ଦେଶ ବିଦେଶ

ୱାୟନାଡ଼ରେ ଅକଳ୍ପନୀୟ କ୍ଷତି: ୪ ଶିଶୁଙ୍କୁ ବଞ୍ଚାଇଲେ ବନ ଅଧିକାରୀ

ୱାୟନାଡ଼: ୱାୟନାଡ଼ର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଆଜି ପଞ୍ଚମ ଦିବସରେ ଉଦ୍ଧାର ଅପରେସନ୍‌ ଜାରି ରହିଛି। ଭୂସ୍ଖଳନ ଯୋଗୁଁ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି ଏବଂ ୫ଟି ଗ୍ରାମର ସବୁକିଛି ମାଟିରେ ମିଶିଯାଇଛି। ପ୍ରକୃତିର ଭୟଙ୍କର ପ୍ରକୋପରେ ୮୬ ହଜାର ବର୍ଗ ମିଟର ଅଂଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୩୫୭କୁ ବୃଦ୍ଧି ପାଇଛି ଏବଂ ୨୦୬ ଜଣ ଏବେ ବି ନିଖୋଜ ଅଛନ୍ତି।

ଏଯାବତ ୩୪୧ଟି ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି ଏବଂ ୧୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ହସ୍ପିଟାଲରେ ମୋଟ୍‌ ୫୧୮ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୯ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଚେଲିୟାର ନଦୀରୁ ଆଜି ୯ ଜଣଙ୍କ ମୃତଦେହ ମିଳିଛି। ଏଥିସହ ଚେଲିୟାର ନଦୀରୁ ମୋଟ୍‌ ୧୯୮ଟି ମର ଶରୀର ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ କେରଳ ସରକାର ଆଜି ମୁଣ୍ଡାକାଇ ଏବଂ ଚୁରାଲମାଲାରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ୪ କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା କରିଛନ୍ତି। ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ଏକ ନୂଆ ବସତି ସ୍ଥାପନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଭୂସ୍ଖଳନ ପ୍ରଭାବିତ ମୁଣ୍ଡାକ୍କାଇ ଅଞ୍ଚଳରେ ଚଳିତ ମୌସୁମୀ ଋତୁ ତଥା ‌କେବଳ ଜୁନ୍‌ ଏବଂ ଜୁଲାଇରେ ୧୧୪ ପ୍ରତିଶତ ଅତିରିକ୍ତ ବ‌ର୍ଷା ହୋଇଛି। ୨୦୨୩ ମସିହା ଜୁନ୍‌ ଏବଂ ଜୁଲାଇ ତୁଳନାରେ ଚଳିତବର୍ଷ ୧୧୪ ପ୍ରତିଶତ ଅତିରକ୍ତ ବର୍ଷା ରେକର୍ଡ ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଜୁନ୍‌ ଏବଂ ଜୁଲାଇରେ ଏହି ଅଞ୍ଚଳ ୨୯୮୧ ମିମି ବର୍ଷାଜଳ ଗ୍ରହଣ କରିଛି। କେବଳ ଜୁଲାଇ ୨୮ ଏବଂ ୨୯ ତାରିଖରେ ୫୮୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଚଳିତବର୍ଷ ଜୁନ୍‌ରେ ଏହି ଅଞ୍ଚଳରେ ୮୮୮ ମିମି ବର୍ଷା ହୋଇଥିବା ବେଳେ ଜୁଲାଇରେ ୨୦୯୩.୬ ମିମି ବର୍ଷା ହୋଇଛି। ଅନ୍ୟପକ୍ଷେ ଗତ ୪ ବର୍ଷରେ ଜୁନ୍‌ ଏବଂ ଜୁଲାଇରେ ଏହି ଅଞ୍ଚଳ ମୋଟ୍‌ ୨୦୦୦ ମିମି ବର୍ଷାଜଳ ଗ୍ରହଣ କରିଥିଲା‌। ଏହାପୂର୍ବରୁ ୨୦୨୦ରେ ଜୁନ୍‌ ଏବଂ ଜୁଲାଇ ମାସ‌ରେ ମୁଣ୍ଡାକ୍କାଇ ୨୩୫୩ ମିମି ବର୍ଷାଜଳ ଗ୍ରହଣ ରେକର୍ଡ କରାଯାଇଥିବା ବେଳେ କେବଳ ଜୁଲାଇରେ ୧୪୭୨ ମିମି ବର୍ଷା ରେକର୍ଡ ହୋଇଛି।

