ଶ୍ୟାମପୁରରେ ବିଡିଏ ଜମି ଜବରଦଖଲ ପ୍ରସଙ୍ଗ: ୧୬ ଘର ଥିଲା, ଏବେ ୩୦୬

ଭୁବନେଶ୍ବର: ଶ୍ୟାମପୁର ମୌଜା ପ୍ଲଟ୍ ନଂ. ୨୭୭ରେ ବିଡିଏକୁ ୬୮ ଏକର ଜମି ଯୋଗାଇ ଦିଆଯାଇଛି। ହେଲେ ବିଡିଏ କାମରେ ନଲଗାଇବାରୁ ତାହା ଜବରଦଖଲ ହୋଇଛି। ପ୍ରଥମେ ଜବରଦଖଲରେ ୧୬ ଘର ତିଆରି ହୋଇଥିଲା। ବିଡିଏ ପ୍ରଥମେ ଜବରଦଖଲକାରୀଙ୍କୁ ନୋଟିସ୍ ଦେଲା, ପରେ ଇଓଡବ୍ଲୁରେ ଏତଲା ଦେଇ ବସିଗଲା। ନୋଟିସ୍କୁ ଜବରଦଖଲକାରୀ ଖାତିର କଲେନି କି ଇଓଡବ୍ଲୁରେ ମାମଲା ମଧ୍ୟ ହେଲାନି।
ଏବେ ଜବରଦଖଲରେ ଘର ସଂଖ୍ୟା ୧୬ରୁ ବଢ଼ି ୩୦୬ରେ ପହଞ୍ଚିଲାଣି। ପ୍ରତ୍ୟେକ ଦିନ ବି ଏଠାରେ ନୂଆ ନୂଆ ଘର ତିଆରି ଚାଲିଛି। ଏଣେ ମାମଲା ସଂଖ୍ୟା ବି କୋର୍ଟରେ ବଢ଼ିବାକୁ ଲାଗିଥିବା ବେଳେ ଜବରଦଖଲକାରୀ କହିଲେଣି, ଆମକୁ ଉଚ୍ଛେଦ କରିବ ଯଦି ଆଗ ଥଇଥାନ କର। ଏବେ ଜବରଦଖଲକାରୀ ଏବେ ୩୦୬ ଅଛନ୍ତି, ଆଗକୁ ବଢ଼ି ବଢ଼ି ଏହା ହଜାରେରେ ପହଞ୍ଚିବ। ହଜାରେ ଜବରଦଖଲକାରୀଙ୍କୁ ବିଡିଏ କେମିତି ଥଇଥାନ କରିବ? ପୂର୍ବରୁ ବିଜେଡି ସରକାର ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନଥିବା କୁହାଯାଉଥିଲା। କିନ୍ତୁ ଏବେ ସରକାର ବଦଳିଥିବାରୁ କାର୍ଯ୍ୟାନୁଷ୍ଠାନ ହେବା ଆଶା କରାଯାଉଥିଲା। ହେଲେ ଉଚିତ ସମୟରେ ବିଡିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଏହି ଜବରଦଖଲ ଉଚ୍ଛେଦ ସମ୍ଭବ ହେବ ନାହିଁ। ଏକଥା ଜବରଦଖଲକାରୀ ଜାଣିବା ପରେ ଏଠାରେ ଘର ରାତି ଅଧିଆ ଛିଡ଼ା ହେଉଛି।
ଜବରଦଖଲକାରୀ କହିଲେଣି ଆମକୁ ଜମି ଦିଅ
କୋର୍ଟରେ ବଢ଼ିଲାଣି ମାମଲା
ଅନ୍ୟପଟେ ଏଠାରେ କିଛି ଦଲାଲ ଏହି ସରକାରୀ ଜମି ବିକ୍ରି କରୁଛନ୍ତି, ଯାହାଙ୍କ ନାମରେ ବିଡିଏ ଇଓଡବ୍ଲୁରେ ଅଭିଯୋଗ କରିଥିଲା। କିନ୍ତୁ ଇଓଡବ୍ଲୁରେ ବିଡିଏର ଅଭିଯୋଗ କାଟ ଖାଇବା ପରେ ଅଭିଯୁକ୍ତ ଦଲାଲମାନେ ଏଥର ଖୋଲାଖୋଲି ଭାବରେ ଜମି ବିକିବା ଆରମ୍ଭ କରିଛନ୍ତି। ଜମି ଦର ମଧ୍ୟ ବଢ଼ାଇ ଦେଇଛନ୍ତି। ଜମି ବିକିବା ପରେ ଘର ତିଆରି କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ତେବେ ବିଡିଏ ଟିପିସିଓଡିଏଲ୍କୁ ଚିଠି ଲେଖି ବାରଣ କରିଥିବାରୁ ଏହି ସବୁ ଘରକୁ ବିଜୁଳି ସଂଯୋଗ ଏ ଯାବତ୍ ମିଳିନାହିଁ। କିନ୍ତୁ ଘର କରି ରହିବା ପରେ ବାସିନ୍ଦାମାନେ ସଂଘ ତିଆରି କରି ବିଜୁଳି ଓ ପାଣି ସଂଯୋଗ ପାଇଁ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି। ବଡ଼କଥା ହେଉଛି, ସେମାନେ ଏହି ଘର ସବୁ ଆଉ ଉଚ୍ଛେଦ ହୋଇ ପାରିବ ନାହିଁ ବୋଲି ନିଶ୍ଚିତ ଅଛନ୍ତି। କିନ୍ତୁ ଯଦି ଉଚ୍ଛେଦ ହେବାକୁ ଯୋଜନା ହୁଏ ତେବେ ଆଗ ଥଇଥାନ କରିବାକୁ ଆମେ ଦାବି କରିବୁ ବୋଲି କହିଛନ୍ତି।
ଏପଟେ ବିଡିଏ ମଧ୍ୟ ଏକ ସୁଚିନ୍ତିତ ଯେଜାନା କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ, ଶ୍ୟାମପୁର ମୌଜା ଅନାବାଦି ଖାତା ହୋଲ୍ଡିଂ ନଂ. ୨୪୫ରେ ୬୮.୪୪୫ ଏକର ଜମି ୨୦୨୧ ମସିହାରୁ ଜିଏ ବିଭାଗ ବିଡିଏକୁ ହସ୍ତାନ୍ତର କରିଛି। ଏଠାରେ ‘ଆଫଡେବଲ୍ ହାଉସିଂ’ ଯୋଜନାରେ ବିଡିଏ ଗୃହ ନିର୍ମାଣ କରିଥାନ୍ତା। କିନ୍ତୁ ଏଠାରେ ଜବରଦଖଲ ଥିବାରୁ ଗୃହ ନିର୍ମାଣ ସମ୍ଭବ ହେଉନାହିଁ। ଯେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥାଏ ସେହି ଉଦ୍ଦେଶ୍ୟ ପୂରଣ ନ ହେଲେ ଜମି ମୂଳ ବିଭାଗକୁ ଫେରିଯାଏ। ସେହି ନ୍ୟାୟରେ ଏହା ଜିଏକୁ ଫେରିଯିବ। ଏଣୁ ବିଡିଏର ମୁଣ୍ଡବିନ୍ଧା ହେଉନାହିଁ। ସେଥିପାଇଁ ବିଡିଏ ଚିନ୍ତାମୁକ୍ତ ହୋଇ ବସିଛି। କେବଳ ଲୋକ ଦେଖାଣିଆ ଭାବରେ କେତେବେଳେ ଜବରଦଖଲକାରୀଙ୍କୁ ନୋଟିସ୍ ଓ କେତେବେଳେ ଇଓଡବ୍ଲୁରେ ମାମଲା ରୁଜୁ କରୁଛି। ଏବେ ସେଠାରେ ଜବରଦଖଲ ଉପରେ ନଜର ରଖିବା ପାଇଁ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଜଗାଇଛି। ହେଲେ ଦଲାଲ୍ଙ୍କ ଆଗରେ ଏମାନେ ପାଟି ଖୋଲି ପାରୁ ନାହାନ୍ତି।
ତେବେ କେବଳ ବିଡିଏ ନୁହେଁ, ଏହି ଜାଗାକୁ ଲାଗି ଜିଏ ବିଭାଗର ମଧ୍ୟ ଜମି ରହିଛି। ବିଡିଏ ଜମି ଜବରଦଖଲ ହେବା ପରେ ଏହି ଜମି କିଭଳି ଜବରଦଖଲ ନ ହେବ ସେ ନେଇ ଜିଏ ବିଭାଗ ୧୪୪ ଧାରା ଜାରି କରିଥିଲା। ସମ୍ପୃକ୍ତ ଜାଗାରେ ଅନଧିକାର ପ୍ରବେଶ ଦଣ୍ଡନୀୟ ବୋଲି ସୂଚନା ଫଳକ ଲଗାଇଥିଲା। କିନ୍ତୁ ୧୪୪ର ଅବଧି ଶେଷ ହେବା ପରେ ଏହି ଜମି ମଧ୍ୟ ଜବରଦଖଲ ହୋଇ ବିକ୍ରି ହେବା ଆରମ୍ଭ ହେଲାଣି। ଜିଏ ବିଭାଗ ଦେଖି ନଦେଖିବା ଭଳି ରହିଛି। ଏହି ସବୁ କିଣାବିକାରେ ଉଭୟ ସଂସ୍ଥାର ଅଧିକାରୀମାନଙ୍କର ହାତ ଥିବା ଅଭିଯୋଗ ହୋଇଛି।