ମନୋରଞ୍ଜନ

ବିବାଦ ମଧ୍ୟରେ ରିଲିଜ୍ ହେଲା ‘ପଠାନ’, ଫିଲ୍ମକୁ ବିରୋଧ ନ କରିବାକୁ ବିଶ୍ବ ହିନ୍ଦୁ ପରିଷଦର ନିଷ୍ପତ୍ତି

ମୁମ୍ବାଇ: ବିବାଦ ମଧ୍ୟରେ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ଆଜି ସିନେମା ହଲରେ ମୁକ୍ତିଲାଭ କରିଛି। ବିବାଦ ସତ୍ତ୍ୱେ ଫିଲ୍ମକୁ ଆରମ୍ଭରୁ ଭଲ ରେସପନ୍ସ ମିଳିଛି | ଆଡଭାନ୍ସ ବୁକିଂରେ ‘କେଜିଏଫ୍-୨’ର ରେକର୍ଡ ଭାଙ୍ଗିଛି ଶାହରୁଖଙ୍କ ‘ପଠାନ’ । ଦୀର୍ଘ ସମୟ ପରେ ବଡ଼ ପରଦାକୁ ଫେରିଛନ୍ତି ଶାହରୁଖ୍ । ତେବେ ରିଲିଜ୍ ପୂର୍ବରୁ ହିଁ ‘ପଠାନ’ ବିବାଦ ଘେରରେ ରହିଆସିଛି ।

ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ମହାରାଷ୍ଟ୍ର ଓ ଗୁଜରାଟରେ ଫିଲ୍ମକୁ ରିଲିଜ ହେବାକୁ ଦେବେ ନାହିଁ ବୋଲି ଧମକ ଦେଇଥିଲେ । ଏହା ପୂର୍ବରୁ ମହାରାଷ୍ଟ୍ରର ଅନେକ ସ୍ଥାନରେ ଫିଲ୍ମର ପୋଷ୍ଟର ଚିରି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେ ଖବର ଆସିଛି ଯେ ବିଶ୍ବ ହିନ୍ଦୁ ପରିଷଦ ଏହି ଚର୍ଚ୍ଚିତ ଫିଲ୍ମକୁ ବିରୋଧ ନ‌କରିବାକୁ ଘୋଷଣା କରିଛି ।

ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ଶ୍ରୀରଜ ନାୟାର କହିଛନ୍ତି, ” ଭିଏଚପି ଏବେ ପଠାନକୁ ବିରୋଧ କରିବ ନାହିଁ। ଆମର ପୂର୍ବ ଆପତ୍ତିକୁ ଦୃଷ୍ଟିରେ ରଖି ଫିଲ୍ମରେ ସଠିକ୍ ପରିବର୍ତ୍ତନ କରାଯାଇଛି। ଯଦି ଫିଲ୍ମ ଦେଖିବା ପରେ ଆମେ କିଛି ଆପତ୍ତିଜନକ ଦୃଶ୍ୟ ପାଉ, ତେବେ ଏହି ଚଳଚ୍ଚିତ୍ରକୁ ବିରୋଧ ନେଇ ପୁନର୍ବିଚାର କରିବୁ।”

ଏହାପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଚେତାବନୀ ଦେଇଥିଲେ ଯେ ସେମାନଙ୍କ ଆପତ୍ତି ସତ୍ତ୍ୱେ ଯଦି ଫିଲ୍ମ ‘ପଠାନ’ ମୁକ୍ତିଲାଭ କରେ, ତେବେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଏହାକୁ ବିରୋଧ କରିବେ। ଏପରି ଧମକକୁ ଦୃଷ୍ଟିରେ ରଖି ଏହି ଦୁଇ ସଂଗଠନକୁ ପୋଲିସ ନୋଟିସ ଜାରି କରିଛି ।

ଦକ୍ଷିଣପନ୍ଥୀ ସଂଗଠନର ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ବିରୋଧ କରି ଫିଲ୍ମର ପୋଷ୍ଟରରେ କାଳି ଫିଙ୍ଗି ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଏହି ଫିଲ୍ମର ‘ବେସରମ ରଙ୍ଗ’ ଗୀତରୁ ବିବାଦ ଆରମ୍ଭ ହୋଇଥିଲା | ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଗେରୁଆ ରଙ୍ଗର ବିକିନିକୁ ନେଇ ଅନେକ ଦକ୍ଷିଣପନ୍ଥୀ ହିନ୍ଦୁ ସଂଗଠନ ଆପତ୍ତି ଉଠାଇଥିଲେ । ଏହାଛଡ଼ା ବିଜେପିର କିଛି ନେତାମାନେ ମଧ୍ୟ ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button