ୱାୟନାଡ଼: ଭୂସ୍ଖଳନ ପ୍ରଭାବିତ କେରଳର ୱାୟନାଡ଼ରେ ଏକ ଆଦିବାସୀ ସମ୍ପ୍ରଦାୟର ୪ ଜଣ ଶିଶୁ ଓ ସେମାନଙ୍କ ପିତାମାତାଙ୍କୁ ଉଦ୍ଧାର କରିବା ପାଇଁ ବନ ଅଧିକାରୀଙ୍କ ୮ ଘଣ୍ଟାର ସାହସିକ ଅଭିଯାନ ସଫଳ ହୋଇଛି। ବନ ବିଭାଗର ଏହି ଉଦ୍ଧାର ଅଭିଯାନକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ଭୂୟସୀ ପ୍ରଶଂସା କରାଯାଇଛି। ପ୍ରବଳ ବର୍ଷା ଓ ପଥୁରିଆ ଗଡ଼ାଣି ଜଙ୍ଗଲ ଭିତରେ ୪ ଘଣ୍ଟାର ବିପଜ୍ଜନକ ଯାତ୍ରା କରି କଲପେଟ୍ଟା ରେଞ୍ଜ ଫରେଷ୍ଟ ଅଫିସର କେ ହାସିସ୍‌ଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଆଦିବାସୀ ପରିବାରକୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ୪ ଜଣ ଶିଶୁଙ୍କ ବୟସ ଏକରୁ ଚାରି ବର୍ଷ ମଧ୍ୟରେ ଥିଲା। ୱାୟନାଡ଼ର ପାନିଆ ସମ୍ପ୍ରଦାୟର ଏହି ପରିବାର ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଫସି ରହିଥିଲେ। ବନ ଅଧିକାରୀ କେ ହାସିସ୍‌ ପିଲାମାନଙ୍କ ମା’ଙ୍କୁ ଖାଦ୍ୟ ସନ୍ଧାନରେ ଅଟାମାଲା ଜଙ୍ଗଲରେ ବୁଲୁଥିବା ଦେଖିଥିଲେ। ମହିଳା ଜଣକ କହିଛନ୍ତି ଯେ ୫ ଦିନରୁ ଅଧିକ ସମୟ ଧରି ସେମାନଙ୍କ ପାଖରେ କିଛି ଖାଦ୍ୟ ନ ଥିଲା।

ଏହାପରେ ମହିଳା ଜଣକ ବନ ଅଧିକାରୀଙ୍କୁ ଏକ ଗୁମ୍ଫାକୁ ନେଇଯାଇଥିଲେ, ଯେଉଁଠାରେ ୧ରୁ ୪ ବର୍ଷ ବୟସର ୪ ଜଣ ଶିଶୁ ଆଶ୍ରୟ ନେଇଥିଲେ। ଆଠଘଣ୍ଟାର ମିସନରେ ଆଦିବାସୀ ପରିବାରକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଆଠମାଳା ଶିକାର ନିବାରଣ କାର୍ଯ୍ୟାଳୟକୁ ଫେରିବା ପରେ ପିଲାମାନଙ୍କୁ ଖାଇବାକୁ ଦେବା ସହ ପୋଷାକ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଅଧିକାରୀ ଏକ ଶିଶୁକୁ କୋଳରେ ଧରିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଜୟନ କହିଛନ୍ତି, ଭୂସ୍ଖଳନ ପ୍ରଭାବିତ ୱାୟନାଡରେ ଆମର ସାହସୀ ବନ ଅଧିକାରୀଙ୍କ ୮ ଘଣ୍ଟାର ଅକ୍ଳାନ୍ତ ଅପରେସନ ପରେ ଏକ ଦୁର୍ଗମ ଆଦିବାସୀ ବସ୍ତିରୁ ୬ଟି ମୂଲ୍ୟବାନ ଜୀବନ ରକ୍ଷା କରାଯାଇଛି। ଏହି ଅପରେସନରେ ହାସିସ୍‌ଙ୍କ ସହ ସେକ୍ସନ ଫରେଷ୍ଟ ଅଫିସର ବିଏସ୍ ଜୟଚନ୍ଦ୍ରନ, କେ ଅନିଲ କୁମାର ଓ ସଦସ୍ୟ ଅନୁପ ଟମାସ ସାମିଲ ହୋଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button