ଡାକ୍ତରଖାନା ବିଲ୍ ପଇଠ କରିବାକୁ ପୁଅକୁ ବିକିଲା ବାପା

ସମାଜ ଡିଜିଟାଲ ଡେସ୍କ: ଜୀବନ ଚାଲିଯାଉ ପଛେ ବାପା-ମାଆ ନିଜର ଶିଶୁ ସନ୍ତାନକୁ ଛାଡ଼ନ୍ତି ନାହିଁଟ୍ଟ ମାତ୍ର ଏହାର ବ୍ୟତିକ୍ରମ ଘଟିଛି ଉତ୍ତର ପ୍ରଦେଶର କୁଶିନଗରଠାରେ। ଡାକ୍ତରଖାନା ଦେୟ ପ୍ରଦାନ ସହ ନବଜାତ ଶିଶୁ ଓ ପତ୍ନୀଙ୍କୁ ସେଠାରୁ ଘରକୁ ନେବା ପାଇଁ ଅର୍ଥ ନଥିବାରୁ ୩ ବର୍ଷର ପୁଅକୁ ବାପା ବିକି ଦେଇଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ପୁଲିସ ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛି।
ଏଥିସହ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରି ବାପା-ମାଆଙ୍କୁ ଫେରାଇ ଦେଇଛି।
କୁଶିନଗର ଅଞ୍ଚଳର ବାରୱାପଟି ନିବାସୀ ହରିଶ ପଟେଲ ତାଙ୍କ ପତ୍ନୀଙ୍କ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଶୁକ୍ରବାର ଡାକ୍ତରଖାନାରୁ ଛାଡ଼ ପାଇବାବେଳେ ଏହାର ସମସ୍ତ ଦେୟ ପୈଠ କରିବାରେ ସେ ଅସମର୍ଥ ହୋଇଥିଲେ। ଦେୟ ପୈଠ ନକଲେ ମା’ ଓ ନବଜାତ ଶିଶୁକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଛାଡ଼ିବା ପାଇଁ ଅମଙ୍ଗ ହୋଇଥିଲେ।
ଶେଷରେ ହରିଶ କିଛି ହଜାର ଟଙ୍କା ପାଇଁ ଏକ ଜାଲ୍ ପୋଷ୍ୟ ସନ୍ତାନ କାଗଜପତ୍ର ସାହାଯ୍ୟରେ ଜନୈକ ବ୍ୟକ୍ତିଙ୍କୁ ନିଜର ତିନି ବର୍ଷର ପୁଅକୁ ବିକ୍ରୟ କରିବାକୁ ରାଜି ହୋଇଥିଲେ। ପୁଲିସ ଏହି ଖବର ପାଇ ଘଟଣାର ଯାଞ୍ଚ କରିବା ସହ ଶନିବାର ଶିଶୁକୁ ଉଦ୍ଧାର କରିଛି। ଶିଶୁକୁ ନେଇଥିବା ଦମ୍ପତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରେ ମଧ୍ୟସ୍ଥ ଅମେରଶ ଯାଦବ, ଦମ୍ପତି ଭୋଲା ଯାଦବ ଏବଂ ପଳାବତୀ, ନକଲି ଡାକ୍ତର ତାରା କୁଶୱା ଏବଂ ଜଣେ ସହାୟକ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାପ୍ୟ ନପାଇଲେ ଅନେକ ଘରୋଇ ଡାକ୍ତରଖାନା ରୋଗୀ କିମ୍ବା ମୃତଦେହ ଛାଡ଼ୁନଥିବା ସମ୍ପର୍କରେ ସଂଖ୍ୟାଧିକ ଅଭିଯୋଗ ରହିଛି। ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ସରକାର ସ୍ବତନ୍ତ୍ର ଆଇନ ଆଣିବା ସହ ଏହା ଉପରେକ ଯକଣା ଜାରି କରିଛନ୍ତି। ଅପରପକ୍ଷରେ ଆର୍ଥିକ ଅନଟନ କାରଣରୁ କିଛି ବାପା-ମାଆ ନିଜ ଶିଶୁଙ୍କୁ ବିକ୍ରି କରୁଥିବାର ମଧ୍ୟ ଅନେକ ଦୃଷ୍ଟାନ୍ତ ରହିଛି। ନିକଟରେ ଓଡ଼ିଶାର କଟକ ଜିଲା ନିଆଳିରେ ମାଆର ଶୁଦ୍ଧିକ୍ରିୟା ପାଇଁ ଜଣେ ବ୍ୟକ୍ତି ୫ ହଜାର ଟଙ୍କାରେ ନିଜ ଅଢ଼େଇ ବର୍ଷର ପୁଅକୁ ବିକ୍ରିକରି ଦେଇଥିଲା। ଗତ ବର୍ଷ ଜୁଲାଇରେ ବଲାଙ୍ଗିର ଜିଲା ଟିଟିଲାଗଡ଼ ଅଞ୍ଚଳରେ ଏହିଭଳି ଘଟଣା ଘଟିଥିଲା। ମା’ ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲା।