ଓଡିଶା

ମନୋକ୍ରୋମ୍‌ରେ ମହାନଗର: ଥରେ ଲାଇନ୍‌ ଗଲେ ୫-୭ ଦିନରେ ଠିକ୍‌ ହେଉଥିଲା

ପୁରୁଣା ଭୁବନେଶ୍ୱର: ୧୯୭୫ମସିହାରେ ପୁରୀ ଜିଲ୍ଲା ଗୋପ ବ୍ଲକ ସୁଜାନଗରରୁ ୧୫ବର୍ଷ ବୟସରେ ବାପା ସାଧୁ ଚରଣ ମହାରଣା, ମାମୁ ଧନେଶ୍ବର ମହାରଣାଙ୍କ ସହ ମୁଁ ଭୁବନେଶ୍ବର ଆସିଥିଲି। ଆମେ ପରଂପରାଗତ କାଠ ମହାରଣା। ସ୍କୁଲପଢ଼ା ପରେ ଏଠାରେ କାଠକାମ ପ୍ରଶିକ୍ଷଣରେ ଭର୍ତି କରିବାପାଇଁ ମତେ ସେମାନେ ନେଇକି ଆସିଥିଲେ। ଭୁବନେଶ୍ବର ଆସିବାକୁ ହେଲେ ପ୍ରଥମେ ଗାଁରୁ ଗୋପକୁ ଚାଲିଚାଲି ଆସିବା ପରେ ବସ୍‌ରେ ବସୁଥିଲୁ।

ସେତେବେଳେ କୋଣାର୍କରୁ ଓଆର୍‌ଟି ବସ୍‌ ଭୁବନେଶ୍ବରକୁ ଆସୁଥିଲା। ସକାଳ ୯ଟାରେ ଗୋଟିଏ, ପୁଣି ସାଢ଼େ ୯ଟାରେ ଆଉ ଗୋଟିଏ ବସ୍‌ ଆସୁଥିଲା। ସେଗୁଡ଼ିକ ଅପରାହ୍ନ ୫ଟା ଓ ସାଢ଼େ ୫ଟାରେ ଫେରୁଥିଲା। ବସ୍‌ ଭଡ଼ା ଥିଲା ୧ଟଙ୍କା ୬୦ପଇସା। ବସ୍‌ ଆସି ଲିଙ୍ଗରାଜ ମନ୍ଦିର ନିକଟରେ ରହିଥିଲା। ମୁଁ ହାପ୍‌ପ୍ୟାଣ୍ଟ୍‌ ଓ ସାର୍ଟ ପିନ୍ଧିଥିଲି। ଖାଲି ପାଦ। ମନ୍ଦିର ନିକଟରୁ ପାଟଣାସାହି ଭିତରଦେଇ ପୁନମାଗେଟ୍‌ ନିକଟକୁ ଯାଇଥିଲୁ। ସେଠାରେ ଥିବା ରାଜ୍ୟ ହସ୍ତଶିଳ୍ପ ତାଲିମକେନ୍ଦ୍ରରେ ପହଞ୍ଚି ବାପା ଓ ମାମୁ କଥା ହୋଇଥିଲେ। ଆଡ୍‌ମିସନ୍‌ ପାଇଁ ଗୋଟେ ପରୀକ୍ଷା ଦେଇଥିଲି। ମତେ ଏକ ସାଧାକାଗଜ ଦେଇଥିଲେ ଡ୍ରଇଁ କରିବାକୁ।

ମୁଁ ସେଥିରେ କୋଣାର୍କର ଚିତ୍ର ଆଙ୍କିଥିଲି। ତା’କୁ ସମସ୍ତେ ପ୍ରଶଂସା କରିଥିଲେ ଓ ସଙ୍ଗେସଙ୍ଗେ ତାଲିମ ପାଇଁ ଅନୁମତି ମିଳି ଯାଇଥିଲା। ତା’ପରେ ଗାଁକୁ ଫେରିଯାଇ ଦୁଇଦିନରେ ଏକ ଟ୍ରଙ୍କରେ କିଛି ଜିନିଷ ଆଣି ଏଠାରେ ହଷ୍ଟେଲରେ ରହିଲି। ଗୋଟିଏ କୋଠରିରେ ୧୦-୧୨ଜଣ ପିଲା ରହୁଥିଲୁ। ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଟ୍ରେନିଂ। ସକାଳୁ ଚୂଡ଼ା ଖାଉଥିଲୁ। ୩୫ଟଙ୍କା ଷ୍ଟାଇପେଣ୍ଡ୍‌ ମିଳେ, ସେଥିରେ କିଛି ମିଶାଇ ମେସ୍‌ ଖର୍ଚ୍ଚ ଦିଆଯାଏ। ପାଳିକରି ଆମେ ପିଲାମାନେ ହଷ୍ଟେଲରେ ରୋଷେଇ କରୁ। ଯାହାର ପାଳି ସେ ଭାତ, ଡାଲି, ଜହ୍ନିଭଜା ନହେଲେ କୁନ୍ଦୁରି ଭଜା ତିଆରି କରେ। ରବିବାରରେ ମାଛ ନହେଲେ ମାଂସ। ନିଜ ଟିଣଟ୍ରଙ୍କରେ ଆମେ ପ୍ୟାଣ୍ଟ୍‌ ସାର୍ଟ ସହିତ ଚୂଡ଼ା, ମୁଢ଼ି, ନଡ଼ିଆ ରଖୁଥିଲୁ। ସନ୍ଧ୍ୟାରେ ଭୋକହେଲେ ସେଥିରୁ ବାହାର କରି ଖାଉଥିଲୁ। ସେତେବେଳେ ପୁନାମାଗେଟ୍‌ ନିକଟରେ ଏକ ଡାଲିଚାଉଳ ଦୋକାନ ଓ ଏକ ଜଳଖିଆ ଦୋକାନ ଥିଲା। ସନ୍ଧ୍ୟାହେଲେ ଆଖପାଖ ଶୂନ୍‌ଶାନ ହୋଇଯାଉଥିଲା। ସେହି ଅଞ୍ଚଳରୁ ଭୀମଟାଙ୍ଗି ଆଡ଼କୁ କେବଳ ଟାଙ୍ଗି ଓ ଖଣି ଥିଲା। ଖଣିରେ ପାଣି। ଆମ ପିଲାମାନଙ୍କୁ ଭୂତଭୟ ସହ କେହି ମାରିଦେବାର ଭୟ ଥିଲା। ତେଣୁ ବାହାରକୁ ଯିବାରଥିଲେ କେହି ବୟସ୍କ ଲୋକ ଆସିଲେ ତାଙ୍କ ଯିବାକୁ ଅପେକ୍ଷା କରୁଥିଲୁ।

