ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ, ରାଜ୍ୟ ବାହାରେ ଆଉ ୨ଟି ପ୍ଲଟ୍ ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଇଞ୍ଜିନିୟରଙ୍କ ଅମାପ ସମ୍ପତ୍ତି। ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ଚାଲିଛି ରେଡ୍। କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଯେତେ ଖୋଜିଲେ ସେତେ ବାହାରୁଛି ସମ୍ପତ୍ତି। ରାଜ୍ୟ ବାହାରେ ମଧ୍ୟ ଯନ୍ତ୍ରୀଙ୍କ ପ୍ଲଟ୍ ଠାବ କଲା ଭିଜିଲାନ୍ସ ।
ଉତ୍ତରପ୍ରଦେଶ ମଥୁରାରେ ୨ଟି ପ୍ଲଟ ଠାବ କଲା ଭିଜିଲାନ୍ସ। ବିଭିନ୍ନ ବୀମା କମ୍ପାନୀରେ ୨.୨୬ କୋଟିର ଜମା ଠାବ ହୋଇଛି। ସେହିପରି ଢେଙ୍କାନାଳ ସପ୍ତଶଯ୍ୟାରେ ୮ ଏକର ଫାର୍ମ ହାଉସରେ ୨ କୋଠା ଠାବ ହୋଇଛି। ଫାର୍ମ ହାଉସରେ ଗାଈ, ଦେଶୀ କୁକୁଡା, ବତକ ଫାର୍ମ ରହିଛି। ଗତକାଲି ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରୁ ୩୪ଟି ପ୍ଲଟ୍ ମିଳିଥିଲା। ୨ଟି ଟ୍ରକ୍, ୨ଟି ଚାରିଚକିଆ, ୪ ବାଇକ୍ ସହ ସୁନା ଅଳଙ୍କାର ମିଳିଥିଲା।
କେବଳ ସେତିକି ନୁହେଁ ବାବୁଙ୍କ ଘରୁ ନଗଦ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମ୍ର ସୁନା ଗହଣା, ୫୦୦ ଗ୍ରାମର ରୁପା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଅଧିକ ଖୋଳତାଡ ପାଇଁ ଆଜି ଖୋଲାଯିବ ଲକର। ଭିଜିଲାନ୍ସ ଚଢ଼ଉ ବେଳେ ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ପୁଳା ପୁଳା ସମ୍ପତ୍ତି ଥିବା ବାହାର କଲେଣି ଅଧିକାରୀ।