ଦେଶ ବିଦେଶ

ବାଙ୍ଗଲାଦେଶର ୨୨ତମ ରାଷ୍ଟ୍ରପତି ହେବେ ମୋହମ୍ମଦ ଶହାବୁଦ୍ଦୀନ ଚୁପ୍ପୁ

ଢାକା: ବାଙ୍ଗଲାଦେଶ ରାଷ୍ଟ୍ରପତି ନିର୍ବାଚିତ ହେଲେ ପୂର୍ବତନ ନ୍ୟାୟାଧୀଶ ତଥା ସ୍ବାଧୀନତା ସଂଗ୍ରାମୀ ମୋହମ୍ମଦ ଶହାବୁଦ୍ଦୀନ ଚୁପ୍ପୁ। ନିର୍ବାଚନ ଆୟୋଗ ଚୁପୁଙ୍କ ନାମ ୨୨ ତମ ରାଷ୍ଟ୍ରପତି ଭାବେ କଲେ ଘୋଷଣା। ସୋମବାର ସେ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ମୋହମ୍ମଦ ଅବ୍ଦୁଲ ହାମିଦଙ୍କ ଜାଗା ନେବେ।

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଚୁପ୍ପୁଙ୍କୁ ଅୱାମୀ ଲିଗର ପରାମର୍ଶଦାତା ପରିଷଦ ସଦସ୍ୟତା ପଦ ଛାଡିବାକୁ ହେବ। ତେବେ ଚୁପ୍ପୁ ହିଁ ରାଷ୍ଟ୍ରପତି ହେବେ ଏହା ପୂର୍ବରୁ ଜଣାଥିଲା। କାରଣ, ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଠିଆ ହୋଇ ନ ଥିଲେ। ସୋମବାର ବାଙ୍ଗଲାଦେଶର ନୂଆ ରାଷ୍ଟ୍ରପତି ନିଯୁକ୍ତି ଉପରେ ମୁଖ୍ୟ ନିର୍ବାଚନ ଆୟୋଗ ରାଜପତ୍ର ଜାରି କରିଛନ୍ତି। ଚୁପ୍ପୁ ବାଙ୍ଗଲାଦେଶର ୨୨ତମ ରାଷ୍ଟ୍ରପତି ହେବେ। ସେ ମୋହମ୍ମଦ ଅବ୍ଦୁଲ ହାମିଦଙ୍କଠାରୁ ଦାୟିତ୍ବଗ୍ରହଣ କରିବେ।

ହାମିଦ ବାଙ୍ଗଲାଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥିବା ରାଷ୍ଟ୍ରପତି। ଏପ୍ରିଲ ୨୩ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ବାଙ୍ଗଲାଦେଶ ସମ୍ବିଧାନ ଅନୁଯାୟୀ, କୌଣସି ବ୍ୟକ୍ତି କେବଳ ଦୁଇ ଥର ରାଷ୍ଟ୍ରପତି ହୋଇପାରିବେ। ଚୁପ୍ପୁ ନିର୍ବାଚିତ ହେବା ପରେ ହାମିଦ ତାଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି।

ଚୁପ୍ପୁଙ୍କ ଜନ୍ମ ପବନା ଜିଲାରେ ହୋଇଥିଲା। ୧୯୬୦ରୁ ୭୦ ମଧ୍ୟରେ ସେ ଅୱାମୀ ଲିକର ଛାତ୍ର ଓ ଯୁବ ୱିଙ୍ଗର ନେତା ଥିଲେ। ସେ ୧୯୭୧ର ମୁକ୍ତି ସଂଗ୍ରାମରେ ମଧ୍ୟ ଭାଗ ନେଇଥିଲେ । ୧୫ ଅଗଷ୍ଟ ୧୯୭୫କୁ ବାଙ୍ଗଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଓ ତାଙ୍କ ପରିବାରବର୍ଗଙ୍‌କୁ ହତ୍ୟା କରାଯିବା ପରେ ହୋଇଥିବା ବିରୋଧ ପ୍ରଦର୍ଶନ ପାଇଁ ଚୁପ୍ପୁଙ୍କୁ ବନ୍ଦୀ କରାଯାଇଥିଲା। ଏହା ପରେ ଅୱାମୀ ଲିଗ ସରକାର ଭାଙ୍ଗିଯାଇଥିଲା। ୧୯୮୨ରେ ଚୁପ୍ପୁ ବାଙ୍ଗଲାଦେଶ ନ୍ୟାୟପାଳିକା ସେବାରେ ଯୋଗ ଦେଇଥିଲେ। ଚୁପଙ୍କ ପରିବାରରେ ତାଙ୍କ ପତ୍ନୀ ରେବେକା ସୁଲ୍ତାନା ଓ ଜଣେ ପୁତ୍ର ଅଛନ୍ତି। ପତ୍ନୀ ରେବେକା ସରକାରର ପୂର୍ବତନ ସଂଯୁକ୍ତ ସଚିବ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button