ହସ୍ତଶିଳ୍ପ ଟ୍ରେନିଂ ପରେ ବଶିଷ୍ଠନଗରରେ ମାସକୁ ୬୦ଟଙ୍କା ଭଡ଼ାରେ ଏକ ମେସ୍‌ରେ ରହିଥିଲି। ଆମେ ରାତିରେ ଲଣ୍ଠନ ବା ଦୀପ ଜାଳି ହସ୍ତଶିଳ୍ପ କାମ କରୁଥିଲୁ। ଭଡ଼ାଘରେ ଲାଇନ୍‌ ନଥିଲା। ସେତେବେଳେ ଥରେ ବିଦ୍ୟୁତ୍‌ କାଟହେଲେ ଠିକ୍‌ ହେବାକୁ ୫-୭ଦିନ ଲାଗୁଥିଲା। ମେସ୍‌ରେ ଆମେ କୂଅରୁ ପାଣି କାଢ଼ି ରୋଷେଇ କରୁଥିଲୁ। ସୂକ୍ଷ୍ମକାମ ପାଇଁ ଆମେ ନିଜ ହାତରେ ନିହାଣ ତିଆରି କରୁଥିଲୁ। ନିଜେ ଶାଳ ତିଆରି କରି ଲୁହାକୁ ଗରମ କରି ହାତୁଡ଼ିରେ ବାଡ଼େଇ ନିଜର ନିହାଣ ତିଆରିକରୁଥିଲୁ। ବଶିଷ୍ଠନଗରରେ ମେସ୍‌ରେ ରହିବା ବେଳେ ଅପରାହ୍ନରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର କୂଳକୁ ବୁଲିବାକୁ ଯାଉଥିଲୁ। ମନ୍ଦିରରୁ ୨୫ପଇସାରେ ମିଠାଡାଲି କିଣି ଖାଉଥିଲୁ। ମନ୍ଦିର ବାହାରେ ସିଝା ମଟର ବିକ୍ରି ହେଉଥିଲା। ଆମେ ତା’କୁ କିଣି ବିନ୍ଦୁସାଗର କୂଳରେ ବସି ଖଟିକରୁ। ପୁରୁଣା ଭୁବନେଶ୍ବରରେ ସେତେବେଳେ ଗାଁପରି ଘର ଥିଲା। ଅଳ୍ପକିଛି କୋଠାଘର ଥିଲା। ପୁରୁଣା ଭୁବନେଶ୍ବରର ଲୋକେ ଗୋଟିଏ ସାହି ପରି ଚଳୁଥିଲେ। ସମସ୍ତେ ସମସ୍ତଙ୍କୁ ଚିହ୍ନୁଥିଲେ, କିଏ କାହା ଘରକୁ ଆସିଛି, କିଏ କାହା ଘରର ପୁଅ ସମସ୍ତେ ଜାଣୁଥିଲେ। ମଝିରେ ମଝି‌ରେ ଆମେସବୁ ଚାଲିଚାଲି ଭୁବନେଶ୍ବର ରେଳ ଷ୍ଟେସନ୍‌ ଯାଇ ସେଠାରୁ ଟ୍ରେନ୍‌ରେ ବାରଙ୍ଗ ଯାଉଥିଲୁ। ବାରଙ୍ଗ ଷ୍ଟେସନ୍‌ରେ ଓହ୍ଲାଇ ଚାଲିଚାଲି ନନ୍ଦନକାନନ ଚିଡ଼ିଆଖାନାରେ ବାଘ, ଭାଲୁ ଆଦି ଦେଖି ଫେରୁଥିଲୁ।

ବରିଷ୍ଠଙ୍କ ସ୍ମୃତିରେ ରାଜଧାନୀ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button