ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା, ପଇସା ମାଗିଲେ ଥାନାରେ ଜଣାଅ

ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯିବା ଖବର ମିଳିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି । ସୁଭଦ୍ରା ଫର୍ମ ଓ ପଞ୍ଜିକରଣ ପାଇଁ ଯଦି କେହି ଅର୍ଥ ଦାବି କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ରାଜ୍ୟ ସରକାର ସତର୍କ କରାଇଛନ୍ତି ।
ଏହାସହିତ ଆବେଦନ ପ୍ରକ୍ରିୟା ପାଇଁ ଯଦି କେହି ଟଙ୍କା ମାଗୁଛନ୍ତି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ରାଜ୍ୟ ସରକାର ଆଜି ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ଆଜିସୁଦ୍ଧା ୧୫ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି ।
ରାଜ୍ୟ ସରକାର ମହିଳାଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନା ନିମନ୍ତେ ଏବେ ରାଜ୍ୟତମାମ ଆବେଦନ ପ୍ରକ୍ରିୟା ଜାରି ରହିଛି । ଗାଁ ଗହଳିରେ ଏହି ଯୋଜନାରେ ସାମିଲ ହେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ କେତେକ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଅନଲାଇନରେ ଫର୍ମ ଅପଲୋଡ୍ କରିବା ପାଇଁ ୫୦ରୁ ୨୦୦ଟଙ୍କା ଅର୍ଥ ଦାବି କରାଯିବା ନେଇ ସୂଚନା ସରକାରଙ୍କୁ ମିଳିଛି । ଯାହାକୁ ନେଇ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି । ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସତର୍କ କରାଇ ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶସ୍ଥିତ ଜନସେବା କେନ୍ଦ୍ର ବିରୁଦ୍ଧରେ ଏଭଳି ଅଭିଯୋଗ ଆସିବା ପରେ ସେହି କେନ୍ଦ୍ରକୁ ସାମୟିକ ବନ୍ଦ କରିଦିଆଯାଇଛି । ସୁଭଦ୍ରା ହେଲପଲାଇନ ନମ୍ବରକୁ ଆସିଥିବା କଲ୍ ଆଧାରରେ କଟକ ଜିଲ୍ଲାର ଆଠଗଡ଼ଠାରେ ଥିବା ‘ମୋ ସେବା’ କେନ୍ଦ୍ର ବିରୁଦ୍ଧରେ କଟକ ମହାନଗର ନିଗମ ପକ୍ଷରୁ ଏତଲା ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।