ଦେଶ ବିଦେଶ

ମୁଁ ଜିତି ଯାଇଛି, ହାରିସଙ୍କ ସହ ଆଉ ବିତର୍କରେ ଭାଗ ନେବିନି – ଟ୍ରମ୍ପ

ମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତି ମଧ୍ୟରେ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ ଗତ ମଙ୍ଗଳବାର ଶେଷ ହୋଇଛି। ତେବେ ଏହାପରେ ଆଉ ଏକ ରାଉଣ୍ଡ ମହାବିତର୍କ ନିମନ୍ତେ କମଳା ହାରିସ ଇଚ୍ଛୁକ ଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ନିଜ ସୋଶାଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ନିଜ ସେ ହାରି ଯାଇଛନ୍ତି। ଏବେ ସ୍ଥିତି ସୁଧାରିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି।

ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଗତ ମଙ୍ଗଳବାର ଆରମ୍ଭ ହୋଇଥିଲା ମହାବିତର୍କ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ବାକ୍ ଯୁଦ୍ଧ । ଏଥିରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ପ୍ରସଙ୍ଗ ସ୍ଥାନ ପାଇଥିଲା। ବିତର୍କ ଆରମ୍ଭରେ ହାରିସ୍ ଓ ଟ୍ରମ୍ପ ପରସ୍ପରର ହାତ ମିଳାଇ ରାଷ୍ଟ୍ରପତି ବିତର୍କ ମଞ୍ଚରେ ହାତ ନ ମିଳାଇବାର ଆଠ ବର୍ଷର ଧାରାର ଅନ୍ତ ଘଟାଇଥିଲେ।

ଟ୍ରମ୍ପ କହିଛନ୍ତି ମତଦାନ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ମଙ୍ଗଳବାର ରାତିରେ ହୋଇଥିବା ଘମାଘୋଟ ବିତର୍କରେ ମୁଁ ଜିତି ଯାଇଛି। ପ୍ରଥମ ଥର ଜୁନ୍ରେ ରାଷ୍ଟ୍ରପତିଙ୍କ ବିପକ୍ଷରେ ପ୍ରଥମ ବିତର୍କ ହୋଇଥିଲା । ଏହାପରେ ମଙ୍ଗଳବାର କମଳା ହାରିସଙ୍କ ସହ ଦ୍ୱିତୀୟ ଥର ବିତର୍କରେ ବି ମୋର ସ୍ପଷ୍ଟ ବିଜୟ ହୋଇଛି। ତେଣୁ ଏବେ ତୃତୀୟ ବିତର୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।

ବିତର୍କରେ ନିଜେ ଜିତିଥିବା ଟ୍ରମ୍ପ ଦାବି କରୁଥିବା ବେଳେ ଆମେରିକାର ମିଡିଆ ସର୍ଭେ କିନ୍ତୁ କିଛି ଅଲଗା ତଥ୍ୟ ଦେଉଛି। CNN ସର୍ଭେ ଅନୁଯାୟୀ, ୬୩% ଦର୍ଶକଙ୍କ କହିବାନୁଯାୟୀ, ହାରିସ ଜିତିଛନ୍ତି । କିନ୍ତୁ ୩୭% ଟ୍ରମ୍ପଙ୍କ ସପକ୍ଷରେ ମତ ଦେଇଛନ୍ତି। YouGov ପକ୍ଷରୁ ହୋଇଥିବା ସର୍ଭେରେ ୪୩% ଲୋକ ହାରିସ ଟ୍ରମ୍ପଙ୍କଠୁ ଭଲ ପ୍ରଦର୍ଶନ କରିଥିବା କହିଥିଲେ। ୨୮% ଟ୍ରମ୍ପଙ୍କୁ ସମର୍ଥନ କରିଥିବା ବେଳେ ୩୦% ମଝି ରାସ୍ତା ବାଛିଥିଲେ।

ଗତ ମଙ୍ଗଳବାର ହୋଇଥିବା ମହାବିତର୍କ ପରେ ହାରିସ କହିଥିଲେ, ଏଥିରୁ ତାଙ୍କୁ ଭଲ ଫାଇଦା ମିଳିଛି। କାରଣ ବିତର୍କର ୨୪ ଘଣ୍ଟା ମଧ୍ୟରେ ସେ ୪୭ ମିଲିୟନ ଆମେରିକୀୟ ଡଲାର ପାଣ୍ଠି ଯୋଗାଡ଼ କରି ପାରିଛନ୍ତି।

ଆସନ୍ତା ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ଏବେଠୁ ସମଗ୍ର ଆମେରିକାରେ ନିର୍ବାଚନୀ ମାହୋଲ ସରଗରମ ହୋଇ ଉଠିଛି। କମଳା ହାରିସ ଆମେରିକା ପାଇଁ ନିଜ ଯୋଜନା ସମ୍ପର୍କରେ ବଖାଣୁଥିବା ବେଳେ ମଧ୍ୟବିତ ଶ୍ରେଣୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ, ଗର୍ଭପାତ ପରି ନିୟମରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଟ୍ରମ୍ପ କହିଛନ୍ତି, ହାରିସଙ୍କର ନିଜସ୍ୱ କିଛି ଯୋଜନା ନାହିଁ। ସେ କେବଳ ବାଇଡେନଙ୍କୁ ନକଲ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button