୨୮ ହଜାର ନିଶା କ୍ୟାପସୁଲ ଜବତ, ୨ ଗିରଫ

ବଡବିଲ, ୨୬।୮ : କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ବ୍ୟାପକ ଭାବରେ ନିଶା କ୍ୟାପସୁଲ ବିକ୍ରୟ ହୋଇଆସୁଥିବା ଅଭିଯୋଗ ହେବା ପରେ ବିଭିନ୍ନ ସ୍ଥାନରେ ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ କରିଛି । ଚଢ଼ାଉ ବେଳେ ଦୁଇଟି ଦୋକାନରୁ ୨୮ ହଜାର ୨ଶହ ୬୪ ନିଶା କ୍ୟାପସୁଲ ଜବତ୍ କରିଛି ସ୍ଵତନ୍ତ୍ର ସ୍କ୍ୱାର୍ଡ । ଏଥି ସହ ଏହି ବେଆଇନ କାରବାରରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯୋଡ଼ା କମ୍ପ୍ଲେକ୍ସ ରେ ଥିବା ଲେଡିଜ୍ କର୍ଣ୍ଣର ତଥା ଷ୍ଟେସନାରୀ ଦୋକାନୀ ଆର୍ କେ ବେଙ୍ଗଲ ଷ୍ଟୋର ମାଲିକ ଏମ୍ ଡି ହୁସେନ୍ ଏବଂ ଯୋଡ଼ା ମାର୍କେଟ ଅଞ୍ଚଳରେ ଥିବା ଆରୋଗ୍ୟ ମେଡିକେୟାର ଔଷଧ ଦୋକାନର ମାଲିକ ତାପସ କୁମାର ପ୍ରଧାନ ।
ଏମାନେ ବେଆଇନ ଭାବରେ ନିଶାଡ଼ିଙ୍କୁ କ୍ୟାପସୁଲ ବିକ୍ରୟ କରୁଥିବା ଯୋଡ଼ା ପୋଲିସ୍ ଜାଣିବାକୁ ପାଇଛି । ତାପସଙ୍କ ଔଷଧ ଦୋକାନ ପାଇଁ ଲାଇସେନ୍ସ ରହିଛି, ମାତ୍ର ଏତେ ପରିମାଣର ଏହି ଔଷଧ ସେ କେଉଁ ଠାରୁ ଆଣିଲେ ତା’ର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଖାଇ ପାରି ନଥିଲେ । ସେ ବେଆଇନ ଭାବରେ ଏହି କାରବାର କରୁଥିବା ଯୋଗୁଁ ତାଙ୍କର ଡ୍ରଗ ଲାଇସେନ୍ସ ରଦ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଡ୍ରଗ ଇନ୍ସପେକ୍ଟର କହିଛନ୍ତି । ବଡ଼ବିଲ ଏସଡିପିଓ, କେନ୍ଦୁଝର ଡ୍ରଗ୍ ଇନ୍ସପେକ୍ଟର ଓ ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା ଚମ୍ପୁଆ ତହସିଲଦାର ଏହି ଚଢ଼ାଉରେ ସାମିଲ ହୋଇଥିଲେ ।


