ଓଡିଶା

ବାଣୀବିହାରର ୨୦୪ କ୍ବାର୍ଟର୍ସରେ ଭୂତ ରହୁଛନ୍ତି

ଭୁବନେଶ୍ବର: କେଉଁ କୋଠାରୁ ପାଣି ଗଳୁଛି ତ ଆଉ କାହାର କାନ୍ଥରେ ଗଛ ଉଠିଗଲାଣି। ସ୍ଥାନେ ସ୍ଥାନେ ଇଟା ଖସିପଡ଼ୁଛି। କ୍ୟାମ୍ପସରେ ଗୋଟିଏ ପରେ ଗୋଟିଏ ନୂଆକୋଠା ସିନା ତିଆରି ହେଉଛି, ମାତ୍ର ପୁରୁଣା କୋଠା କଥା ପ୍ରଶାସନ ଭୁଲିଯାଇଛି। ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉ ନାହିଁ କି ମରାମତି ଦିଗରେ ଆନ୍ତରିକତା ପ୍ରକାଶ କରାଯାଉ ନାହିଁ।

ପରିଣାମ ସ୍ବରୂପ ରାଜ୍ୟ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ଉତ୍କଳ ବିଶ୍ବବିଦ୍ୟାଳୟର ଗୋଟିଏ ପରେ ଗୋଟିଏ କୋଠା ଏବେ ଭୂତକୋଠି ପାଲଟିଛି। ଗୋଟିଏ ପଟେ କ୍ୟାମ୍ପସରେ ରହିବାକୁ ଆବଶ୍ୟକ ସୁବିଧା ନଥିବାରୁ ପ୍ରଫେସରମାନେ ବାହାରେ ଘର ଭଡ଼ା ନେଇ ରହୁଛନ୍ତି, ଅନ୍ୟପଟେ କ୍ୟାମ୍ପସରେ ଥିବା ୨୦୪ଟି କ୍ବାର୍ଟର୍ସରେ ରହିବା ଉପଯୋଗୀ ନଥିବାରୁ ସେଗୁଡ଼ିକ ଏବେ ଭୂତକୋଠି ପାଲଟିଛି। ଖୋଦ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନରେ ପ୍ରଫେସରମାନଙ୍କ ରହିବା ପାଇଁ ୧୪୫ଟି ଏବଂ କର୍ମଚାରୀଙ୍କ ପାଇଁ ୪୬୫ଟି କ୍ବାର୍ଟର୍ସ ରହିଛି। ସେଥିମଧ୍ୟରୁ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ୯୨ଟି ଓ କର୍ମଚାରୀ(ସେକ୍ସନ ଅଫିସର/ସିନିଅର ଆସିଷ୍ଟାଣ୍ଟ/ଜୁନିଅର ଆସିଷ୍ଟାଣ୍ଟ/ପିଅନ)ଙ୍କୁ ୩୧୪ଟି କ୍ବାର୍ଟର ଆବଣ୍ଟିତ ହୋଇଛି। ଏହାବାଦ୍ ଆହୁରି ୨୦୪ଟି କ୍ବାର୍ଟର ଖାଲି ପଡ଼ିଛି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି କ୍ବାର୍ଟର୍ସଗୁଡ଼ିକ ରହିବା ଉପଯୋଗୀ ହୋଇ ନ ଥିବାରୁ କାହାକୁ ଆବଣ୍ଟନ କରାଯାଇ ନାହିଁ। ବରଂ ମରାମତି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ମାସରେ ବିଭାଗକୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି।

ସେପଟେ ଅଭିଯୋଗ ହୋଇଛି ଯେ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ କ୍ୟାମ୍ପସରେ ଥିବା ଅନେକ କ୍ବାର୍ଟର୍ସ ଏବେ ଭଡ଼ାରେ ଲାଗିଛି। ବିଶ୍ବବିଦ୍ୟାଳୟରେ ଚାକିରି କରି ନିଜେ କ୍ୟାମ୍ପସ ବାହାରେ ରହୁଥିବା ବେଳେ କ୍ବାର୍ଟର୍ସକୁ ଅଟୋଚାଳକ, ଦିନ ମଜୁରିଆ, ଉଠାଦୋକାନୀଙ୍କୁ ଭଡ଼ାରେ ଦେଇଛନ୍ତି। ଆଉ କେତେଜଣ କ୍ବାର୍ଟର୍ସକୁ ଲାଗି ବେଆଇନ ଘର ନିର୍ମାଣ କରି ତାହାକୁ ଭଡ଼ାଦେଇ ଟଙ୍କା ରୋଜଗାର କରୁଛନ୍ତି। ଯେଉଁମାନେ କ୍ୟାମ୍ପସରେ ଭଡ଼ାରେ ରହୁଛନ୍ତି, ସେମାନେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେମାନଙ୍କ ଉପରେ କର୍ତ୍ତୃପକ୍ଷଙ୍କର ନିୟନ୍ତ୍ରଣ ରହୁନି। ବାହାର ଲୋକେ କ୍ୟାମ୍ପସରେ ରହିବା ଦ୍ବାରା ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଛି। ଛାତ୍ରଛାତ୍ରୀ ମଧ୍ୟ ନିଶା କବଳରେ ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ପୁଲିସ ବି ନିରବଦ୍ରଷ୍ଟା ସାଜିଛି। ତେଣୁ ଭଡ଼ା ଲାଗିଥିବା କ୍ବାର୍ଟର୍ସଗୁଡ଼ିକୁ ଚିହ୍ନଟ କରି ଭଡ଼ାଟିଆଙ୍କୁ ବାହାର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

୨୦୧୯ରେ ତତ୍କାଳୀନ ଉଚ୍ଚଶିକ୍ଷା ସଚିବ ଶାଶ୍ବତ୍ ମିଶ୍ର ଉତ୍କଳ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ପୁରୁଣା କୋଠା ସଜାଡ଼ିବାକୁ କହିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ପ୍ରଥମେ ପୁରୁଣା କୋଠା ମରାମତି କର। ତା’ପରେ ନୂତନ କୋଠା ନିର୍ମାଣ କରିବ। ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥରେ ନୂତନ କୋଠା ନିର୍ମାଣ କରାଯିବା ଦ୍ବାରା ବିଶ୍ବବିଦ୍ୟାଳୟରେ ପୂର୍ବରୁ ଥିବା ଅଫିସ୍ କାର୍ଯ୍ୟାଳୟ, ବିଭିନ୍ନ ବିଭାଗ କୋଠା, ଶ୍ରେଣୀଗୃହ, ଲାବୋରେଟାରି, ପ୍ରେକ୍ଷାଳୟ, ଶୌଚାଳୟ, ହଷ୍ଟେଲ, ଷ୍ଟାଫ୍ କ୍ବାର୍ଟର୍ସଗୁଡ଼ିକ ମରାମତି କରାଯାଉ ନାହିଁ। ଏହାଦ୍ବାରା କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ୫ବର୍ଷ ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିପାରି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button