ବିଚାର

ଆଜି ଜାତୀୟ ପତାକା ଦିବସ; କେମିତି ହେଲା ତ୍ରିରଙ୍ଗା ପତାକା, ଇତିହାସ କ’ଣ କୁହେ, କ’ଣ ରହିଛି ମହତ୍ତ୍ୱ ?

 ଭାରତର ଜାତୀୟ ପତାକା ହେଉଛି ତ୍ରିରଙ୍ଗା । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା କେମିତି ହୋଇଥିଲା ତ୍ରିରଙ୍ଗା ପତାକା । ଇତିହାସ କଣ କୁହେ ? ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ “ହୋମ ରୁଲ୍‍’ ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍‍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି । ଆଜି ହେଉଛି ସେହି ପତାକାର ଜନ୍ମଦିନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button