କ୍ଷୁଦ୍ର ପରମାଣୁ ରିଆକ୍ଟରର ଆବଶ୍ୟକତା

ଜାଗତିକ ଉଷ୍ଣତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ କରିବା ପାଇଁ ଚାପ ପଡୁଛି। ଅନେକ ଦେଶ ୨୦୫୦ ମସିହା ସୁଦ୍ଧା ଶୂନକାର୍ବନ ଉତ୍ସର୍ଜନ ପାଇଁ ଘୋଷଣା କରିଛନ୍ତି। ଭାରତ ଏଥିପାଇଁ ୨୦୭୦ ମସିହାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିକଳ୍ପ ଭାବେ ସୌର ଶକ୍ତି ଓ ପବନ ଶକ୍ତି ଭଳି ପୁନଃନବୀକରଣକ୍ଷମ ଶକ୍ତି ଉତ୍ସକୁ ଗୁରୁତ୍ୱ ଦିଆଯାଉଛି।
କିନ୍ତୁ ସୌର ଶକ୍ତି ଓ ପବନ ଶକ୍ତିର ଅସୁବିଧା ହେଉଛି ଯେ ଏହା ସର୍ବଦା ଉପଲବ୍ଧ ହୋଇ ନଥାଏ ଏବଂ ଏଥିରୁ ଉତ୍ପାଦିତ ବିଦ୍ୟୁତ୍ ଶକ୍ତିକୁ ସଞ୍ଚୟ କରି ରଖିବାର ପ୍ରଯୁକ୍ତିବିଦ୍ୟା ବିଶେଷ ଭାବେ ଅଗ୍ରଗତି କରିନାହିଁ।
ତେଣୁ ଅକ୍ଷୟ ଶକ୍ତିର ଏକ ବିକଳ୍ପ ହେଉଛି ପରମାଣୁ ଶକ୍ତି। ପରମାଣୁ ଶକ୍ତି ହେଉଛି ଏକ ପ୍ରଦୂଷଣବିହୀନ ଶକ୍ତି ଉତ୍ସ। ଏଥିରୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ନିର୍ଗତ ହୁଏ ନାହିଁ। ୟୁରାନିୟମ ପରମାଣୁର ବିଭାଜନ ଦ୍ୱାରା ଉତ୍ପନ୍ନ ତାପ ଶକ୍ତିକୁ ବ୍ୟବହାର କରି ଜଳକୁ ବାଷ୍ପରେ ପରିଣତ କରାଯାଏ ଏବଂ ବାଷ୍ପ ସାହାଯ୍ୟରେ ବିଦ୍ୟୁତ୍ କେନ୍ଦ୍ରର ଟରବାଇନ୍ ଓ ଜେନେରେଟରକୁ ଘୂରାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ। ବିଶେଷ ଭାବେ ନିର୍ମିତ ପରମାଣୁ ରିଆକ୍ଟରରେ ପରମାଣୁ ବିଭାଜନ କରାଯାଇଥାଏ। ବର୍ତ୍ତମାନ ପୃଥିବୀର ୩୩ଟି ଦେଶରେ ୪୪୦ଟି ପରମାଣୁ ରିଆକ୍ଟର କାର୍ଯ୍ୟ କରୁଛି। ଏଗୁଡ଼ିକର ମିଳିତ ପ୍ରତିଷ୍ଠିତ କ୍ଷମତା ହେଉଛି ୩୯୦ ଗିଗାୱାଟ୍। ୨୦୨୩ ମସିହାରେ ଏହିସବୁ ୟୁନିଟ୍ରୁ ମୋଟ ୨୬୦୨ ବିଲିୟନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଥିଲେ ମଧ୍ୟ ପୃଥିବୀରେ ଉତ୍ପାଦିତ ମୋଟ୍ ବିଦ୍ୟୁତର ମାତ୍ର ୯ ପ୍ରତିଶତ ଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୯୬ଟି ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ଥିବା ବେଳେ ଏଗୁଡ଼ିକର ମିଳିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହେଉଛି ୯୭୫୬୫ ମେଗାୱାଟ୍। କେତେକ ଦେଶରେ ପରମାଣୁ ବିଦ୍ୟୁତ୍ ହେଉଛି ମୁଖ୍ୟ ଶକ୍ତି ଉତ୍ସ। ଉଦାହରଣ ସ୍ୱରୂପ ଫ୍ରାନ୍ସରେ ୬୨ ପ୍ରତିଶତ ଓସ୍ଲୋଭାକିଆରେ ୫୯ ପ୍ରତିଶତ ବିଦ୍ୟୁତ୍ ପରମାଣୁରୁ ଉତ୍ପାଦିତ ହେଉଛି।
ସାଧାରଣତଃ ଗୋଟିଏ ପରମାଣୁ ରିଆକ୍ଟରର କ୍ଷମତା ୧୦୦୦ରୁ ୨୦୦୦ ମେଗାୱାଟ୍। ଏଭଳି ବୃହତ୍ ରିଆକ୍ଟର ନିର୍ମାଣର ଖର୍ଚ୍ଚ ଓ ସମୟ ଅଧିକ ହୋଇଥାଏ। ପୁନଶ୍ଚ ଗୋଟିଏ ରିଆକ୍ଟର ବନ୍ଦ ହେଲେ ଏହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଅନେକ ଦିନ ଲାଗିଥାଏ। ଏହା ବିଦ୍ୟୁତ୍ ଗ୍ରୀଡ୍କୁ ପ୍ରଭାବିତ କରିଥାଏ। ଏଣୁ ଅନେକ ଦେଶରେ ବର୍ତ୍ତମାନ କ୍ଷୁଦ୍ର ପରମାଣୁ ରିଆକ୍ଟର ନିର୍ମାଣ କରାଯାଉଛି। ଏହାର ଗୋଟିଏ ସୁବିଧା ହେଉଛି ଯେ ଏହାକୁ ଅଳ୍ପ ସମୟରେ ଓ କମ୍ ଖର୍ଚ୍ଚରେ ନିର୍ମାଣ କରାଯାଇପାରିବ। ପୁନଶ୍ଚ ଏହାକୁ ଯେ କୌଣସି ସ୍ଥାନରେ ସ୍ଥାପନ କରାଯାଇପାରିବ। ଏଣୁ ଅଧିକ ବିଦ୍ୟୁତ୍ ଆବଶ୍ୟକ ହେଉଥିବା ସ୍ଥାନରେ ଏହାକୁ ପ୍ରତିଷ୍ଠା କଲେ ବିଦ୍ୟୁତ୍ ପରିବହନଜନିତ କ୍ଷତି କମିଯିବ ଏବଂ ସଞ୍ଚାରଣ ପଦ୍ଧତିର ଖର୍ଚ୍ଚ ମଧ୍ୟ ହ୍ରାସ ହେବ।
ଭାରତ ଏବେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ୨୦୩୦ ମସିହା ସୁଦ୍ଧା ଅଣଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏହା ଘୋଷଣା କରିଛି। ଏହିଦୃଷ୍ଟିରୁ ଭାରତରେ ବର୍ତ୍ତମାନ ପରମାଣୁ ବିଦ୍ୟୁତ୍ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଆମ ଦେଶରେ ୨୪ଟି ପରମାଣୁ ରିଆକ୍ଟର କାର୍ଯ୍ୟ କରୁଥିବା ବେଳେ ଏଗୁଡ଼ିକର ମିଳିତ କ୍ଷମତା ହେଉଛି ୮୧୮୦ ମେଗାୱାଟ୍। ୬୮୦୦ ମେଗାୱାଟ୍ ମୋଟ୍ କ୍ଷମତାର ୮ ରିଆକ୍ଟର ନିର୍ମାଣାଧୀନ ଅଛି। ଏହା କାର୍ଯ୍ୟକ୍ଷମ ହେଲେ ୨୦୩୧ ମସିହା ସୁଦ୍ଧା ଭାରତର ମୋଟ୍ ପରମାଣୁ ବିଦ୍ୟୁତ୍ କ୍ଷମତାକୁ ୨୧୯୮୦ ମେଗାୱାଟ୍କୁ ବୃଦ୍ଧି କରାଯାଇପାରିବ।
