ଓଡିଶା

ଦୁଇ ନାବାଳିକାଙ୍କୁ ଗଣବଳାତ୍କାର ମାମଲା : ୩ ଗିରଫ

ରାଉରକେଲା : ଦୁଇଦିନ ତଳେ ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଅଟକ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସୋମବାର ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି। ଯେଉଁ ରାସ୍ତାରେ ସେମାନେ ଦୁଇ ନାବାଳିକାଙ୍କୁ ଚଲାଇ ଚଲାଇ ନେଇଥିଲେ ଏବଂ କେଉଁ ଜାଗାରେ ସେମାନେ ଜଘନ୍ୟ କାଣ୍ଡ ଭିଆଇଥିଲେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହି ସେଠାରେ ପହଞ୍ଚି ତଦନ୍ତ କରିଥିଲା।

ତିନି ଅଭିଯୁକ୍ତ ଓ ଦୁଇ ପୀଡ଼ିତାଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କୁ ଆଜି ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଗତ ୨୧ ତାରିଖ ରାତି ପ୍ରାୟ ୮ଟା ବେଳେ ବିଶ୍ରା ଛକ ନିକଟ ଆଥଲେଟିକ୍ସ ଷ୍ଟାଡିୟମ ସଂଲଗ୍ନ ଏକ ଝାଡ଼ିରେ ଦୁଇ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ନାବାଳିକା ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ତିନିଜଣଙ୍କ ଭିତରୁ ଜଣେ ଅଟୋ ଚାଳକ ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଗାନ୍ଧି ରୋଡ଼ରେ ରହୁଛି। ସେ ହିଁ ସବୁ ଯୋଜନା କରି ଦୁଇ ନାବାଳିକାଙ୍କୁ ଘରେ ଛାଡ଼ି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଉଦାରତା ଦେଖାଇ ସମ୍ପୃକ୍ତ ଅଟୋ ଚାଳକକୁ ପୀଡ଼ିତାଙ୍କ ସମ୍ମୁଖରେ ଫୋନ କରିିଥିଲେ।

ଏମାନଙ୍କୁ ତାଙ୍କ ଘରେ ଛାଡ଼ି ଦେବୁ, ସେମାନେ ତୋ ଭଡ଼ା ଦେଇଦେବେ ବୋଲି ମୁଖ୍ୟ ଅଭିଯୁକ୍ତ କହିଥିଲା। ନାବାଳିକା ଦୁଇଜଣ ସେମାନଙ୍କ ପାପ ନଜର ବୁଝି ନ ପାରି ଅଟୋରେ ବସିଯାଇଥିଲେ। ବିଶ୍ରା ଛକରୁ ଘଟଣାସ୍ଥଳର ଦୂରତା ଗୋଟିଏ କିଲୋମିଟର ହେବ ନାହିଁ। ସେମାନେ ସମସ୍ତେ ଅଟୋରେ ବସିଲା ପରେ ପ୍ରାୟ ୨୦୦/୩୦୦ ମିଟର ପରେ ଓହ୍ଲାଇ ଦେଇଥିଲେ।

ଏହିଠାରୁ ଚାଲିଚାଲି ଯିବା ବୋଲି କହି ବାଟରେ ଅଟୋରୁ ଓହ୍ଲାଇ ଦେଇଥିଲେ। କିନ୍ତୁ ଅଟୋ ଚାଳକ ସହ ତିନିଜଣ ଦୁଇ ନାବାଳିକାଙ୍କୁ ଆଥଲେଟିକ୍ସ ଷ୍ଟାଡିୟମ ପଛ ପଟକୁ ନେଇ ଏକ ବୁଦାଳିଆ ଜାଗାରେ ଜୋରଜବରଦସ୍ତ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଦୁଇଜଣ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଲାତ ଗୋଇଠା ମାରିବା ସହ ଭୟଭୀତ କରାଇ ଜୋରଜବରଦସ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କେବଳ ଏତିକିରେ ସେମାନେ ଶାନ୍ତ ହୋଇ ନ ଥିଲେ।

ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ତା’ର ଅନ୍ୟ ୪ ଜଣ ସାଙ୍ଗକୁ ଘଟଣାସ୍ଥଳକୁ ଡାକିଥିଲା। ସମସ୍ତେ ସେଠାରେ ମଦ ପିଇଥିଲେ, ଦୁଇ ନାବାଳିକା ଏହି ସମୟରେ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ପାଶବିକ ଅତ୍ୟାଚାରରୁ ବର୍ତ୍ତିିଯାଇଥିଲେ। ରବିବାର ତିନି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ସୋମବାର ନାବାଳିକାମାନେ ସେମାନଙ୍କୁ ଥାନାରେ ଚିହ୍ନଟ କରିଥିଲେ।

ପରେ ମୁଖ୍ୟ ଅଭିଯୁକ୍ତକୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ କରିଥିଲା। ମୁଖ୍ୟ ଅଭିଯୁକ୍ତ ପୁଲିସ ସମ୍ମୁଖରେ ଦୋଷ ସ୍ୱୀକାର କରିଛି। ପରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଆଜି ସେମାନଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ଯେଉଁ ଚାରିଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଡାକିଥିଲା ସେମାନେ ଏବେ କେଉଁଠି, ପୁଲିସ ତାଙ୍କୁ ଗିରଫ କରିପାରି ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ଆଦିବାସୀ ନାବାଳିକାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର ସୁନ୍ଦରଗଡ଼଼ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button