ମନୋରଞ୍ଜନ

ସାତ୍ ସୱାଲ୍: ଧାରାବାହିକ ପେଟ ପୋଷେ, ଆତ୍ମସନ୍ତୋଷ ସିନେମାରୁ ମିଳେ

ଦିନେ ଅଭିନୟର ଭୋକ ଟାଣି ଆଣିଥିଲା ମନୋରଞ୍ଜନ ଶିଳ୍ପକୁ। ସମୟକ୍ରମେ ସହକାରୀ ନିର୍ଦ୍ଦେଶକରୁ ପାଲଟିଗଲେ ନିର୍ଦ୍ଦେଶକ। ଆଜି ଓଡ଼ିଆ ଟେଲିଭିଜନ୍ ଦୁନିଆରେ ମହେଶ ହାଜରା ଅନ୍ୟତମ ଚିହ୍ନା ନାମ। ‘ତପସ୍ୟା’, ‘ଦୁର୍ଗା’, ‘ମାୟା’, ‘ପ୍ରେମର କୁହୁକ’, ‘ମାୟାବିନୀ’, ‘କାହାର ହେବି ମୁଁ କଣ୍ଢେଇ’, ‘ଶକ୍ତି’ ଓ ‘ମଧୁର ସଂସାର’ ପରି ଧାରାବାହିକ ଜରିଆରେ ପରଦା ପଛରେ ରହି ଲୋକଙ୍କ ଭଲପାଇବା ସାଉଁଟିଥିବା ଏହି ସଫଳ ନିର୍ଦ୍ଦେଶକଙ୍କ ସହ ସ୍ବଳ୍ପ ଆଳାପ।

 

ବନ୍ଦନା ମିଶ୍ର୍ର

ସହକାରୀ ନିର୍ଦ୍ଦେଶକରୁ ଆପଣ ପାଲଟିଛନ୍ତି ସିରିୟଲ୍‌ ନିର୍ଦ୍ଦେଶକ। କଳାକାରମାନଙ୍କୁ ନିର୍ଦ୍ଦେଶନା ଦେବା ଭିତରେ ଆପଣଙ୍କୁ କେବେ ଅଭିନୟ କରିବାର ଇଚ୍ଛା ହୋଇନି?
ଅଭିନୟ କରିବାର ଇଚ୍ଛା ହିଁ ମୋତେ ନିର୍ଦ୍ଦେଶକ କରିଛି। ନିର୍ଦ୍ଦେଶନା ଦେବା ପରେ ଅଭିନୟର ଭୋକ ମରିଗଲା। ଏଥିରେ ରହିବାକୁ ମନସ୍ଥ କଲି।

ଟେଲିଧାରାବାହିକ ନିର୍ଦ୍ଦେଶକ ଭାବେ ଲୋକପ୍ରିୟ ହେବା ପରେ ଆପଣ ‘କାଇଁଚମାଳି’ ଜରିଆରେ ସିନେମା ଡେବ୍ୟୁ କରି ସାରିଛନ୍ତି। କେଉଁ ଶିଳ୍ପ ଆପଣଙ୍କୁ ବେଶି ଲାଭଦାୟକ ମନେ ହେଉଛି?
ଲାଭଦାୟକ ନିଶ୍ଚିତ ଭାବେ ଧାରାବାହିକ। ସେଥିରେ ପେଟ ପୋଷିବା ସହଜ। ମାତ୍ର ଆତ୍ମସନ୍ତୋଷ ମିଳେ ସିନେମାରେ।

ଆପଣ ଉଭୟ ନାୟକ ଓ ନାୟିକାମାନଙ୍କ ସହ ନିକଟତର ଭାବେ କାମ କରିଛନ୍ତି ଓ କରୁଛନ୍ତି। କାହା ଭିତରେ ‘ଷ୍ଟାର୍‌ଡମ୍‌’ର ଭୋକ ଅଧିକ ଥାଏ ?
ମୋ ମତରେ ‘ଷ୍ଟାର୍‌ଡମ୍‌’ର ଭୋକ ନାୟକଙ୍କ ମଧ୍ୟରେ ଅଧିକ ଥାଏ। ମାତ୍ର ନିଜ କାମକୁ ନେଇ ନାୟିକାମାନେ ଅଧିକ ଯତ୍ନଶୀଳ।

