ଓଡିଶା

ଗଣେଶ ମେଢ଼ ଆଗରେ ୨ ଗୋଷ୍ଠୀ ମୁହାଁମୁହିଁ: ଘରୁ ଘୋଷାରିନେଇ ପିଟିଲେ

ଟଣୀ: ଆଗପଛ ହୋଇ ଗଣେଶଙ୍କ ୩ ମେଢ଼ ଶୋଭାଯାତ୍ରାରେ ଚାଲିଥିଲା। ବାଜା, ବାଣ, ରୋଶଣିରେ ଗାଁ ଦାଣ୍ଡ ଦୁଲୁକୁଥିଲା। ମେଢ଼ ଆଗରେ ଯୁବକମାନଙ୍କ ଉଦଣ୍ଡ ନୃତ୍ୟ ଚାଲିଥିଲା। ହଠାତ୍ ବଦଳିଗଲା ଦୃଶ୍ୟପଟ୍ଟ। କେହି କିଛି ବୁଝିବା ପୂର୍ବରୁ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଗଲେ। ଚାଲିଲା ପାଟିତୁଣ୍ଡ ଓ ଗଣ୍ଡଗୋଳ। ଗାଁ ଦାଣ୍ଡ ପାଲଟିଗଲା ରଣକ୍ଷେତ୍ର।

ଠେଲାପେଲାରୁ ହାତାହାତି ଯାଏ କଥା ଗଲା। କିନ୍ତୁ ବଡ଼ଧରଣର ଗଣ୍ଡଗୋଳ ହେବା ପୂର୍ବରୁ ଗାଁ ମୁରବିମାନେ ଓ ପୁଲିସ ହସ୍ତକ୍ଷେପ କରିବାରୁ ଗଣ୍ଡଗୋଳ ଥମିଗଲା। କିନ୍ତୁ ରାତିଅଧରେ ପୁଣି ଥରେ ଆରମ୍ଭ ହେଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ଅପରପକ୍ଷର ଜଣଙ୍କୁ ଘରୁ ଘୋଷାରି ଆଣି ପିଟିଲେ ଏବଂ ତାଙ୍କ ବାଇକ୍କୁ ଜାଳିଦେଲେ। ଶେଷରେ ଗାଁରେ ପୁଲିସ ଛାଉଣି ପଡ଼ିବା ଯାଏ କଥା ଗଲା। ଗତକାଲି ରାତିରେ ଏମିତି ଥିଲା ଜଟଣୀ ଥାନା କନ୍ତିଆ ଗାଁର ଚିତ୍ର। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖିଛି ଏବଂ ଅନ୍ୟମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି। ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।

ଗତକାଲି ସନ୍ଧ୍ୟାରେ କନ୍ତିଆ ଗାଁରେ ଗଣେଶ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ୩ପୂଜା କମିଟି ପକ୍ଷରୁ ମେଢ଼ ଶୋଭାଯାତ୍ରାରେ ବାହାରିଥିଲା। ହଠାତ୍ ଗାଁ ମଝିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଗଲା। ଗୋଟିଏ ଗୋଷ୍ଠୀର ଅଧିକ ସାଉଣ୍ଡ୍ ବିଶିଷ୍ଟ ବାଜାକୁ ଅପରଗୋଷ୍ଠୀ ବିରୋଧ କରିବାରୁ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। କିନ୍ତୁ ଜଟଣୀ ଥାନା ପୁଲିସ ଓ ଗାଁ ମୁରବିମାନଙ୍କ ଯୋଗୁ ଗଣ୍ଡଗୋଳ ବଢ଼ିପାରିଲା ନାହିଁ। ସେମାନେ ଉଭୟ ଗୋଷ୍ଠୀର ସଦସ୍ୟମାନଙ୍କୁ ବୁଝାସୁଝା କରି ବିଦା କରିଥିଲେ। ପୁଲିସ ଦୁଇଟି ସାଉଣ୍ଡ୍ ବକ୍ସ ଗାଡ଼ିକୁ ଜବତ କରିନେଇଥିଲା। ଗଣ୍ଡଗୋଳ ସିନା ଥମିଗଲା, ଛକାପଞ୍ଝା ଲାଗି ରହିଥିଲା। ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ଆସି ପ୍ରଶାନ୍ତ ପାଇକରାୟଙ୍କ ଘର ସାମ୍ନାରେ ଗାଳିମନ୍ଦ କରିଥିଲେ। ପ୍ରଶାନ୍ତ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଘରୁ ଘୋଷାରି ନେଇ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ପ୍ରଶାନ୍ତଙ୍କ ବାଇକ୍ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ପ୍ରଶାନ୍ତଙ୍କ ଅଭିଯୋଗ ଅନୁସାରେ ସେମାନେ ତାଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ। ପ୍ରଶାନ୍ତଙ୍କ ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ। ଖବର ପାଇ ଜଟଣୀ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ପ୍ରଶାନ୍ତଙ୍କଠାରୁ ସୂଚନା ପାଇ ପୁଲିସ ୨ଜଣଙ୍କୁ ଉଠାଇ ନେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button