ପ୍ରେମରେ ପଡ଼ିଲେ ବୃଦ୍ଧ, ୧୧୦ବର୍ଷ ବୟସରେ ଚତୁର୍ଥ ଥର କଲେ ବିବାହ – Utkal Mail
ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତର-ପଶ୍ଚିମ ପାକିସ୍ତାନର ମାନସେହରା ସହରରେ ବସବାସ କରୁଥିବା ୧୧୦ବର୍ଷର ଜଣେ ବୃଦ୍ଧ ୫୫ବର୍ଷୀୟ ଜଣେ ବୃଦ୍ଧାଙ୍କୁ ବିବାହ କରିଛନ୍ତି। ୧୧୦ବର୍ଷ ବୃଦ୍ଧଙ୍କ ଏହା ଚତୁର୍ଥ ବିବାହ ବୋଲି କୁହାଯାଉଛି। ଏହି ବୃଦ୍ଧଙ୍କ ନାମ ହେଉଛି ଅବଦୁଲ ହନ୍ନାନ ସ୍ବାତୀ।
ବୃଦ୍ଧ ଅବଦୁଲ ହନ୍ନାଙ୍କ ପରିବାରେ ୮୪ଜଣ ସଦସ୍ୟ ରହିଛନ୍ତି। ଅବଦୁଲ ୬ଜଣ ଝିଅ ଓ ୬ଜଣ ପୁଅଙ୍କ ବାପା। ବୃଦ୍ଧଙ୍କ ସବୁଠାରୁ ବଡ଼ ପୁଅର ବୟସ ୭୦ବର୍ଷ ରହିଛି। ଅବଦୁଲ ହନ୍ନା ୧୧୦ବର୍ଷ ବୟସରେ ମସଜିଦରେ ଚତୁର୍ଥ ବିବାହ କରିଛନ୍ତି। ସେ ୫୫ବର୍ଷର ବୃଦ୍ଧାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ପରିବାର ଲୋକଙ୍କୁ କହିଥିଲେ।
ପରିବାର ଲୋକେ ବି ଅବଦୁଲଙ୍କ କଥାରେ ରାଜି ହୋଇ ବିବାହ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ବିବାହ ଉତ୍ସବରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଅବଦୁଲଙ୍କ ପରିବାର ଏହି ବିବାହରେ ବେଶ ଖୁସିଥିବା କହିଛନ୍ତି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଅବଦୁଲ ହନ୍ନା ତାଙ୍କ ୫୫ବର୍ଷୀୟ ସ୍ତ୍ରୀଙ୍କୁ ଚୁଡ଼ି ପିନ୍ଧାଉଥିବା ଦେଖିବାକୁ ମିଳୁଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଘଟଣା ପୂର୍ବରୁ ଘଟି ସାରିଛି। ନିକଟରେ ପାକିସ୍ତାନର ଜଣେ ୯୫ବର୍ଷର ବୃଦ୍ଧ ଦ୍ବିତୀୟ ଥର ବିବାହ କରିଥିଲେ। ଏହି ବୃଦ୍ଧଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ୨୦୧୧ ମସିହାରେ ହୋଇଥିଲା। ୯୫ବର୍ଷ ବୃଦ୍ଧଙ୍କର ବି ୧୨ଜଣ ସନ୍ତାନ ରହିଛନ୍ତି।