ଓଡିଶା

ବିଦାୟନେଲେ ବିଘ୍ନବିନାଶକ: ଡମ୍‌ଡମ୍‌ ବାଜିଲା ମହାକାଳ ଡମ୍ବରୁ

ଟଣୀ: ପବିତ୍ର ଭାଦ୍ରବ ପୂର୍ଣ୍ଣିମାରେ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ସମାହିତ ହୋଇଯାଇଛି। ଭାରତର ବିଭିନ୍ନ ପାରମ୍ପରିକ ନୃତ୍ୟର ସମାରୋହରେ ବିଘ୍ନବିନାଶକଙ୍କୁ ବିଦାୟ ଦିଆଯାଇଛି। ମଧ୍ୟପ୍ରଦେଶ ଉଜ୍ଜୟନୀର ପ୍ରସିଦ୍ଧ ମହାକାଳ ଡମ୍ବରୁ ନୃତ୍ୟ ସାଙ୍ଗକୁ ରାଜସ୍ଥାନର ଫେୟାର୍, ପଶ୍ଚିମବଙ୍ଗର ମାୟାପୁରୀ ନୃତ୍ୟ ଓ ଦିଲ୍ଲୀର ମହାକାଳୀ ନୃତ୍ୟ ଭସାଣି ଶୋଭାଯାତ୍ରାକୁ ବେଶ୍ ଚିତ୍ତାକର୍ଷକ କରିଥିଲା।

ଏହାସାଙ୍ଗକୁ ଘୋଡ଼ା ନାଚ, ଷଣ୍ଢ ନାଚ, ବୁଢ଼ାବୁଢ଼ୀ ନାଚ ଓ ସମ୍ବଲପୁରୀ ବାଜା ଶୋଭାଯାତ୍ରାକୁ ବେଶ୍ କୋଳାହଳମୟ କରିଥିଲା। ସେହିଭଳି ପଞ୍ଜାବୀ ବିଟ୍ସ ଓ ସିଂହ ବାଜା ମଧ୍ୟ ଜଟଣୀ ସହରର ରାଜରାସ୍ତାକୁ ଦୁଲୁକାଇଥିଲା। ଦିଲ୍ଲୀର ମହାକାଳୀ ନୃତ୍ୟ ଓ ଉଜ୍ଜୟନୀର ମହାକାଳ ଡମ୍ବରୁର ଡମ୍ଡମ୍ ଶବ୍ଦ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଜି ସନ୍ଧ୍ୟାରେ ସହରର ବହୁ ପୂଜା ମଣ୍ଡପରୁ ଗଜାନନଙ୍କୁ ଶୋଭାଯାତ୍ରାରେ ଆଣି ସୀତାରାମ ଛକରେ ଏକାଠି କରାଯାଇଥିଲା। ପ୍ରଥାନୁସାରେ ସେଠାରେ ହରିହର ଭେଟ ହୋଇଥିଲା। ସୀତାରାମ ଛକ, ନୀଳଚକ୍ର ମାର୍କେଟ, ଗୋପବନ୍ଧୁ ଛକ ପୂଜା ପେଣ୍ଡାଲ, ପୋଷ୍ଟ ଅଫିସ୍ ଛକ, ମହୁଲଗୁଡ଼ିଆ ଛକ, ରେଲ୍ୱେ ମାର୍କେଟ୍ ସଂଘ, ବିନାୟକ କ୍ଲବ୍, ବଡ଼ ବଜାର, ରାଜା ବଜାର, ମାଛ ଓ ପରିବା ମାର୍କେଟ, ମେଡିକାଲ୍ ଛକ ଆଦି ମଣ୍ଡପରୁ ୫୦ରୁ ଊର୍ଦ୍ଧ୍ୱ ଗଜାନନଙ୍କ ମେଢ଼ ସୀତାରାମ ଛକରେ ଏକତ୍ରିତ ହୋଇଥିଲେ। ସେଠାରେ ଭସାଣି ଉତ୍ସବ କମିଟିର ସଭାପତି ତଥା ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ ଗଣେଶଙ୍କୁ ଅବିର ଓ ଫୁଲମାଳ ଦେଇ ପ୍ରଥମେ ସ୍ବାଗତ କରିବା ସହ ପରେ ବିଦାୟ ଦେଇଥିଲେ।

ସେହିପରି ସୀତାରାମ ଛକ ଆନ୍ଧ୍ରବ୍ୟାଙ୍କ୍ ଗଳିଠାରେ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ପୂଜା ମଣ୍ଡପରେ ଗଜାନନଙ୍କୁ ଫୁଲମାଳ ଦେଇ ମେଲାଣି ଦେଇଥିଲେ। ସେହିଭଳି ପାଣ୍ଡବ ଜେନା ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ସନ୍ତୋଷ ଜେନା ମଧ୍ୟ ଗଜାନନଙ୍କୁ ଫୁଲମାଳ ଦେଇ ମେଲାଣି ଦେଇଥିଲେ। ଭସାଣିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୯ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଭସାଣି ବେଳେ ବିଦ୍ୟୁତ୍ ସେବା ଅଧିକାରୀ, ଅଗ୍ନିଶମ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୂର୍ତ୍ତି ବିସର୍ଜନ ଲାଗି ପୌରପାଳିକା ପକ୍ଷରୁ ସ୍ଥାନୀୟ ଷଣ୍ଢପୁର ମୌଜାରେ ୫ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button