କୋଟିପତି କନ୍ୟାଙ୍କ ଈର୍ଷଣୀୟ ବିଳାସ, ଲୋକଙ୍କ ସମାଲୋଚନାର ଶିକାର – Utkal Mail
ଇଂଲଣ୍ଡରେ ରହୁଥିବା ମୋ ଆବ୍ରାହାମ୍ ନାମ୍ନୀ ୧୧ ବର୍ଷୀୟା କୋଟିପତି କନ୍ୟାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଈର୍ଷା ସୃଷ୍ଟି କରୁଛି। ଲୁଇ ଭୁଟନ୍, ଡାୟର, ଗୁଚି ଓ ହର୍ମିସ୍ ପରି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ରାଣ୍ଡର ସାମଗ୍ରୀ ପରିଧାନ କରି ‘ମୋ’ ସମସ୍ତଙ୍କୁ ଚକିତ କରିଆସୁଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ‘ଦି ବିଲିଅନେର୍ ଡଟର୍’ ବା କୋଟିପତିଙ୍କ ଝିଅ ନାମରେ ସୁପରିଚିତ। ସେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଏକ ଲକ୍ଷ ପାଉଣ୍ଡ୍ (କୋଟିଏ ତିନି ଲକ୍ଷ ଟଙ୍କାରୁ ଅଧିକ) ମୂଲ୍ୟର ‘ପାଟେକ୍ ଫିଲିପ୍ ନୌଟିଲସ୍ ୫୭୧୧’ ହାତ ଘଣ୍ଟା ଓ ୨୫ ହଜାର ପାଉଣ୍ଡ୍ (ପାଖାପାଖି ୨୬ ଲକ୍ଷ ଟଙ୍କା) ମୂଲ୍ୟର ହର୍ମିସ୍ କେଲି ହାତବ୍ୟାଗ୍ ରହିଛି।
ଏକ ଭିଡିଓରେ ‘ମୋ’ ତାଙ୍କ ମାଆଙ୍କ ସହ ବିଳାସପୂର୍ଣ୍ଣ କାର୍ ଓ ଘରୋଇ ଜେଟ୍ ସୋ’ରୁମ୍ ବୁଲି ପିତାଙ୍କ ପାଇଁ ଉପହାର ସ୍ବରୂପ ଏକ ୨,୯୭,୦୦୦ ପାଉଣ୍ଡ୍ (ତିନି କୋଟି ଆଠ ଲକ୍ଷ ଟଙ୍କାରୁ ଅଧିକ) ମୂଲ୍ୟର ଏକ ରୋଲ୍ସ ରୟେସ୍ କଲିନାନ୍ କାର୍ ଓ ଏକ ବ୍ୟକ୍ତିଗତ ଜେଟ୍ ବିମାନ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବ୍ରିଟେନ୍ରେ ସାଧାରଣ ଜନତା ଅନେକ ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ ଜଣେ କୋଟିପତି କନ୍ୟାଙ୍କର ଏଭଳି ବୈଭବ ପ୍ରଦର୍ଶନ ବ୍ୟାପକ ବିତର୍କ ସୃଷ୍ଟି କରିଛି। ତାଙ୍କ ମାଆ ଏମିଲି ଆବ୍ରାହାମ୍ ହେଉଛନ୍ତି ଲଣ୍ଡନ ଓ ଦୁବାଇ ସ୍ଥିତ ‘ଲଭ୍ ଲକ୍ଜୁରି’ ନାମକ ବିଳାସ ସାମଗ୍ରୀ ଦୋକାନର ସହପ୍ରତିଷ୍ଠାତ୍ରୀ। ଏମିଲି ତାଙ୍କ ଝିଅର ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନଶୈଳୀକୁ ସମର୍ଥନ କରନ୍ତି। ଏମିଲିଙ୍କ କହିବା ଅନୁସାରେ, ‘ମୋ’ ଯାହା ଚାହେଁ ସେ ସବୁକିଛି ତାକୁ ଦିଅନ୍ତି ନାହିଁ। ସେମାନେ ସାଧାରଣ ପରିବାର ପରି ବଢ଼ିଛନ୍ତି ଏବଂ ପ୍ରାଚୁର୍ଯ୍ୟ ହାସଲ କରିବା ପାଇଁ ସେମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଛି। ତଥାପି ଲୋକମାନେ ତାଙ୍କର ତୀବ୍ର ସମାଲୋଚନା କରୁଛନ୍ତି।