କ୍ରୀଡା

ପ୍ରଥମ ଭାରତ ଗସ୍ତକୁ ନେଇ ଚିନ୍ତିତ ନୁହନ୍ତି ବାବର – Utkal Mail


ଶ୍ରୀଲଙ୍କା ବିଶ୍ବକପ୍‌ ଦଳରେ ହସରଙ୍ଗା, ଚାମିରା ନାହାନ୍ତି

କରାଚି: ପାକିସ୍ତାନ କ୍ରିକେଟ୍‌ ଦଳର ଅଧିକାଂଶ ସଦସ୍ୟ ଭାରତରେ କ୍ରିକେଟ୍‌ ଖେଳିନାହାନ୍ତି। ତଥାପି ବିଶ୍ବକପ୍‌ ପୂର୍ବରୁ ଭାରତର ପରିବେଶ ଓ ଷ୍ଟାଡିୟମ୍‌ସ୍ଥିତି ବିଷୟରେ ଭଲଭାବେ ଗବେଷଣା କରାଯାଇଛି। ଭାରତର ଅପରିଚିତ ‌ପରିବେଶ କେବେବି ପାକିସ୍ତାନ ପାଇଁ ଚିନ୍ତାଜନକ ହେବ ନାହିଁ ବୋଲି ଅଧିନାୟକ ବାବର ଅଜମ୍‌ କହିଛନ୍ତି। ପାକିସ୍ତାନର ଖେଳାଳିଙ୍କ ମଧ୍ୟରୁ କେବଳ ମହମ୍ମଦ ନୱାଜ୍‌ ଓ ଅଘା ସଲମାନ୍‌ ଭାରତରେ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବାକୁ ଆସିଥିଲେ। ହେଲେ ଆହତ ଯୋଗୁଁ ବାବର ଉକ୍ତ ବିଶ୍ବକପ୍‌ରେ ଖେଳିବାକୁ ଆସିପାରିନଥିଲେ। ତଥାପି ପାକିସ୍ତାନୀ ଖେଳାଳିମାନେ ଭାରତରେ ଖେଳିନଥିଲେ ମଧ୍ୟ ଏଥିପାଇଁ କେହି ଚାପରେ ନାହାନ୍ତି। ଭାରତର ପରିବେଶ ଏସିଆର ଅନ୍ୟ ସ୍ଥାନମାନଙ୍କର ପରିବେଶ ସହିତ ପ୍ରାୟତଃ ସମାନ। ତେଣୁ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ବାବର କହିଛନ୍ତି।

ଏଥର ପାକିସ୍ତାନ ଦଳର ନେତୃତ୍ବ ନେଇ ଭାରତ ଆସୁଥିବାରୁ ବାବର ନିଜକୁ ଗର୍ବିତ ମନେ କରିଛନ୍ତି। ତେଣୁ ଫେରିବା ବେଳେ ବିଶ୍ବକପ୍‌ ଟ୍ରଫି ‌ସାଙ୍ଗରେ ନେଇ ପାକିସ୍ତାନ ଫେରିବାକୁ ସେ ଆଶାବାଦୀ ଅଛନ୍ତି। ବାବର ଏବେ ବିଶ୍ବର ୧ ନମ୍ବର ବ୍ୟାଟର ମାନ୍ୟତା ପାଇଛନ୍ତି। ତେଣୁ ବିଶ୍ବକପ୍‌ରେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ପ୍ରଚୁର ରନ୍‌ ଦେଖିବାକୁ ମିଳିପାରେ। ତଥାପି ଭାରତ ବିପକ୍ଷ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌କୁ ସେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି। ଅହମଦାବାଦର ଦର୍ଶକଙ୍କ ଆଗରେ ଖେଳିବାକୁ ସେ ଉତ୍ସାହିତ ଅଛନ୍ତି। ଯେକୌଣସି ଗସ୍ତ ପୂର୍ବରୁ ପ୍ରତିପକ୍ଷ ଦଳ ଓ ପରିବେଶ ସଂପର୍କରେ ତଥ୍ୟ ରଖିଥାଏ। ସେହିଅନୁସାରେ ନିଜର ଯୋଜନା ପ୍ରସ୍ତୁତ କରେ ଏବଂ ମ୍ୟାଚ୍‌ରେ ଶତପ୍ରତିଶତ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥାଏ ବୋଲି ବାବର କହିଛନ୍ତି।

