ଓଡିଶା

‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ ପାଇଁ ମାର୍ଗଦର୍ଶିକା, ୱେବ୍‌ ପୋର୍ଟାଲରେ ହେବ ମତ ସଂଗ୍ରହ

ଭୁବନେଶ୍ୱର,୨୪/୦୯: ୨୦୪୭ ମସିହା ହେଉଛି ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି । ୨୦୩୬ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି । ‘ବିକଶିତ ଭାରତ ୨୦୪୭’ ଓ ‘ବିକଶିତ ଓଡ଼ିଶା ୨୦୩୬’ ଗଠନ ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ପ୍ରସ୍ତୁତି କରାଯିବ । ଏଥିପାଇଁ ଗଠିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିଭିନ୍ନ କ୍ଷେତ୍ରରେ ଥିବା ସୁବିଧା ସୁଯୋଗର ସୁବିନିଯାଗ ଓ ଆହ୍ୱାନର ମୁକାବିଲା ପାଇଁ ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମି, ସାମାଜିକ ଓ ମାନବ ସମ୍ବଳ ବିକାଶ, ସଂସ୍କୃତି ଓ ଐତିହ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ, ସୁଶାସନ ଏବଂ ଗ୍ରାମୀଣ ରୂପାନ୍ତରଣ ଭଳି କ୍ଷେତ୍ରକୁ ଫୋକସ୍ କରାଯିବ । ଏ କ୍ଷେତ୍ର ପାଇଁ ସଚିବସ୍ତରୀୟ ଗୋଷ୍ଠୀ ଗଠନ କରାଯାଇଛି ।

ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଥିଲେ, ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଆମ ପାଇଁ ଅନନ୍ୟ ସୁଯୋଗ ଆଣିଛି । ଏହି ମାର୍ଗଦର୍ଶିକା କିପରି ସୁବ୍ୟବସ୍ଥିତ ଭାବରେ ବାସ୍ତବ ଦସ୍ତାବିଜ ହେବ ସେଥିପାଇଁ ସଂପୃକ୍ତ ସମସ୍ତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସେ ସହଯୋଗ କାମନା କରିଛନ୍ତି ।

ଉନ୍ନୟନ କମିଶନର ଅନୁ ଗର୍ଗ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ଏହାସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ସଂପର୍କରେ ସୂଚନା ଦେଇଥିଲେ । ଦେଶ ବିଦେଶରେ ଅବଲମ୍ବନ କରାଯାଉଥିବା ବିଭିନ୍ନ କ୍ଷେତ୍ରରେ ଉତ୍ତମ ଅଭ୍ୟାସକୁ ଅନୁସରଣ କରାଯିବା ସଂପର୍କରେ ମତ ରଖିଥିଲେ । ଗଠିତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ଏବଂ ପରିଚାଳନା କମିଟି ବିଶିଷ୍ଟ ନାଗରିକ, ନାଗରିକ ସମାଜ ସଂଗଠନ, ନୀତି ନିର୍ଦ୍ଧାରକ , ଶିକ୍ଷାବିତ୍, ବୁଦ୍ଧିଜୀବୀ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ଖୁବ୍ଶୀଘ୍ର ଏକ ୱେବ ପୋର୍ଟାଲ ଆରମ୍ଭ କରିବାକୁ ନିଷ୍ପତ୍ତ୍ି ହୋଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button