ଘରେ ଥିବା ବେଳେ କେଉଁ ନାୟିକାଙ୍କ ଫୋନ୍‌ କଲ୍‌ ଆସିଲେ ପତ୍ନୀ ପ୍ରତିକ୍ରିୟାଶୀଳ ହୁଅନ୍ତି କି? ଯୁବତୀଙ୍କ ସହ କଥା ହେବା ପାଇଁ ଘରେ କିଛି ନିର୍ଦ୍ଦିଷ୍ଟ ସମୟସୀମା ଥାଏ କି?
ମୋ ମନର ନାୟିକା ହେଲେ ମୋ ସୋନା। ତାଙ୍କୁ ଅତିକ୍ରମ କରି କୌଣସି ନାୟିକା ମୋ ମନକୁ ଆସିନାହାନ୍ତି। ନିଜ ଧର୍ମପତ୍ନୀଙ୍କୁ ନାୟିକା ରୂପରେ ଦେଖିଲେ ତାଙ୍କୁ ନାୟିକାମାନେ ଆଉ ପ୍ରତିନ୍ଦ୍ବନ୍ଦ୍ବୀ ରୂପରେ ଦିଶିବେନି। ତେଣୁ ମୋ ପତ୍ନୀ କେବେ ବି ପ୍ରତିକ୍ରିୟାଶୀଳ ହୁଅନ୍ତିନି। ଯୁବତୀମାନେ କେଉଁ ବି ସମୟ‌ରେ ମୋତେ କଲ୍‌ କରିପାରନ୍ତି। କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ।

ଆଜିକା ସମୟରେ ଲୋକ କେମିତିକା ସିରିୟଲ୍‌ ଦେଖିବାକୁ ବେଶି ପସନ୍ଦ କରୁଛନ୍ତି? ବାସ୍ତବ ଜୀବନ ସହ ମେଳ ଖାଉଥିବା ଭଳି କାହାଣୀ ନା ସଂପୂର୍ଣ୍ଣ କାଳ୍ପନିକ କାହାଣୀର ବେଶି ଟିଆର୍‌ପି?
ଯେଉଁଥିରେ ଦର୍ଶକ ନିଜକୁ ଖୋଜି ପାଇ ପାରୁଛନ୍ତି ଆଜିକା ସମୟରେ ସେମାନେ ସେଭଳି ସିରିୟଲ୍‌ ଦେଖିବାକୁ ଭଲପାଉଛନ୍ତି। ବାସ୍ତବ ହେଉ କି କାଳ୍ପନିକ, କାହାଣୀ ଭଲ ରହିଲେ ଟିଆର୍‌ପି ଭଲ ଆସେ।

ଓଡ଼ିଆ ସିନେମା ନା ଧାରାବାହିକ, କେଉଁଟି ଅଧିକ ଗ୍ଲାମରସ୍‌? ଧାରାବାହିକରେ ପରିଧାନରୁ ନେଇ ଅନ୍ତରଂଗ ଦୃଶ୍ୟ ପର୍ଯ୍ୟନ୍ତ, ସବୁ ଦିଗରେ ବେଶ୍ ସତର୍କତା ଅବଲମ୍ବନ କରାଯାଉଛି। ଏହି ଟ୍ରେଣ୍ଡ୍‌ ବଦଳିବା ଆବଶ୍ୟକ କି?
ମୁଁ କହିବି ଓଡ଼ିଆ ସିନେମା ଅପେକ୍ଷା ଓଡ଼ିଆ ସିିରିୟଲ୍‌ ବେଶି ଗ୍ଲାମରସ୍‌। ଏଥିରେ ସୌନ୍ଦର୍ଯ୍ୟକୁ ଖୁବ୍‌ ଗୁରୁତ୍ବ ଦିଆଯାଏ। ଧାରାବାହିକ ହେଉଛି ପାରିବାରିକ ସୋ’। ଯେଉଁଠାରେ ପରିବାରର ସମସ୍ତ ସଦସ୍ୟ ସାଥୀ ହୋଇ ବସି ଦେଖିପାରନ୍ତି। ପରିବାର ସହିତ ବସି ଦେଖିହେବା ପରି ଅନ୍ତରଂଗ ଦୃଶ୍ୟ ମଧ୍ୟ ଦେଖା ଯାଇଥାଏ। ପୋଷାକକୁ ମଧ୍ୟ ବେଶ୍‌ ଗୁରୁତ୍ବ ଦିଆଯାଏ। ଧାରାବାହିକ ହେଉଛି ଓଲିଉଡ୍‌ର ସବୁଠାରୁ ସଫଳ ଓ ‌ଲୋକାଦୃତ ଶିଳ୍ପ। ତେଣୁ ଟ୍ରେଣ୍ଡ୍‌ ନବଦଳିବା ଉଚିତ।

ଯଦି ଆପଣଙ୍କୁ ସୁଯୋଗ ମିଳେ ଆପଣ କେଉଁ ଆଗଧାଡ଼ିର ଓଲିଉଡ୍‌ ଅଭିନେତ୍ରୀଙ୍କୁ ନିଜ ସିରିୟଲ୍‌ର ନାୟିକା କରିବାକୁ ଚାହିଁବେ?
ପୂଜନୀୟା ମହାଶ୍ବେତା ରାୟ

Related Articles

Leave a Reply

Your email address will not be published. Required fields are marked *

Back to top button