ଖାଦ୍ୟ ଦର ଏବେ ତାପମାତ୍ରା ନିର୍ଭରଶୀଳ

ଆମ ଦେଶରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୫୦ ଡିଗ୍ରି ସେଲସିଅସ୍ ଛୁଇଁବା ଘଟଣା ଦୈନନ୍ଦିନ ଜୀବନଯାତ୍ରାକୁ ଦୁର୍ବିଷହ କରିଦେଇଥାଏ। ଏହି ବର୍ଦ୍ଧିତ ତାପମାତ୍ରାର ଆଉ ଏକ କୁପରିଣତି ବିଷୟରେ ଜାଣିବାକୁ ମିଳିଛି। ପୂର୍ବରୁ ବୃଷ୍ଟିପାତ ହିଁ ଖାଦ୍ୟସାମଗ୍ରୀର ଦରବୃଦ୍ଧି ପାଇଁ ଦାୟୀ ବୋଲି ଜଣାଥିବା ବେଳେ ଏବେ ତାପମାତ୍ରାର ପ୍ରଭାବ ତାହାକୁ ଟପିଯାଇଛି ବୋଲି ଏଚ୍ଏସ୍ବିଏସ୍ ବ୍ୟାଙ୍କର ଗବେଷଣାରୁ ସ୍ପଷ୍ଟ ହୋଇଛି।
‘ଇଣ୍ଡିଆ: ଫିଲିଂ ଦି ହିଟ୍’ ନାମକ ଏହି ଅନୁଧ୍ୟାନ ଅନୁଯାୟୀ, ବିଗତ ଦଶକର ତାପମାତ୍ରା ବୃଦ୍ଧି ସହ ଭାରତୀୟ ଖାଦ୍ୟ ଦରବୃଦ୍ଧିର ସମ୍ପର୍କ ରହିଛି। ପଚନଶୀଳ ଫସଲ ଠାରୁ ଆରମ୍ଭ କରି ଦୀର୍ଘସ୍ଥାୟୀ ଫସଲ ଓ ପ୍ରାଣୀ ପୁଷ୍ଟିସାର ଉତ୍ସ ଆଦିକୁ ତର୍ଜମା କରି ଏହି ନିର୍ଯାସ ମିଳିଛି। ଏ ପରିପ୍ରେକ୍ଷୀରେ ତାପମାତ୍ରାର ପ୍ରାଧାନ୍ୟ ବଢ଼ିଥିବା ବେଳେ ଖାଦ୍ୟ ଦରବୃଦ୍ଧି ନିର୍ଣ୍ଣୟ କରିବାରେ ବୃଷ୍ଟିପାତ ଓ ଜଳଭଣ୍ଡାର ଜଳସ୍ତର ଭଳି କାରକର ଭୂମିକା ନଗଣ୍ୟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ସାଧାରଣତଃ ଜଳଭଣ୍ଡାରର ଜଳସ୍ତରରେ ପରିବର୍ତ୍ତନ, ସର୍ବନିମ୍ନ ସହାୟକ ମୂଲ୍ୟ ଓ ସରକାରୀ ଖାଦ୍ୟ ପରିଚାଳନା ପରି ଉପାଦାନଗୁଡ଼ିକ ଖାଦ୍ୟ ଦରବୃଦ୍ଧିକୁ ଐତିହାସିକ ଭାବରେ ପ୍ରଭାବିତ କରି ଆସିଛି। ତେବେ ଏଥିରେ ତାପମାତ୍ରା ବୃଦ୍ଧିର ଭୂମିକାକୁ ସାମିଲ କରିବା ପରେ ଜଳଭଣ୍ଡାର ସ୍ତରର ପ୍ରଭାବ ଗୌଣ ହୋଇଯାଇଛି। ବୃଷ୍ଟିପାତ କମିଗଲେ ବି ଜଳସେଚନ ଦ୍ବାରା ତାହାର ଭରଣା ସମ୍ଭବ ହୋଇଥିବା ବେଳେ, ତାପମାତ୍ରା ବୃଦ୍ଧିଜନିତ କ୍ଷତିରୁ କୃଷିକ୍ଷେତ୍ରକୁ ସୁରକ୍ଷା ଦେବାର କୌଣସି ଉପାୟ ନାହିଁ। ଦେଶରେ ଫଳ ଓ ପନିପରିବା ପରି ପଚନଶୀଳ ଉତ୍ପାଦର ମୂଲ୍ୟ ଓ ତାପମାତ୍ରା ମଧ୍ୟରେ ସମ୍ପର୍କର ହାର ୨୦୧୪ରେ ମାତ୍ର ୨୦% ଥିବାବେଳେ ଏ ବର୍ଷ ତାହା ୬୦%କୁ ବୃଦ୍ଧି ପାଇଛି।