ନିଜ ମାଟି ପାଇଁ ସମର୍ପିତ ପୁରୁଷ ବିଷ୍ଣୁ ସେଠୀ : ମୁଖ୍ୟମନ୍ତ୍ରୀ, ତିହିଡ଼ି କାଳୀ ପଡ଼ିଆରେ ବିଷ୍ଣୁ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ଭଦ୍ରକ ୧୯/୦୯/୨୦୨୪ : ଯାଉ ଏ ଜୀବନ, ଥାଉ ଏ ଜୀବନ ଯିବା, ଥିବା ସବୁ ମୋ ପାଇଁ ସମାନ । ଦିବଂଗତ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଜନ୍ମମାଟି ତିହିଡ଼ିର କାଳୀ ପଡ଼ିଆରେ ତାଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହି ସ୍ମୃତି ଚାରଣ ସଭାରେ ଯୋଗଦେଇ ସେ କିପରି ଜଣେ ବଳିଷ୍ଠ ସାରସ୍ବତ ସାଧକ ସହିତ ଦକ୍ଷ ରାଷ୍ଟ୍ରବାଦୀ ସମାଜସେବକ ଥିଲେ ପ୍ରକାଶ କରିଥିଲେ । ସେମାନେ ଦୁଇଜଣ ଯାକ ଦୁଇ ଦୁଇ ଥର ଏକ ସଙ୍ଗେ ବିଧାୟକ ଥିବା ସମୟରେ ସମୃଦ୍ଧ ଓଡ଼ିଶା ଗଠନର ପରିକଳ୍ପନା ନେଇ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଆଲୋଚନା, ପ୍ରସ୍ତାବନା, ପରାମର୍ଶ , ଯୋଜନା ଆଦି ସମ୍ବନ୍ଧରେ କହି ନିଜର ସ୍ମୃତିଚାରଣ କରିଥିଲେ । ଭଦ୍ରକ ମାଟିର ନିଆରା ଲୋକକଳା ମୋଗଲ ତାମସାକୁ ଲୋକଲୋଚନକୁ ଆଣିବା, ଭଦ୍ରକ ମାଟିର କାଳଜୟୀ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୃଷ୍ଟି ‘“ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଂଗୀତ ମାନ୍ୟତା ପାଇଁ ତାଙ୍କର ଦୀର୍ଘ ଦିନର ଦାବି ପୂରଣ ହେବା ଆଦି ଘଟଣାର ମଧ୍ୟ ସେ ଅବତାରଣା କରିଥିଲେ ।ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବି.ଜେ.ପି.ର ଓଡ଼ିଶା ପ୍ରଦେଶ ପ୍ରଭାରୀ ବିଜୟ ପାଲ ତୋମାର ସିଂ, ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗ ଦେଇ ଜନ ଜୀବନ ସହିତ ଆତ୍ମୀୟତା ଲିଭାଇବାରେ ବିଷ୍ଣୁ ସେଠୀ କିପରି ସଫଳ ପୁରୁଷ ଥିଲେ, ସେ ଏକାଧାରରେ କିପରି ଜଣେ କବି,ଗାୟକ,ସୁବକ୍ତା,ରାଜନୀତିଜ୍ଞ, ସଂଗଠକ, ସମାଜ ସେବୀ ଜନନାୟକ ଥିଲେ, ଆବର୍ତ୍ତମାନରେ ତାଙ୍କ ସ୍ମୃତି ଚାରଣ କରି ବିଷ୍ଣୁ ପଥରେ ପଥକ ହେବା ପାଇଁ ଆହ୍ବାନ ଦେଇଥିଲେ । ଅତିଥିମାନଙ୍କ ଗହଣରେ ବିଷ୍ଣୁ ସେଠୀଙ୍କ ଧର୍ମପତ୍ନୀ ଭର୍ମିଳା ପାଣିଗ୍ରାହୀ ଓ ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସଙ୍କ ଉପସ୍ଥିତିରେ ସ୍ବର୍ଗତ ସେଠୀଙ୍କ କୃତି ‘ନଈପାଣି ନଈ କି ଯାଆ’ ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଭଦ୍ରକ ମାଟିର କିଶୋରୀ ଚିତ୍ରଶିଳ୍ପୀ ପ୍ରତିଭା ସ୍ନେହା ଦାସ ମୂଖ୍ୟମନ୍ତ୍ରୀଙ୍କ ପ୍ରତିଛବିର ପଟ୍ଟଚିତ୍ର ମୂଖ୍ୟମନ୍ତ୍ରୀଙ୍କୁ ଉପହାର ସୂରୂପ ପ୍ରଦାନ କରିଥିଲେ ।ସେହିପରି ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ବାରା ସଂକଳିତ ‘କବିତାରେ କବିତାରେ କବି ବିଷ୍ଣୁ ସେଠୀ’ ପୁସ୍ତକର ଲୋକାର୍ପଣ କରାଯାଇଥିଲା ।ଉଦଘୋଷକ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ । ଦିବଂଗତ ବିଷ୍ଣୁ ସେଠୀଙ୍କ ସୁଯୋଗ୍ୟ ସନ୍ତାନ ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା, ଯୁବ ସେବା ଓ କ୍ରିଡା ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ଆୟୋଜନ ଓ ପରିଚାଳନା କରାଯାଇଥିଲା ଓ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ ।ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଜନ ପ୍ରତିନିଧି ବହୁ ସଂଖ୍ୟାରେ ସାହିତ୍ୟିକ, ସମ୍ବାଦିକ, ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭଦ୍ରକରୁ ସ୍ବତନ୍ତ୍ର ପ୍ରତିନିଧି ଅମୂଲ୍ୟ କୁମାର ମାଝୀଙ୍କ ରିପୋର୍ଟ,ଉତ୍କଳ ମେଲ ଟିଭି.