କ୍ରୀଡା

ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌: ହରମନପ୍ରୀତଙ୍କ ହ୍ୟାଟ୍ରିକ୍, ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଉରକେଲା: କ୍ୟାପଟେନ ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ରବିବାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗର ଏକ ରୋମାଞ୍ଚକ ମ୍ୟାଚରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଥିଲା ।

ହରମନପ୍ରୀତ ତାଙ୍କ ଫର୍ମ ଫେରିପାଇବା ସହ ଆଜି ଗୋଲ୍ ବର୍ଷା କରିଥିଲେ । ସେ ୧୩ତମ, ୧୪ତମ ଓ ୧୫ତମ ମିନିଟରେ ଗୋଲ୍ ଦେଇଥିଲେ । ଅଷ୍ଟ୍ରେଲିଆ ମ୍ୟାଚର ଦ୍ୱିତୀୟ ମିନିଟରେ ହିଁ ଅଗ୍ରଣୀ ହାସଲ କରିଥିଲା । ହେଲେ ହରମନପ୍ରୀତଙ୍କ ଯାଦୁକରୀ ପ୍ରଦର୍ଶନ ସହାୟତାରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା ।

ମ୍ୟାଚର ୧୭ତମ ମିନିଟରେ ଯୁଗରାଜ ସିଂ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିବା ବେଳେ ଭାରତର ଅଗ୍ରଣୀ ୩-୧କୁ ବୃଦ୍ଧି ପାଇଥିଲା । ପରେ ସେଲଭମ କାର୍ତ୍ତି ଭାରତ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ ।

ହେଲେ ଅଷ୍ଟ୍ରେଲିଆ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲା । କାଏ ୱିଲିୟଟ୍ ୪୨ତମ ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିବା ବେଳେ ଚତୁର୍ଥ ମିନିଟରେ କଙ୍ଗାରୁ ଦଳ ଆଉ ଦୁଇଟି ଗୋଲ୍ ଦେଇ ସ୍କୋରକୁ ବରାବର କରିଦେଇଥିଲା । ଦଳ ପକ୍ଷରୁ ବେନ୍ ଷ୍ଟେନ୍ସ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ । ହେଲେ ୫୫ତମ ମିନିଟରେ ହରମନପ୍ରୀତଙ୍କ ତୃତୀୟ ଗୋଲ୍ ଯୋଗୁଁ ଭାରତର ଅଗ୍ରଣୀ ୫-୩ ହୋଇଥିଲା । ତା’ ପରବର୍ତ୍ତୀ ମିନିଟରେ ଅଷ୍ଟ୍ରେଲୀୟ ଆଉ ଏକ ଗୋଲ୍ ଦେଇ ମ୍ୟାଚକୁ ଫେରିବା ପାଇଁ ବାଟ ଖୋଲିଥିଲା । ହେଲେ ଭାରତ ଅଗ୍ରଣୀ ବଜାୟ ରଖି ବିଜୟ ନିଶ୍ଚିତ କରିଥିଲା । ଭାରତ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ସୋମବାର ଜର୍ମାନୀକୁ ଭେଟିବାକୁ ଥିବାବେଳେ ବୁଧବାର ପୁଣି ଅଷ୍ଟ୍ରେଲିଆକୁ ସାମ୍ନା କରିବ ।

ଜାନୁୟାରୀରେ ଅନୁଷ୍ଠିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭାରତ କ୍ରସ୍ ଓଭରରେ ହାରି କ୍ୱାର୍ଟରରୁ ବଞ୍ଚିତ ହୋଇଥିଲା । ଚଳିତ ଏଫଆଇଏଚ୍ ପ୍ରୋ ଲିଗରେ ଅଷ୍ଟ୍ରେଲିଆ ଏକ ଦ୍ୱିତୀୟ ଶ୍ରେଣୀ ଦଳ ନେଇ ଖେଳୁଛି । ବିଶ୍ୱକପରେ ଖେଳିଥିବା ଦଳର ଅନେକ ଖେଳାଳି ପ୍ରୋ ଲିଗର ଅଂଶ ନୁହଁନ୍ତି । ଅଷ୍ଟ୍ରେଲିଆ ଦଳର ୨୦ ଖେଳାଳିଙ୍କ ମଧ୍ୟରୁ ୮ ଜଣ ଖେଳାଳି ୧୦ରୁ କମ୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଭାରତର ମଧ୍ୟ ବିଶ୍ୱକପରେ ଖେଳିଥିବା ୮ ଜଣ ଖେଳାଳି ଏହି ପ୍ରୋ ଲିଗରେ ଖେଳୁନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button