ଓଡିଶା

ଶିମିଳିପାଳ ସୁରକ୍ଷାରେ ଏଆଇ: ପ୍ରତି ୧୦ କିମି ବ୍ୟବଧାନରେ ବସିବ ଏଆଇ ଟାୱାର

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ଭଲ ଖବର। ଅଭୟାରଣ୍ୟ ସୁରକ୍ଷା ପାଇଁ ବ୍ୟବହାର ହେବ କୃ୍ତ୍ରିମ ବୁଦ୍ଧିମତା (ଏଆଇ)। ବନବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅଭୟାରଣ୍ୟର ପ୍ରତି ୧୦ କିଲୋମିଟର ବ୍ୟବଧାନରେ ଏଆଇ ଟାୱାର ସ୍ଥାପନ ହେବ। ୨୭୫୦ ବର୍ଗକିମି ଅଭୟାରଣ୍ୟରେ ପାଇଁ ମୋଟ ୨୭୫ଟି ଟାୱାର ଆବଶ୍ୟକ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ୨-୩ଟି ସ୍ଥାନରେ ଏହି ପରୀକ୍ଷାମୂଳକ ଭାବେ ସ୍ଥାପନ କରାଯିବ ବୋଲି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ଡ.

ସମ୍ରାଟ ଗୌଡ଼ା କହିଛନ୍ତି। ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା ରହିଛି। ତେବେ ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଅଭୟାରଣ୍ୟର ସୁରକ୍ଷା ବିପନ୍ନ ହେଉଛି। ଏଆଇ ଟାୱାରରେ ୩୬୦ ଡିଗ୍ରି କୋଣରେ ବୁଲି ପାରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ରିଅଲ୍‌ ଟାଇମ୍‌ ଥର୍ମାଲ କ୍ୟାମେରା ଲଗାଯିବ। ଏହି କ୍ୟାମେରା ଦ୍ବାରା ବନ୍ୟଜନ୍ତୁଙ୍କ ଗତିବିଧି ସହ ଶିକାରୀ ଉପରେ ନଜର ରଖାଯାଇପାରିବ। ଖରାଦିନେ ବନାଗ୍ନି ଚିହ୍ନଟରେ ମଧ୍ୟ ଏହା ସହାୟ ହେବ। ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ପାଇଁ ପ୍ରାୟ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ଶ୍ରୀ ‌ଗୌଡ଼ା କହିଛନ୍ତି।

ସୂଚନାଯୋଗ୍ୟ; ଶିମିଳିପାଳ ଜୈବମଣ୍ଡଳରେ ୧୨୫୩ ପ୍ରକାର ପୁଷ୍ପ, ୯୯ ପ୍ରକାର ଅଣପୁଷ୍ପ ଜାତୀୟ ବୃକ୍ଷ, ୨୧ ପ୍ରକାର ଉଭୟଚର ପ୍ରାଣୀ, ୬୨ ପ୍ରକାର ସରୀସୃପ, ୩୬୧ ପ୍ରକାର ପକ୍ଷୀ, ୫୫ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଆନ୍ତି। ମୁଖ୍ୟତଃ ମହାବଳ ବାଘ, ଏସୀୟ ହାତୀ ଓ ଚୌସିଙ୍ଗା ହରିଣଙ୍କ ପାଇଁ ଏହା ପ୍ରସିଦ୍ଧ। ତେବେ ଏହି ଅଭୟାରଣ୍ୟର ସୁରକ୍ଷା, ବନବିଭାଗ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏଠାରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଗତବର୍ଷଠାରୁ ଶିମିଳିପାଳ ସୁରକ୍ଷାରେ ବନ ବିଭାଗକୁ ସହଯୋଗ କରିଆସୁଛି ପୁଲିସ ପ୍ରଶ‌ାସନ। ତଥାପି ଜଙ୍ଗଲରେ ଜନ୍ତୁ ଶିକାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲାଗିପାରୁନି। ସେହିପରି ଅଭୟାରଣ୍ୟ ସଂଲଗ୍ନ ସମସ୍ତ ଖଣି ଖାଦାନରେ ୧୪୪ ଧାରା ଜାରି ହୋଇଥିଲେ ବି ଅବାଧ ପଥର ଓ ମୋରମ ଚୋରାଚାଲାଣ ହେଉଛି। ଏଆଇ ଟାୱାର୍‌ ସ୍ଥାପନ ହେଲେ ସ୍ଥିତିରେ ସୁଧାର ହେବାର ଆଶା ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button