ରାଜନୀତି

ହେବନି ଛାତ୍ର ସଂସଦ ନିର୍ବାଚନ: ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ନାହିଁ – Utkal Mail


ଏବର୍ଷ ୧୮୦ ଦିନ ପାଠପଢ଼ା, ୭୨ ଦିନ ଛୁଟି, ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ। ଯେଉଁଥିପାଇଁ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ।

୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି(ସ୍ନାତକୋତ୍ତର) ଓ ୟୁଜି(ସ୍ନାତକ) ପାଠ୍ୟକ୍ରମର ସମସ୍ତ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି। ଏଥର ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ଶେଷ ସପ୍ତାହରେ ମିଡ୍‌ ସେମିଷ୍ଟରର ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ହେବାକୁ ଥିବା ବେଳେ ଫେବ୍ରୁଆରି ଶେଷ ସପ୍ତାହରେ ଇଭେନ୍‌ ସେମିଷ୍ଟର(୨ୟ/୪ର୍ଥ/୬ଷ୍ଠ) ‌ପରୀକ୍ଷା କରାଯିବ। ଏଣ୍ଡ୍‌ ସେମିଷ୍ଟର ପରୀକ୍ଷାର ଅଡ୍‌ ସେମିଷ୍ଟର(୧ମ/୩ୟ/୫ମ) ପରୀକ୍ଷା ଡିସେମ୍ବର ୩ୟ ସପ୍ତାହ ଓ ଇଭେନ୍‌ ସେମିଷ୍ଟର(୨ୟ/୪ର୍ଥ/୬ଷ୍ଠ) ପରୀକ୍ଷା ୨୦୨୪ ମେ’ ଦ୍ବିତୀୟ ସପ୍ତାହରେ କରାଯିବ। ନଭେମ୍ବର ୧ରୁ ୧୦ ମଧ୍ୟରେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଡିସେମ୍ବର ୧ରୁ ୧୨ ମଧ୍ୟରେ ରାଜ୍ୟସ୍ତରୀୟ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ହେବ। ୨୦୨୪ ଜାନୁଆରି ଶେଷ ସପ୍ତାହରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ କରାଯିବ। ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ। ପ୍ରତି ସପ୍ତାହର ସୋମବାରରେ ୟୁଜି ଓ ମଙ୍ଗଳବାରରେ ପିଜି ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ସେମିନାର ଆୟୋଜିତ ହେବ। ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମେ’ ୫ରୁ ଜୁନ୍‌ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଅନୁରୂପ ଭାବେ ଡିଗ୍ରି ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ପରୀକ୍ଷା, ପୂଜା ଛୁଟି, ଆଲୁମିନି ମିଟ୍‌, ପରୀକ୍ଷା ଫଳ ପ୍ରକାଶ, ସପ୍ତାହିକ ସେମିନାର, ପାଠପଢ଼ା ଓ ଛୁଟି ଦିବସ ସମାନ ରହିଛି। ମାତ୍ର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ସପ୍ତାହ ଅକ୍ଟୋବର ୩ରୁ ୧୩ ମଧ୍ୟରେ କରାଯିବ। ସୂଚନାଯୋଗ୍ୟ ଯେ ୨୦୧୭ରେ ଶେଷ ଥର ପାଇଁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ବର୍ଷ ବିଜୁ ଛାତ୍ର ଜନତା ଦଳ ୯୫% କ୍ୟାମ୍ପସରେ ବିଜୟ ହୋଇଥିବା ଦାବି କରିଥିବା ବେଳେ ଏବିଭିପି ୬୦% ଓ ଛାତ୍ର କଂଗ୍ରେସ ୬୪% କ୍ୟାମ୍ପସରେ ବିଜୟ ଲାଭ କରିଥିବା ନେଇ ଦୃଢ଼କ୍ତି ପ୍ରକାଶ କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button