୧୧ କେଭି ତାର ସଂସ୍ପର୍ଶରେ ଆସି ଗଲା ଭେଣ୍ଡିଆ ପୁଅର ଜୀବନ

ଯାଜପୁର ରୋଡ: କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ମାଆର ଅବସ୍ଥା ଯାହା ଆପଣ ଦେଖିପାରୁଥିବେ । ଭାଇ ବନ୍ଧୁ କୁଟୁମ୍ବ ସଭିଏଁ କାନ୍ଦି କାନ୍ଦି ବେଦମ୍ । ଯେତେ ଯାହା ହେଲେ ବି ଆଉ କଣ ଫେରିବ ଭେଣ୍ଡିଆ ପୁଅ । ଦୋଷ କାହାର ହେଲେ ଦଣ୍ଡ ମିଳିଲା କାହାକୁ ।
ହଁ ଆଜ୍ଞା ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ।
ଗ୍ରାହକଙ୍କୁ ବିଦ୍ୟୁତ୍ ସେବା ଯୋଗାଇବା ପରିବର୍ତ୍ତେ ଏବେ ସାଧାରଣ ଲୋକଙ୍କ ଧନଜୀବନ ପ୍ରତି ନାନା ସମସ୍ୟା ସୃଷ୍ଟି କରିଛି ଘରୋଇ ବିଦ୍ୟୁତ୍ କମ୍ପାନୀ । ସଠିକ୍ ଢ଼ଙ୍ଗରେ ବିଦ୍ୟୁତ୍ ଯୋଗାଣ, ଉପକରଣ ମରାମତି ଓ ନିୟମିତ ବ୍ୟବଧାନରେ ତଦାରଖ ହେଉନଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ଲୋକଙ୍କ ଜୀବନ ଯାଉଛି ।ଯାଜପୁର ଜିଲ୍ଲାର ବ୍ୟାସନଗର, ସୁକିନ୍ଦା, କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି, କୋରେଇ, ପାଣିକୋଇଲି ଆଦି ବିଭିନ୍ନ ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି ।
ନିକଟରେ ଦାନଗଦି ବ୍ଲକ ବ୍ରାହ୍ମଣୀଗାଁ ଗ୍ରାମରେ ନିଜ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨୭ ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି । ମୃତକ ସେହି ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ପୁଅ ଜିତେନ୍ଦ୍ର କୁମାର ସାହୁ ହୋଇଥିବା ବେଳେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅସମୟରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛି ପୁରା ପରିବାର । ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଉକ୍ତ ନା କରା ଘରୋଇ ବିଦ୍ୟୁତ୍ କମ୍ପାନୀକୁ ଦାୟି କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଚାଷଜମି ଉପରେ କମ୍ ଉଚ୍ଚତାରେ ୧୧ କେଭି ବିଦ୍ୟୁତ୍ ତାର ଯାଇଥିବା ନେଇ ପୂର୍ବରୁ ଟାଟା ପାୱାର ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ । ଫଳରେ ଗତ ୨ ଦିନ ତଳେ ଚାଷଜମିରେ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।
ଏଥିପାଇଁ ପରିବାର ଲୋକେ ପାୱାର କମ୍ପାନୀକୁ ଦାୟି କରି ଯାଜପୁର ରୋଡ଼ ଥାନାରେ ଏତଲା ଦେଇଛନ୍ତି । ଏଥିସହିତ ଜିତେନ୍ଦ୍ର ଙ୍କ ପରିବାର ବର୍ଗଙ୍କ ସମେତ ଗ୍ରାମବାସୀମାନେ ପାୱାର କମ୍ପାନୀର ଯାଜପୁର ରୋଡ଼ ଡିଭିଜନ କାର୍ଯ୍ୟାଳୟରେ ପହଞ୍ଚି କ୍ଷତିପୂରଣ ଓ ଚାଷଜମି ଉପରୁ ବିଦ୍ୟୁତ୍ ତାର ହଟାଇବାକୁ ଦାବି କରିଛନ୍ତି।
ଘରୋଇ ବିଦ୍ୟୁତ୍ କମ୍ପାନୀ ର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ଅନେକ ସମୟରେ ଅକାଳରେ ଲୋକଙ୍କ ଜୀବନ ମଧ୍ୟ ଯାଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମରାମତି ଅଭାବରୁ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିରୁଜି ଗଲାଣି ।
ତାସହିତ ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଭୂମିରୁ କମ୍ ଉଚ୍ଚତାରେ ଝୁଲି ରହିଛି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ କାଠ ଖୁଣ୍ଟ ଓ ବାଉଁଶ ଖୁଣ୍ଟ ରେ ବିଦ୍ୟୁତ୍ ତାର ଯାଇଥିବା ଦେଖିବାକୁ ମିଳିଛି । ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ଆଦୌ ଖାତିର ନାହିଁ । ଯାହାକୁ ନେଇ ସାଧାରଣରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ସେପଟେ ଏଭଳି ସମସ୍ୟା ଦୂର କରିବାକୁ ପ୍ରଚେଷ୍ଟା ଜାରି ରହିଥିବା ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ତେଣୁ ଉକ୍ତ ପାୱାର କମ୍ପାନୀର ଉଚ୍ଚ କତୃପକ୍ଷଙ୍କ ସମେତ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ତେବେ ଯଦି ଏହାର କୌଣସି ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି


