ବିଚାର

ବର୍ଷକୁ ମାତ୍ର ଥରେ ସୁନାକୂଅ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି, ଜାଣନ୍ତୁ ଏହି ରହସ୍ୟମୟ କୂପ ବିଷୟରେ…

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଲୋକାରଣ୍ୟ ଶ୍ରୀକ୍ଷେତ୍ର । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

ଏହି ସୁନାକୂଅ କେଉଁଠି ଅଛି ? ଏହା ପଛର କଣ ରହିଛି କିମ୍ବଦନ୍ତୀ :

ଶ୍ରୀମନ୍ଦିର ଭିତରେ ଅନେକ କୂଅ ରହିଛି । ତେବେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ମା’ ଶୀତଳା ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ ।  ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ । ଏହି କୂପର ଜଳ ବର୍ଷ ସାରା କୌଣସି କାର୍ଯ୍ଯରେ ବ୍ୟବହାର ହୁଏନି । କେବଳ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏହି କୂପ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରିଥାନ୍ତି ସ୍ନାନ ମଣ୍ଡପରେ ।

ବର୍ଷକୁ ମାତ୍ର ଥରେ ବ୍ୟବହାର ହୁଏ ସୁନାକୂଅର ଜଳ:

କୂଅର ନାମ ଯେଭଳି ନିଆରା ଏହି କୂଅର ଜଳ ମଧ୍ୟ ସେତିକି ସ୍ବତନ୍ତ୍ର । କେବଳ ବର୍ଷରେ ଥରେ ଏହି କୂପ ଜଳ କଢ଼ାଯାଇ ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି । ତେବେ ବର୍ଷକୁ ଥରେ କାହିଁକି ଏହି କୂପ ଜଳ ବ୍ୟବହାର ହୁଏ, ଅନ୍ୟ କୌଣସି ଦିନରେ ଏହି ଜଳ କାହିଁକି ବ୍ୟବହାର ହୁଏ ନାହିଁ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ତେବେ କୁହାଯାଏ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଭାରତର ଥିବା ସବୁ ତୀର୍ଥ ଜଳ ଏହି କୂପକୁ ଆସିଥାଏ । ସ୍ନାନଯାତ୍ରା ସରିବା ପରେ ଏହି କୂପରୁ ସବୁ ତୀର୍ଥ ଜଳ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଣୁ ଏହି କୂପର ଜଳକୁ ବର୍ଷକୁ ଗୋଟିଏ ଦିନ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button