ଦେଶ ବିଦେଶ

ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି ।

ମୃତ ପାଇଲଟ୍ ଙ୍କ ଶରୀରର କିଛି ଅଙ୍ଗ ମଧ୍ୟପ୍ରଦେଶର ମୋରେନାର ପାହାଡଗଡ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ମୋରେନା ପୋଲିସ କହିଛି ।

ପୋଲିସର ସୂଚନା ଅନୁଯାୟୀ ରାଜସ୍ଥାନର ରତନଗଡରେ ମଧ୍ୟ ଏକ ଯୁଦ୍ଧ ବିମାନର ଭଗ୍ନାବଶେଷ ପଡିଛି।

ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଦୁଇଟି ଭାରତୀୟ ବାୟୁସେନା ଯୁଦ୍ଧ ବିମାନ – ସୁଖୋଇ ୩୦ ଓ ମିରାଜ ୨୦୦୦ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ମୋରେନା ପୋଲିସ ଅଧୀକ୍ଷକ ଆଶୁତୋଷ ବାଗ୍ରି କହିଛନ୍ତି ଯେ ଏକ ସୁଖୋଇ -୩୦ ଓ ଏକ ମିରାଜ -୨୦୦୦ ଯୁଦ୍ଧ ବିମାନ ଗ୍ୱାଲିୟର ବେସରୁ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରିଥିଲେ ।

ସେ କହିଛନ୍ତି ଯେ ସୁଖୋଇ ୩୦ ଯୁଦ୍ଧ ବିମାନରେ ଦୁଇଜଣ ପାଇଲଟ୍ ଥିବାବେଳେ ମିରାଜ୍ ୨୦୦୦ରେ ଜଣେ ପାଇଲଟ୍ ଥିଲେ।

ଆକାଶ ମଝିରେ ଦୁଇ ବିମାନ ଧକ୍କା ହେବାର ସମ୍ଭାବନାକୁ ଅଶୁତୋଷ ବାଗ୍ରି ଏଡ଼ାଇ ନାହାଁନ୍ତି।

ଭାରତୀୟ ବାୟୁସେନାର ଅଧିକାରୀମାନେ ତଦନ୍ତ ଶେଷ କରିବା ପରେ ହିଁ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ମିରାଜ ୨୦୦୦ ଯୁଦ୍ଧ ବିମାନ ଉଡ଼ାଉଥିବା ପାଇଲଟଙ୍କ ମୃତଦେହର କିଛି ଅଙ୍ଗ ହିଁ ଉଦ୍ଧାର କରିଛନ୍ତି ।

ବାଗ୍ରି କହିଛନ୍ତି ଯେ ଅବଶିଷ୍ଟ ଦୁଇ ପାଇଲଟ୍ ବିମାନରୁ ନିଜକୁ ସୁରକ୍ଷିତ ବାହାର କରିବାରେ ସକ୍ଷମ ହୋଇଥିଲେ । ଏହି ଦୁଇ ପାଇଲଟ୍ ସୁଖୋଇ ଯୁଦ୍ଧ ବିମାନର ହୋଇପାରନ୍ତି |

ଅନ୍ୟପକ୍ଷରେ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଅବଗତ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button