ସ୍ବାଧିନତା ଦିବସରେ ନେଇପାରନ୍ତି ବଡ ନିଷ୍ପତ୍ତି, କ୍ରିକେଟକୁ ଅଲବିଦା କହିପାରନ୍ତି ଭାରତର ୩ ଧୁରନ୍ଧର

ନୂଆଦିଲ୍ଲୀ ୧୫।୦୮: ଟିମ୍ ଇଣ୍ଡିଆର ଧୁରନ୍ଧର । ଦେଶ ପାଇଁ ରଚିଛନ୍ତି ଅନେକ ଇତିହାସ । ଏବେ ସନ୍ୟାସକୁ କରିପାରନ୍ତି ସ୍ମରଣୀୟ । ସ୍ବାଧିନତା ଦିବସରେ ନେଇପାରନ୍ତି ବଡ ନିଷ୍ପତ୍ତି । ଅଗଷ୍ଟ ୧୫ରେ କ୍ରିକେଟକୁ କହିପାରନ୍ତି ଅଲବିଦା । ଲିଷ୍ଟରେ ସାମିଲ ଅଛନ୍ତି ଟିମ୍ ଇଣ୍ଡିଆର ୩ ଧୁରନ୍ଧର । ୨ ବ୍ୟାଟ୍ସମ୍ୟାନ୍ ରହିଥିବା ବେଳେ ଜଣେ ରହିଛନ୍ତି ସିମର ।
ଯିଏକି ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କରିପାରନ୍ତି ଅଲବିଦା ।
ଲିଷ୍ଟରେ ଅଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା । ସେ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ୍ । କିନ୍ତୁ ଖରାପ ଫର୍ମ ଯୋଗୁଁ ଏବେ ଟିମ୍ରେ ମିଳୁନି ସ୍ଥାନ । ୩୬ ବର୍ଷିୟ ପୂଜାରା ଶେଷଥର ପାଇଁ ଜୁନ୍ ୨୦୨୩ରେ ଭାରତ ପାଇଁ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ୍ । ତେବେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଟେଷ୍ଟ ମ୍ୟାଚ୍ରେ ଅଧିକରୁ ଅଧିକ ଯୁବ ପ୍ଲେୟରଙ୍କୁ ଦିଆଯାଉଛି ସୁଯୋଗ । ଏହାରି ସହିତ ପୂଜାରାଙ୍କ ପାଇଁ ବନ୍ଦ ହୋଇଯାଇଛି ଟିମ୍ ଇଣ୍ଡିଆର ଦ୍ୱାର । ଯେଉଁଥିପାଇଁ ପୂଜାରା ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଘୋଷଣା କରିପାରନ୍ତି ଅବସର । ଆଉ ଏଥିପାଇଁ ଭଲ ଦିନ ହୋଇପାରେ ଅଗଷ୍ଟ ୧୫ ।
ଅଜିଙ୍କ୍ୟ ରାହାଣେ । ଟିମ୍ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ ଖେଳିଛନ୍ତି । ତେବେ ବିଗତ କିଛି ବର୍ଷରେ ତାଙ୍କୁ କେବଳ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳୁଥିଲା । ସୂଚନା ଅନୁଯାୟୀ ରାହାଣେ ଜୁଲାଇ ୨୦୨୩ରେ ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ ଶେଷ ମ୍ୟାଚ୍ । ଯାହାକି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଥିଲା ଏକ ଟେଷ୍ଟ ମ୍ୟାଚ୍ । ୩୬ ବର୍ଷୀୟ ରାହାଣେ ମଧ୍ୟ ଭାରତୀୟ ଟେଷ୍ଟ ଦଳର ସେଟଅପ୍ ବାହାରେ ଅଛନ୍ତି । ଏଭଳି ପରିସ୍ଥିତିରେ ରାହାଣେ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିପାରିନ୍ତି । ରାହାଣେଙ୍କ ଅବସର ଦିନ ମଧ୍ୟ ଆସନ୍ତାକାଲି ୧୫ ଅଗଷ୍ଟ ମଧ୍ୟ ହୋଇପାରେ ।
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ବର କୁମାର । ନିଜର ସିମର ବୋଲିଂରେ କରିଛନ୍ତି ଅନେକ ରେକର୍ଡ । ଏହି ଦ୍ରୁତ ବୋଲର ନିଜର ଶେଷ ମ୍ୟାଚ୍ ନଭେମ୍ବର ୨୦୨୨ରେ ଖେଳିଥିଲେ । ବର୍ତ୍ତମାନ ସମୟରେ ଟିମ୍ରେ ଅନେକ ଯୁବ ଦ୍ରୁତ ବୋଲରଙ୍କୁ ମିଳୁଛି ସୁଯୋଗ । ଯେଉଁଥିପାଇଁ ଭୁବନେଶ୍ବରଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ବାର ବନ୍ଦ ହୋଇଯାଇଥିବା ଭଳି ଲାଗୁଛି । ଏଭଳି ସ୍ଥିତିରେ ଭୁବନେଶ୍ୱର କୁମାର ମଧ୍ୟ ଅଗଷ୍ଟ ୧୫ରେ ଘୋଷଣା କରିପାରନ୍ତି ଅବସର।
ତେବେ ସ୍ବାଧିନତା ଦିବସରେ କୌଣସି ପ୍ଲେୟର ଅବସର ନେବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ଏମଏସ ଧୋନି ମଧ୍ୟ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଥିଲେ ସନ୍ୟାସ । ଧୋନିଙ୍କ ସହ ମଧ୍ୟ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଧୋନି ଏକ ଗୀତ ସହିତ ଭିଡିଓ ସେୟାର କରି ଅବସର ଘୋଷଣା କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟରୁ ମାହିଙ୍କ ଅବସର ଅତ୍ୟନ୍ତ ସ୍ମରଣୀୟ ଥିଲା । ତେବେ ଚଳିତଥର ଅର୍ଥାତ୍ ୧୫ ଅଗଷ୍ଟ ୨୦୨୪ରେ ଏହି ୩ ଭାରତୀୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ ସହିତ ବିଦାୟ ନେଇପାରିନ୍ତି ।


