେଇ ଖୁସିରେ ଫଟୋଗ୍ରାଫରମାନଙ୍କୁ ମିଠା ପ୍ୟାକେଟ ପ୍ରଦାନ କରିଛନ୍ତି ଓ କହୁଛନ୍ତି- ମୁଁ ପିଇସି ହୋଇଗଲି। ମୋ ଭାଇ-ଭାଉଜଙ୍କର ପୁଅଟିଏ ହୋଇଛି। କଥାକଥାରେ ଫଟୋସାମ୍ବାଦିକମାନେ ପଚାରୁଛନ୍ତି-ପୁତୁରାର ନାଁ କ’ଣ ରଖିଲେ? ହସିହସି କଙ୍ଗନା କହୁଛନ୍ତି- ଅଶ୍ବତ୍ଥମା। ସମସ୍ତେ ଏକ ସ୍ବରରେ କହୁଛନ୍ତି- ‘ଓ ମାଇଁ ଗଡ୍। ବହୁତ ବଢ଼ିଆ ନା।’ ଏଇ ସମୟର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି। ବରିନ୍ଦର ଟିଚାୱାଲାଙ୍କ ପ୍ରୋଫାଇଲରୁ ଏହା ସେୟାର କରାଯାଇ ‘ହାପିଏଷ୍ଟ ବୁଆ’ ଲେଖାଯାଇଛି। ଭିଡିଓରେ କଙ୍ଗନା ଏକ ଧଳା ଶାଢ଼ି ପିନ୍ଧି ଖୁବ୍ ଆକର୍ଷଣୀୟା ଲାଗୁଛନ୍ତି।
ଆଉ କିଛି ଦିନ ପରେ କଙ୍ଗନାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଏମର୍ଜେନ୍ସି’ ରିଲିଜ୍ ହେବାକୁ ଯାଉଛି। ସୂଚନା ଥାଉ କି ଯେ ୨୦୨୨ ଜୁନ୍ ମାସରେ ‘ଏମର୍ଜେନ୍ସି’ର ସୁଟିଂ ଆରମ୍ଭ ହୋଇଥିଲା। କଙ୍ଗନା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହ ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଛନ୍ତି | ସେ ଏହି ଚଳଚ୍ଚିତ୍ରରେ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ନେଇ କଙ୍ଗନା ଏକ ବିବୃତିରେ କହିଥିଲେ ଯେ ‘ଜରୁରୀକାଳୀନ ପରିସ୍ଥିତି’ ଭାରତୀୟ ରାଜନୈତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟକୁ ଦର୍ଶାଇଥାଏ |
ଏଥିସହ କଙ୍ଗନା ରାନାୱତ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।