ଶ୍ରୀଲଙ୍କା ବିଶ୍ବକପ୍‌ ଦଳରେ ହସରଙ୍ଗା, ଚାମିରା ନାହାନ୍ତି

କଲମ୍ବୋ: ଆସନ୍ତା ଦିନିକିଆ ବିଶ୍ବକପ୍‌ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରିଛି। ଦସୁନ ଶଣକା ପୁଣି ଥରେ ଦେଶର ନେତୃତ୍ବ ନେଉଥିଲା ବେଳେ ଆଗଧାଡ଼ିର ସ୍ପିନର ମହେଶ ତୀକ୍ଷଣା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହ‌ତ ଯୋଗୁଁ ଏସିଆ କପ୍‌‌ ଫାଇନାଲ୍‌ରେ ତୀକ୍ଷଣା ଖେଳିପାରିନଥିଲେ। କିନ୍ତୁ ଦଳର ମେଡିକାଲ୍‌ ଟିମ୍‌ ତାଙ୍କୁ ଫିଟ୍‌ ଘୋଷଣା କରିବା ପରେ ବିଶ୍ବକପ୍‌ ଦଳରେ ସେ ସ୍ଥାନ ପାଇପାରିଛନ୍ତି। ସେହିପରି ଆହତ ପାଇଁ ଏସିଆ କପ୍‌ ଖେଳିପାରିନଥିବା ଦିଲସାନ ମଧୁଶଙ୍କା ଓ ଲାହିରୁ କୁମାରା ମଧ୍ୟ ଜାତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦଳର ଅନ୍ୟତମ ପ୍ରମୁଖ ‌ସ୍ପିନର ୱାନିନ୍ଦୁ ହସରଙ୍ଗା ସୁସ୍ଥ ହୋଇପାରିନଥିବାରୁ ବିଶ୍ବକପ୍‌ ଦଳରେ ସ୍ଥାନ ପାଇନାହାନ୍ତି। ଯଦି ବିଶ୍ବକପ୍‌ ଚାଲିଥିବା ସମୟରେ ବି ସେ ସୁସ୍ଥ ହୋଇଯାଅନ୍ତି, ତାହେଲେ ଦଳ ସହିତ ସେ ଯୋଗ ଦେଇପାରିବେ। ସେହିପରି ଦୁଷ୍ମନ୍ତ ଚାମିରା ମଧ୍ୟ କାନ୍ଧରେ ଆଘାତ ଲାଗିଥିବାରୁ ବିଶ୍ବକପ୍‌ ଖେଳିପାରିବେନି। ଆସନ୍ତା ୨୯ ତାରିଖରେ ବାଂଲାଦେଶ ବିପକ୍ଷରୁ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିବା ପରେ ଭାରତରେ ଶ୍ରୀଲଙ୍କା ବିଶ୍ବକପ୍‌ ପ୍ରସ୍ତୁତି ଆରମ୍ଭ କରିବ।

ଶ୍ରୀଲଙ୍କା ଦଳ: ଦସୁନ ଶଣକା (ଅଧିନାୟକ), କୁସାଲ ମେଣ୍ଡିସ୍‌ (ଉପଅଧିନାୟକ), କୁସାଲ ପେରେରା, ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, ସଦୀରା ସମରବିକ୍ରମା, ଚାରିଥ ଅସଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଦୁଶନ ହେମନ୍ତ, ମହେଶ ତୀକ୍ଷଣା, ଦୁନିଥ ୱେଲା‌ଲଗେ, କସୁନ ରଜିଥା, ମଥୀସା ପଥିରଣା, ଲାହିରୁ କୁମାରା, ଦିଲସାନ ମଧୁଶଙ୍କା।




Related Articles

Leave a Reply

Your email address will not be published. Required fields are marked *

Back to top button