ଓଡିଶା

ଚନ୍ଦ୍ର ଏବଂ ସୂର୍ଯ୍ୟର ଅଧ୍ୟୟନ ପାଇଁ ଇସ୍ରୋର ଅଭୂତପୂର୍ବ ଯାତ୍ରା ଉପରେ ସେମିନାର ଆୟୋଜିତ

ଭୁବନେଶ୍ୱରଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଶୁକ୍ରବାର ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ରାଷ୍ଟ୍ର ସହ ଯୋଗ ଦେଇ ଗତ ବର୍ଷ ଚନ୍ଦ୍ରଯାନ-୩ ମିଶନରେ ଭାରତର ସଫଳତାକୁ ସ୍ମରଣ କରିଥିଲା। ଉତ୍ସବର ଏକ ଅଂଶ ଭାବରେ, ପ୍ରତିଷ୍ଠାନ ପକ୍ଷରୁ ‘ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ- ଏଲ୧ ମିଶନ୍: ଚନ୍ଦ୍ର ଏବଂ ସୂର୍ଯ୍ୟ ଅଧ୍ୟୟନ ପାଇଁ ଇସ୍ରୋର ଅଭୂତପୂର୍ବ ଯାତ୍ରା’ ଉପରେ ଏକ ସେମିନାର ଆୟୋଜିତ ହୋଇଥିଲା।

ଏହି ଅବସରରେ, ଇସ୍ରୋର ଡକ୍ଟର କୁଲଦୀପ ନେଗି ନିଜର ଅଭିଜ୍ଞତା ଉଲ୍ଲେଖ କରିଥିଲେ।

ସମ୍ପ୍ରତି ବେଙ୍ଗାଲୁରୁର ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ୟୁ.ଆର. ରାଓ ସାଟେଲାଇଟ ସେଣ୍ଟର (ଯୁଆରଏସସି) ରେ ଫ୍ଲାଇଟ ଡାଇନାମିକସ ଗ୍ରୁପରେ ସେକ୍ସନ ହେଡ୍ ତଥା ଚନ୍ଦ୍ରଯାନ-୪ରେ ଆସୋସିଏଟ୍ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ ଡକ୍ଟର ନେଗି ଜିଓ-ସ୍ପେସକ୍ରାଫ୍ଟ, ଇଣ୍ଟରପ୍ଲାନେଟାରୀ ଏବଂ ଚନ୍ଦ୍ର ମିଶନ ପାଇଁ ଟ୍ରାଜେକ୍ଟୋରୀ ଡିଜାଇନ୍ ଦିଗରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କ ବକ୍ତବ୍ୟରେ ବ୍ୟାଖ୍ୟା କରିଛନ୍ତି: “ଚନ୍ଦ୍ରଯାନ -୩, ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିଶନ ଏଲ.ଭି.ଏମ.୩ (LVM3) ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିଶନରେ ଆରମ୍ଭ ହୋଇଥିଲା। ଚନ୍ଦ୍ରଯାନ -୩ ହେଉଛି ମହାକାଶ ଅନୁସନ୍ଧାନ ପାଇଁ ଭାରତର ପ୍ରତିବଦ୍ଧତାର ପ୍ରମାଣ। ଇସ୍ରୋ ଏହାର ଚନ୍ଦ୍ର ମଡ୍ୟୁଲ୍ ଦ୍ୱାରା ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ ଏବଂ ଚନ୍ଦ୍ର ଭୂମିରେ ଗତି କରିବା ସହିତ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଆଦିତ୍ୟ- ଏଲ୧ ମିଶନ୍ ହେଉଛି ଲାଗ୍ରାଙ୍ଗିଆନ୍ ପଏଣ୍ଟ ଏଲ୧ ରେ ଏକ ଭାରତୀୟ ପ୍ରଥମ ସୌର ପର୍ଯ୍ୟବେକ୍ଷଣକାରୀ । ଏହି ଅଗ୍ରଗାମୀ ଉଦ୍ୟମରେ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଏଲ୧ ଲାଗ୍ରାଙ୍ଗିଆନ୍ ପଏଣ୍ଟ ଚାରିପାଖରେ ଏକ ହାଲୋ କକ୍ଷପଥ ଭାବରେ ଜଣାଶୁଣା ଏକ ଅଣ-ପ୍ଲାନାର୍ ପର୍ଯ୍ୟାୟ କକ୍ଷପଥରେ ଏକ ମହାକାଶଯାନ ନିୟୋଜିତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି: “ଯେକୌଣସି ମହାକାଶଯାନ ମିଶନ ଆରମ୍ଭରୁ ଏହାର ସମାପ୍ତି ପର୍ଯ୍ୟନ୍ତ, ସ୍ପେସ୍ ଫ୍ଲାଇଟ୍ ଟ୍ରାଜେକ୍ଟୋରୀ ଡିଜାଇନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।” ଏହି ସେମିନାରରେ ସେ ସେ ମିଶନ ସମ୍ବନ୍ଧରେ ଚନ୍ଦ୍ରଯାନ-୩ ମିଶନ ଏବଂ ସ୍ପେସ୍ ଫ୍ଲାଇଟ୍ ଟ୍ରାଜେକ୍ଟୋରୀ ଡିଜାଇନରେ ଥିବା ଆହ୍ୱାନଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଏହି ସେମିନାରରେ କମ୍ପୋଜିଟ୍ ମଡ୍ୟୁଲ୍ ପାଇଁ ଟାର୍ଗେଟ୍ ଚନ୍ଦ୍ର କକ୍ଷପଥ ଟ୍ରାଜେକ୍ଟୋରୀ ଡିଜାଇନ୍ ଏବଂ ପରେ ଲ୍ୟାଣ୍ଡର ମଡ୍ୟୁଲ୍ ପାଇଁ ମଲ୍ଟି ଫେଜ୍ ଚାଳିତ ଡେସେଣ୍ଟ ଟ୍ରାଜେକ୍ଟୋରୀ ଡିଜାଇନ୍ ବ୍ୟାଖ୍ୟା କରାଯାଇଥିଲା । ଏଲ୧ ଚାରିପାଖରେ ହାଲୋ କକ୍ଷପଥ ଯୋଜନା କରିବାରେ ଆଦିତ୍ୟ- ଏଲ୧ର ମ୍ୟାନିଫୋଲ୍ଡ-ଆଧାରିତ ଟ୍ରାଜେକ୍ଟୋରୀ ଡିଜାଇନର ପ୍ରମୁଖ ଭୂମିକା ବିଷୟରେ ମଧ୍ୟ ଡକ୍ଟର ନେଗି ଉଲ୍ଲେଖ କରିଥିଲେ। ବକ୍ତବ୍ୟ ଶେଷରେ ମହାକାଶ ଅନୁସନ୍ଧାନ ପାଇଁ ଇସ୍ରୋର ରଣନୀତିକ ସୀମା ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଡକ୍ଟ ନେଗିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଫେସର-ଇନ୍-ଚାର୍ଜ (ସେମିନାର୍) ଡକ୍ଟର ବିଜୟକୃଷ୍ଣ କରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅଧ୍ୟାପକବୃନ୍ଦ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button