କ୍ରୀଡା

ଏସିଆ କପ୍‌: ଆଜି ଭାରତ-ପାକିସ୍ତାନ – Utkal Mail


କଲମ୍ବୋ: ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। ଏବେ ସୁପର-୪ ପର୍ଯ୍ୟାୟରେ ପୁଣି ଥରେ ଉଭୟ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଫାଇନାଲ୍‌ ପୂର୍ବରୁ ରବିବାର କଲମ୍ବୋରେ ଦୁଇ ଦଳ ନିଜନିଜର ସାମର୍ଥ୍ୟକୁ ପରୀକ୍ଷା କରିବା ଭଲ ଅବସର ମିଳିବ। ତଥାପି ରବିବାର ମ୍ୟାଚ୍‌ ବେଳେ ବର୍ଷା ସମ୍ଭାବନା ୯୦ ପ୍ରତିଶତ ରହିଛି। କିନ୍ତୁ ସଂରକ୍ଷିତ ଦିବସ ରହିଥିବାରୁ ପ୍ରଶଂସକମାନେ କିଛିଟା ଆଶ୍ବସ୍ତି ହେବେ।

ବର୍ତ୍ତମାନସୁଦ୍ଧା ଚଳିତ ଏସିଆ କପ୍‌ରେ ଭାରତ ପୂର୍ଣ୍ଣାଙ୍ଗ ମ୍ୟାଚ୍‌ ଖେଳିପାରିନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅଧାରୁ ବନ୍ଦ ହେବା ପରେ ନେପାଳ ବିପକ୍ଷରେ ମଧ୍ୟ ବର୍ଷା ବାଧକ ସାଜିଥିଲା। ଭାରତର ବ୍ୟାଟିଂ ବେଳକୁ ଓଭର କମ୍‌ କରି ସଂଶୋଧିତ ଲକ୍ଷ୍ୟ ଦିଆଯାଇଥିଲା। ଯାହାଫଳରେ କେବଳ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ଭାରତକୁ ଜିତାଇଦେବାରୁ ଅନ୍ୟମାନଙ୍କ ବ୍ୟାଟିଂ ଦେଖିବାକୁ ମିଳିନଥିଲା। ରବିବାରକୁ ମଧ୍ୟ ସମାନ ପରିସ୍ଥିତି ରହୁଛି। ତେବେ ଆହତରୁ ଫେରିଥିବା କେଏଲ୍‌ ରାହୁଲ, ଶ୍ରେୟସ ଆୟର ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଅଧିକ ସୁଯୋଗ ଦେବା ଲକ୍ଷ୍ୟରେ ରହିଥିବା ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ କାହାକୁ ସାମିଲ କରୁଛି ତାହାକୁ ଦେଖିବାକୁ ହେବ। କାରଣ ଈଶାନ କିଶନ ଗତ ୪ ପାଳିରେ ୪ ଅର୍ଦ୍ଧଶତକ ମାରି ଶ୍ରେଷ୍ଠ ଲୟରେ ରହିଛନ୍ତି। ରାହୁଲଙ୍କୁ ଖେଳାଇଲେ କିଶନଙ୍କୁ ବିଶ୍ରାମ ଦେବାକୁ ପଡ଼ିପାରେ। ସେହିପରି ବୁମ୍‌ରା ଛୋଟ ବିରତି ନେଇ ଫେରିଥିବାରୁ ତାଙ୍କୁ ମଧ୍ୟ ଖେଳାଇବା ସମ୍ଭାବନା ଅଧିକ ରହିଛି। ଏହାଫଳରେ ମହମ୍ମଦ ସାମିଙ୍କୁ ବାହାରେ ବସିବାକୁ ପଡ଼ିପାରେ।

ପାକିସ୍ତାନ ପାଇଁ ନସୀମ ଶାହଙ୍କ ଆହତ ହେବା ଚିନ୍ତାଜନକ ଥିଲା। ଲାହୋରରେ ବାଂଲାଦେଶ ବିପକ୍ଷରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ଡାଇଭ୍‌ ମାରି ବାଉଣ୍ଡରି ରୋକିବାକୁ ଯାଉଥିବା ବେଳେ ତଳେ ପଡ଼ିବାରୁ ତାଙ୍କ ଡାହାଣ କାନ୍ଧ ଜୋର୍‌ରେ ମାଡ଼ ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ଫିଜିଓଙ୍କ ସହ ଡ୍ରେସିଂ ରୁମ୍‌ ଫେରିଥିଲେ। ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ବେଳକୁ ସେ ଉପଲବ୍ଧ ହେବେ କି ନାହିଁ ତାହା ଏବେବି ଦ୍ବନ୍ଦ୍ବରେ ରହିଛି। ତଥାପି ଅଭ୍ୟାସ ବେଳେ ସେ ପଡ଼ିଆକୁ ଆସିଥିବାରୁ ମ୍ୟାଚ୍‌ ବେଳକୁ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଛି। ସେହିପରି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବାହାରେ ବସିଥିବା ମହମ୍ମଦ ନୱାଜ ଭାରତ ବିପକ୍ଷରେ ଏକାଦଶକୁ ଫେରିବା ସମ୍ଭାବନା ଅଧିକ ରହିଛି।

ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ, ମହମ୍ମଦ ରିଜୱାନ, ଅଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍, ମହମ୍ମଦ ନୱାଜ/ଫହିମ ଆଶ୍ରଫ, ସାହିନ ଶାହ ଆଫ୍ରିଦି, ନସୀମ ଶାହ, ହାରିସ ରୌଫ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button