ଦେଶ ବିଦେଶ

ଇରାନ୍‌ ସାଂସଦଙ୍କ ଦାବି- ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପଛରେ ପେଜର ବ୍ଲାଷ୍ଟ!

ଲେବାନନ ଓ ସିରିଆରେ ହୋଇଥିବା ସିରିଜ ପେଜର ବିସ୍ଫୋରଣ ଘଟଣା ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଏହି ବିସ୍ଫୋରଣରେ କିଏ ନିଜ ଗୋଡ଼ ହରାଇଛି ତ ଆଉ କିଏ ହାତ। ଆଉ କେତେଜଣ ଅକାଳରେ ନିଜ ପ୍ରାଣ ହରାଇଛନ୍ତି। ଏଯାବତ ପେଜର ବିସ୍ଫୋରଣରେ ୩୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ପ୍ରାୟ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଗତ ଜୁନ୍ ମାସରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ତତ୍କାଳୀନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପଛରେ ବି ପେଜର ବିସ୍ଫୋରଣ ଲିଙ୍କ ଥିବା କଥା ଉଠିଛି। ଇରାନର ସାଂସଦ ଅହମଦ ବଖସିସ ଅର୍ଦସ୍ତାନୀ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ ।

ଇରାନ ସାଂସଦ ଅର୍ଦସ୍ତାନୀ ଦେଇଥିବା ସୂଚନା ଅନୁଯାୟୀ, ହିଜବୁଲ୍ଲାକୁ ଟାର୍ଗେଟ କରିବାକୁ ପେଜରର ବ୍ୟବହାର କରାଯାଉଥିବା ବେଳେ ଇରାନର ତତ୍କାଳୀନ ରାଷ୍ଟ୍ରପତି ରଇସ ବି ତାହାକୁ ବ୍ୟବହାର କରୁଥିଲେ। ଗତ ଜୁନ୍ରେ ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିଲା। ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଏହା ପଛରେ ପେଜର ବିସ୍ଫୋରଣ ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

କିଛି ଦିନ ପୂର୍ବେ ରଇସଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ନିକଟରେ ଏକ ପେଜର ଥିବା ଦେଖା ଯାଇଥିଲା। ତେଣୁ ତାଙ୍କ ହେଲିକପ୍ଟର କ୍ରାଶ୍ ପଛରେ ପେଜର ବିସ୍ଫୋରଣ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେଣୁ ଦେଶର ଗୁଇନ୍ଦା ସଂସ୍ଥା ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଲେବାନନରେ ହୋଇଥିବା ସିରିଏଲ୍ ପେଜର୍ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି। ଲେବାନନ ଦାବି କରିଛି ଯେ, ହିଜବୁଲ୍ଲା ଆତଙ୍କବାଦୀମାନେ ଏହି ପେଜରକୁ କିଣିବା ସମୟରେ ହିଁ ଏଥିରେ ମୋସାଦ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା। ପ୍ରତିଟି ପେଜର୍ରେ ତିନି ଗ୍ରାମ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା।

ଇସ୍ରାଏଲୀ ଶତ୍ରୁ ତଥା ମୋସାଦର ନଜରରୁ ବର୍ତ୍ତିବା ପାଇଁ ହିଜବୁଲ୍ଲା ତା’ର ଯୁବକମାନଙ୍କ ପାଇଁ ୫ ହଜାର ପେଜର୍ କିଣିଥିଲା। ତାଇୱାନର ଗୋଲ୍ଡ ଆପୋଲୋ ଅନୁଯାୟୀ, ଏହାକୁ ହିଜବୁଲ୍ଲାର ନିର୍ଦ୍ଦେଶରେ BAC କମ୍ପାନୀ ପ୍ରସ୍ତୁତ କରିଥିଲା।

ହିଜବୁଲ୍ଲା ପୂର୍ବରୁ ଭୟ କରୁଥିଲେ ଯେ ଯଦି ସେମାନଙ୍କ ଯୁବକମାନେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ତେବେ ମୋସାଦ ସେମାନଙ୍କୁ ହ୍ୟାକ୍ କରି ହତ୍ୟା କରିବ। ସେଥିପାଇଁ ସମସ୍ତଙ୍କ ପାଇଁ ପେଜର୍ ଅର୍ଡର କରାଯାଇଥିଲା। କିନ୍ତୁ ଏଥିରେ ବି ଏବେ ବିସ୍ଫୋରଣ ହୋଇଛି। ଏହି କାରଣରୁ ହିଜବୁଲ୍ଲା ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି।

ଏହି ପେଜର ବିସ୍ଫୋରଣରେ ଇରାନର ରାଷ୍ଟ୍ରଦୂତ ମୋଜତବା ଆମାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଅନ୍ୟ ଏକ ଆଖିରେ ବି ଗୁରୁତର ଆଘାତ ଲାଗିଛି। ତାଙ୍କୁ ତେହରାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button