୨୦୨୪-୨୫ କେନ୍ଦ୍ର ବଜେଟ୍ ଅଭିଭାଷଣରେ ଦେଶରେ କ୍ଷୁଦ୍ର ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ କେତେକ ଦେଶରେ ମଧ୍ୟ ଏହିପରି ଯୋଜନା ଚାଲିଛି। ଆକାର ଦୃଷ୍ଟିରୁ ପରମାଣୁ ରିଆକ୍ଟରଗୁଡ଼ିକୁ ଚାରିଟି ଶ୍ରେଣୀରେ ବିଭକ୍ତ କରାଯାଏ। ୧୦ ମେଗାୱାଟ୍ କ୍ଷମତା ପର୍ଯ୍ୟନ୍ତ ରିଆକ୍ଟରକୁ ଅତିକ୍ଷୁଦ୍ର ରିଆକ୍ଟର, ୩୦୦ ମେଗାୱାଟ୍ ପର୍ଯ୍ୟନ୍ତ ରିଆକ୍ଟରକୁ କ୍ଷୁଦ୍ର ରିଆକ୍ଟର, ୭୦୦ ମେଗାୱାଟ୍ ପର୍ଯ୍ୟନ୍ତ ରିଆକ୍ଟରକୁ ମଧ୍ୟମ ରିଆକ୍ଟର ଏବଂ ଏହାଠାରୁ ବଡ଼ ରିଆକ୍ଟରକୁ ବୃହତ୍ ରିଆକ୍ଟର କୁହାଯାଏ।
ଭାରତରେ ୨୨୦ ମେଗାୱାଟ୍ କ୍ଷମତାର ୧୬ଟି ରିଆକ୍ଟର ବର୍ତ୍ତମାନ କାର୍ଯ୍ୟ କରୁଛି। ଏଣୁ ଭାରତର ଏଥିରେ ଯଥେଷ୍ଟ ଅଭିଜ୍ଞତା ଅଛି। ଭାରତ ନିର୍ମାଣ କରିବାକୁ ଯାଉଥିବା କ୍ଷୁଦ୍ର ରିଆକ୍ଟରଗୁଡ଼ିକ ମଡ୍ୟୁଲାର ଶ୍ରେଣୀର ହେବ। ଏହି ପ୍ରକାର ରିଆକ୍ଟରଗୁଡ଼ିକ କାରଖାନାରେ ଆସେମ୍ବ୍ଲି ଓ ପରୀକ୍ଷଣ ହେବ ଏବଂ ତା’ପରେ ଏହାକୁ ଆଣି ଇଚ୍ଛିତ ସ୍ଥାନରେ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ନିର୍ମାଣ ସମୟ ହ୍ରାସ ପାଇବ। ଅର୍ଥମନ୍ତ୍ରୀ ଏହି ରିଆକ୍ଟରକୁ ‘ଭାରତ କ୍ଷୁଦ୍ର ରିଆକ୍ଟର’ ନାମ ଦେଇଛନ୍ତି।
ଏ ପର୍ଯ୍ୟନ୍ତ ଦେଶର ସମସ୍ତ ପରମାଣୁ ରିଆକ୍ଟର ସରକାରଙ୍କ ନିୟନ୍ତ୍ରଣାଧୀନ ଅଛି। ମାତ୍ର ‘ଭାରତ କ୍ଷୁଦ୍ର ରିଆକ୍ଟର’ ଯୋଜନାରେ ବେସରକାରୀ ଶିଳ୍ପ ସଂସ୍ଥାକୁ ମଧ୍ୟ ସାମିଲ କରିବାକୁ ପ୍ରସ୍ତାବ ଅଛି। ବଡ଼ ବଡ଼ ଶିଳ୍ପଗୁଡ଼ିକରେ ନିଜସ୍ୱ ବ୍ୟବହାର ପାଇଁ ତାପଜ ବିଦ୍ୟୁତ୍ କେନ୍ଦ୍ର ଅଛି। ସେହିପରି ଏହି ଶିଳ୍ପଗୁଡ଼ିକ ନିଜସ୍ୱ ବ୍ୟବହାର ପାଇଁ ମଧ୍ୟ କ୍ଷୁଦ୍ର ପରମାଣୁ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କରିପାରିବେ। ସରକାରଙ୍କର ପରମାଣୁ ଶକ୍ତି ସଂକ୍ରାନ୍ତୀୟ ନୂତନ ନୀତି ଏହି କ୍ଷେତ୍ରକୁ ଅଧିକ ପୁଞ୍ଜି ଆଣିବ ଏବଂ ଏହାର ଅଧିକ ବିକାଶ କରିବ। ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ଏହି କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟରର ବିକାଶ ଓ ନିର୍ମାଣ ଚାଲିଛି।