ଦେଶ ବିଦେଶ

ଦ୍ୱୀପ ଦେଲିନି, କ୍ଷମତା ନେଇଗଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ଶେଖ୍‌ ହାସିନା କ୍ଷମତାରୁ ହଟିବା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ଆମେରିକା ନିକଟରେ ସମର୍ପଣ କରିଦେଇଥିଲେ ସେ ଏବେ ବି କ୍ଷମତାରେ ରହିଥାଆନ୍ତେ। ହାସିନାଙ୍କ ଏହି ଅଭିଯୋଗ ପରେ ମାର୍ଟିନ ଆଇଲାଣ୍ଡ ଚର୍ଚ୍ଚାକୁ ଆସିଛି।

ନାରିକେଳ ଜିଞ୍ଜିରା ନାମରେ ପରିଚିତ ସେଣ୍ଟ ମାର୍ଟିନ ଆଇଲାଣ୍ଡ ବଙ୍ଗୋପସାଗରର ଉତ୍ତରପୂର୍ବରେ ଅବସ୍ଥିତ। ୫,୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପର ଆୟତନ ମାତ୍ର ୩ ବର୍ଗ କି.ମି.। କୋକ୍ସ ବାଜାର-ତନ୍‌କାଫ୍‌ ଉପଦ୍ୱୀପରୁ ୯ କି.ମି. ଦକ୍ଷିଣରେ ଏହା ରହିଛି।

ବାଂଲାଦେଶର ଏକମାତ୍ର ପ୍ରବାଳ ଦ୍ୱୀପ ହୋଇଥିବାରୁ ଏହାର ନୀଳ ସ୍ବଚ୍ଛ ଜଳ, ବିବିଧ ସାମୁଦ୍ରିକ ଜୀବ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେଣ୍ଟ ମାର୍ଟିନ ଦ୍ୱୀପକୁ ନେଇ ଅତୀତରେ ବାଂଲାଦେଶ ଓ ମ୍ୟାନ୍‌ମାର ମଧ୍ୟରେ ଅନେକ ବିବାଦ ସୃଷ୍ଟି ହୋଇଛି। ୨୦୧୨ରେ ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଫର୍‌ ଦି ଲ ଅଫ୍‌ ଦି ସି (ଆଇଟିଏଲ୍‌ଓଏସ୍‌) ଏହାକୁ ବାଂଲାଦେଶର ଅଂଶ ବୋଲି ରାୟ ଦେଇଥିଲେ। ହାସିନାଙ୍କ ଅଭିଯୋଗ ଭାରତ ମହାସାଗର ଚାଇନାର ରଣନୀତିକୁ ଫୋକସ୍‌କୁ ଆଣିଛି। ଭାରତର ମୁକାବିଲା ପାଇଁ ଏଠାରେ ଚାଇନା ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଅନେକ ସାମରିକ ଘାଟି ଓ ଆର୍ଥିକ କରିଡୋର ନିର୍ମାଣ କରିବାକୁ ଚାହୁଁଛି। ଭାରତ ମହାସାଗରରେ ଚାଇନାର ଉପସ୍ଥିତି ବୃଦ୍ଧି ଓ୍ବାଶିଂଟନ୍‌ ପାଇଁ ମଧ୍ୟ ସତର୍କଘଣ୍ଟି ସଦୃଶ। ଆମେରିକାର ଇଣ୍ଡୋ-ପାସିଫିକ୍‌ ରଣନୀତିରେ ଭାରତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button