ଦେଶ ବିଦେଶ

ନାଗାସାକି ଦିବସ: ମନରୁ ଲିଭିନି ମହାବିନାଶର ଭୟଙ୍କର ଚିତ୍ର

ନୂଆଦିଲ୍ଲୀ: ଚାରିଆଡେ ଧ୍ବସଂର ବିଭୀଷିକା, ଶବ ହିଁ ଶବ, ଗର୍ବ ଅହଂକାରର ଏହାଥିଲା କରୁଣ ପରିଣତି। ଜୀବନ୍ତ ମଣିଷ ପାଲଟିଯାଇଥିଲା ଶବ,ଚାରିଆଡେ ଶୁଭୁଥିଲା ବୁକୁଫଟା ଚିତ୍କାର, ଇତିହାସ ପୃଷ୍ଠାରେ ଆଜିର ଦିନ ପାଲଟିଯାଇଥିଲା କଳାଦିନ। ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ।

ଚାଲିଯାଇଥିଲା ୮୦ ହଜାରରୁ ଊର୍ଦ୍ଧ୍ୱ ନୀରିହଙ୍କ ଜୀବନ। ଆଜି ବି ଇତିହାସ ପୃଷ୍ଠାରେ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ରୂପେ ଲିପିବଦ୍ଧ ହୋଇ ରହିଛି । ଆଜିବି ସେଠାରେ ଜନ୍ମ ହେଉଥିବା କିଛି ପିଲା ବିକଳାଙ୍ଗ ହୋଇ ଜନ୍ମ ହେଉଛନ୍ତି।

୧୯୪୫ ଅଗଷ୍ଟ ୯ ତାରିଖରେ ଦକ୍ଷିଣ ଜାପାନର ବନ୍ଦରଗାହ ନଗର ନାଗାସାକିରେ ୬.୪ କିଲୋର ଏକ ପ୍ଲୁଟୋନିୟମ୍ ୨୩୯ ର ‘ଫ୍ୟାଟମ୍ୟାନ୍’ ନାମକ ବୋମା ପକାଇଥିଲା ଆମେରିକା । ଏହା ପୂର୍ବରୁ ଅଗଷ୍ଟ ୬ରେ ଆମେରିକା ଜାପାନର ହିରୋସିମା ସହରରେ ‘ଲିଟିଲ୍ ବଏ’ ନାମକ ୟୁରେନିୟମ୍ ବୋମା ପକାଇଥିଲା। ଏହି ଦୁଇଟି ପ୍ରଳୟଙ୍କାରୀ ବୋମା ନେଇଥିଲା ପ୍ରାୟ ଏକ ଲକ୍ଷ ଚାଳିଶ ହଜାର ଲୋକଙ୍କ ଜୀବନ। ଆମେରିକାର ନାଗାସାକିରେ ଯେତେବେଳେ ଏହି ପରମାଣୁ ବୋମା ପଡିଥିଲା ଏହାର ୪୩ ସେକେଣ୍ଡ ପରେ ଭୂମିରୁ ୧୫୪୦ ଫୁଟ୍ ରେ ହିଁ ବୋମାଟି ଫାଟିଥିଲା । ବିସ୍ଫୋରଣ ପରେ ୨୧ କିଲୋଟନ୍ ଟି.ଏନ୍ .ଟି ଭଳି ଧମାକା ହୋଇଥିଲା । ଏହି ଧମାକାରେ ପ୍ରଥମେ ୬୫୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିଷାକ୍ତ ଧୂଆଁର ସଂସ୍ପର୍ଶରେ ଆସି ଅନେକ ଲୋକ ରୋଗାଗ୍ରସ୍ତ ହେଲେ । ୧୯୪୫ ଶେଷବେଳକୁ ଏହି ବୋମା ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ୮୦ ହଜାର ପହଁଚିଥିଲା ।

ତେବେ ଚାଲିଥିବା ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜାପାନ ପରାସ୍ତ ଗ୍ରହଣ ନକରିବାରୁ ଆମେରିକା ରଚିଥିଲା ଏପରି ତାଣ୍ଡବ ଲିଳା । ଏତେ ସଂଖ୍ୟକ ନୀରିହ ଲୋକଙ୍କ ମୃତ୍ୟୁ ପରେ ଶେଷରେ ଆମେରିକା ଆଗରେ ମୁଣ୍ଡ ନୁଆଁଇଥିଲା ଜାପାନ । ଅଗଷ୍ଟ ୧୫ ତାରିଖରେ ଜାପାନ ସର୍ତ୍ତହୀନ ଅତ୍ମସମର୍ପଣ ଘୋଷଣା କରିବା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା। ନାଗାସାକି ଦିବସ ପରମାଣୁ ଅସ୍ତ୍ରଶସ୍ତ୍ରର ଧ୍ୱଂସକାରୀ ପରିଣାମ ସମ୍ପର୍କରେ ମଣିଷକୁ ଚେତାଇଦେବା ସହିତ ବିନାଶକାରୀ ଅସ୍ତ୍ରଶସ୍ତ୍ରରୁ ବିଶ୍ୱକୁ ମୁକ୍ତ ରଖିବା ଲାଗି ଆମକୁ ଆହ୍ୱାନ ଦିଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button