ଜେମ୍ସ ସୋ’ ରୁମ୍ରେ ଡିଆର୍ଆଇ ଚଢ଼ଉ: ଯାଞ୍ଚ ପାଇଁ କୋଲକାତା ଯିବ

ଭୁବନେଶ୍ବର: ଦୁମୂର୍ଲ୍ୟ କସ୍ତୂରୀ ସହିତ ବିଭିନ୍ନ ବିରଳ ବନ୍ୟପ୍ରାଣୀଙ୍କ ଅଙ୍ଗ ବିକ୍ରି ହେଉଥିବା ଖବର ପାଇ ଗତକାଲି ରାତିରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ଡିଆର୍ଆଇ) ସହିଦନଗରସ୍ଥିତ ଏକ ଜେମ୍ସ ସୋ’ ରୁମ୍ରେ ଚଢ଼ଉ କରିଥିଲା। ଜେମ୍ସ କାରବାର ନାଁରେ ଏସବୁ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିଲା। ଡିଆର୍ଆଇର ଏକ ୧୨ଜଣିଆ ଟିମ୍ ଏହି ଚଢ଼ଉ କରି ବିପୁଳ ପରିମାଣର ସନ୍ଦେହଜନକ ସାମଗ୍ରୀ ଜବତ କରିଛନ୍ତି।
ଜବତ ସାମଗ୍ରୀଗୁଡ଼ିକ କୋଲକାତା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆକୁ ଯାଞ୍ଚ କରିବା ଲାଗି ପଠାଯାଇଛି। ବନ ବିଭାଗ ଜରିଆରେ ଏସବୁ ଜବତ ସାମଗ୍ରୀ କୋଲକାତା ପଠାଯାଇଛି। ଅସଲ ବନ୍ୟପ୍ରାଣୀଙ୍କ ଅଙ୍ଗ ବୋଲି ପ୍ରମାଣ ମିଳିବା ପରେ ଜେମ୍ସ ଦୋକାନୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରସ୍ତୁତ ସାମଗ୍ରୀ ମିଳିଲା
ଯାଞ୍ଚ ପାଇଁ କୋଲକାତା ଯିବ
ଏହି ଚଢ଼ଉ ବେଳେ ସୋ’ ରୁମ୍ରୁ ରକ୍ତଚନ୍ଦନ, ଗୋଧିଗୁପ୍ତାଙ୍ଗରୁ ପ୍ରସ୍ତୁତ ହାତୀଯୋଡ଼ି, ବଜ୍ରକାପ୍ତା କାତିରୁ ପ୍ରସ୍ତୁତ ରିଙ୍ଗ୍, କସ୍ତୂରୀ, ବିଭିନ୍ନ ବିରଳ କଉଡ଼ି ଆଦି ବହୁପ୍ରକାରର ସାମଗ୍ରୀ ମିଳିଛି। କିନ୍ତୁ ଜବତ ସାମଗ୍ରୀଗୁଡ଼ିକରେ ରଙ୍ଗ ପ୍ରଲେପ ଦିଆଯାଇଛି। ଏସବୁ ଜବତ ସାମଗ୍ରୀ ଅସଲି କି ନକଲି ସ୍ପଷ୍ଟ ହୋଇନଥିଲେ ହେଁ ଶିକାର ନିଷିଦ୍ଧ ବନ୍ୟପ୍ରାଣୀଙ୍କ ଅଙ୍ଗ ବୋଲି ସନ୍ଦେହ କରାଯାଉଛି। ଏସବୁ ସାମଗ୍ରୀର ବଜାର ମୂଲ୍ୟ ବହୁତ ଅଧିକ। ବନ୍ୟପ୍ରାଣୀ ଆଇନ ୧୯୭୨ର ଧାରା ୧, ୨, ୩ ଓ ୪ ଅନୁସାରେ ଏହା ବେଆଇନ। ବିରଳ ବନ୍ୟପ୍ରାଣୀ ଆଇନ ଅନୁସାରେ ଏହାକୁ ଚୋରା କାରବାର ଭାବେ ଅଭିହିତ କରାଯିବ। ଏସବୁ ସାମଗ୍ରୀ ରାଜସ୍ଥାନ, ଝାଡ଼ଖଣ୍ଡ ଓ ଦିଲ୍ଲୀରୁ ସଂଗ୍ରହ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଜେମ୍ସ ସୋ’ ରୁମ୍ ମାଲିକ ଏହା ବେଆଇନ ନୁହେଁ ବୋଲି କହିଛନ୍ତି। ତାଙ୍କ ବ୍ୟବସାୟ ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ କରୁନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଡିଆର୍ଆଇ ଏସବୁ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରିଛି।