ଦିଲ୍ଲୀ: କରୋଲ ବାଗରେ ଭୁଶୁଡ଼ିଲା ବିଲ୍ଡିଂ, ୧୨ ଉଦ୍ଧାର; ଏବେ ବି ଫସି ରହିଛନ୍ତି ଅନେକ

ଦିଲ୍ଲୀର କରୋଲ ବାଗ ଅଞ୍ଚଳରେ ଏକ ବିଲ୍ଡିଂ ଭୁଶୁଡ଼ି ବଡ଼ ଦୁର୍ଘଟଣା ଘଟିଛି । ବିଲ୍ଡିଂର କିଛି ଭାଗ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଅଗ୍ନିଶମ ଟିମ୍ ପହଞ୍ଚିଛି । ଖୋଜାଖୋଜି ଏବଂ ଉଦ୍ଧାର ଅଭିଯାନରେ ସହାୟତା ପାଇଁ ଦିଲ୍ଲୀ ଅଗ୍ନିଶମ ବିଭାଗ ୫ଟି ଗାଡ଼ିକୁ ଘଟଣାସ୍ଥଳକୁ ପଠାଇଛି ।
ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳ ପ୍ରାୟ ୯ଟାରେ କରୋଲ ବାଗର ବପାନଗର ଅଞ୍ଚଳରେ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା । ସକାଳ ୯ଟା ୧୧ରେ ଅଗ୍ନିଶମ ବିଭାଗକୁ ଏ ନେଇ ସୂଚନା ମିଳିଥିଲା । ପାଖାପାଖି ୨୫ ବର୍ଗ ଗଜ ଏରିଆରେ ନିର୍ମିତ ଏହି ଦୁଇ ତାଲା ବିଲ୍ଡିଂ ବହୁ ପୁରୁଣା ଥିଲା । ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଲୋକ ସେଠାରେ ଫସି ରହିଛନ୍ତି ।
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ କହିଛନ୍ତି, କରୋଲ ବାଗ ଅଞ୍ଚଳରେ ବିଲ୍ଡିଂ ଭୁଶୁଡ଼ିବା ଘଟଣା ବହୁତ ଦୁଃଖଦାୟକ । ସେଠାରେ ରହୁଥିବା ଲୋକ ଏବଂ ପୀଡ଼ିତମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଆହତମାନଙ୍କର ଚିକିତ୍ସା କରାଇ ଦୁର୍ଘଟଣାର କାରଣ ଖୋଜିବାକୁ କୁହାଯାଇଛି । ଏହାସହିତ ନିର୍ମାଣ ସହ ଜଡ଼ିତ କୌଣସି ଦୁର୍ଘଟଣାର ଆଶଙ୍କା ଥିଲେ ତୁରନ୍ତ ପ୍ରଶାସନ ଏବଂ ନଗର ନିଗମକୁ ଜଣାଇବାକୁ ସମସ୍ତ ଦିଲ୍ଲୀବାସୀଙ୍କୁ ଅପିଲ୍ କରିଛନ୍ତି ଆତିଶୀ ।
ଗତ ମାସରେ ମଧ୍ୟ ଏହିପରି ଏକ ଦୁର୍ଘଟଣା ଘଟିଥିଲା । ଦିଲ୍ଲୀର ମଡେଲ ଟାଉନ୍ରେ ପ୍ରବଳ ବର୍ଷା ସମୟରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । ପୁନଃନିର୍ମାଣ ପାଇଁ ଧ୍ୱସ୍ତ କରାଯାଉଥିବା ବେଳେ ଜର୍ଜରିତ ଅବସ୍ଥାରେ ଥିବା ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା ।



