ଧର୍ମ

ଇତିହାସ ପୃଷ୍ଠାରେ ଶ୍ରୀକ୍ଷେତ୍ର ପୁରୀର ପ୍ରସିଦ୍ଧ ନରେନ୍ଦ୍ର ସରୋବର

ନରେନ୍ଦ୍ର ପୁଷ୍କରିଣୀ ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ । ନରେନ୍ଦ୍ର ପୋଖରୀ ଓଡ଼ିଶାର ସମସ୍ତ ଜଳାଶୟ ମଧ୍ୟରେ ବଡ଼ ଏବଂ ପୁରୀ ସହରର ଅନ୍ୟତମ ଆକର୍ଷଣ । ଏହି ଜଳାଶୟଟି ୧୫ଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ବୋଲି ଗବେଶକମାନେ ମତ ଦିଅନ୍ତି । ଏହି ପୁଷ୍କରିଣୀ ପ୍ରମୁଖତଃ ଚନ୍ଦନ ସରୋବର ନାମରେ ଖ୍ୟାତ ।

ଏହି ପୁଷ୍କରିଣୀଟି ରାଜା କପିଳେନ୍ଦ୍ରଦେବଙ୍କ ପୁତ୍ର ନରେନ୍ଦ୍ର ଦେବଙ୍କଦ୍ୱାରା ନିର୍ମିତ ହୋଇଥିଲା । ନରେନ୍ଦ୍ରଦେବ ତାଙ୍କର ସମସ୍ତ ସମୟ ଏବଂ ଶକ୍ତିକୁ ଏହି ପୁଷ୍କରିଣୀର ଖନନ କାର୍ଯ୍ୟରେ ଓ ଏହାର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟରେ ବ୍ୟୟ କରିଥିଲେ । ଏହି ପୁଷ୍କରିଣୀର ଲମ୍ବ ୮୩୪ ଫୁଟ ଏବଂ ଏହାର ଓସାର ୮୭୩ ଫୁଟ ଏବଂ ଏହା ପ୍ରାୟ ୮ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଏ । ଗୋଧୋଇବା ପାଇଁ ଏହି ପୁଷ୍କରିଣୀରେ ୧୬ଗୋଟି ତୁଠ ବା ଘଟ ରହିଛି । ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶଯାତ୍ରା ମଧ୍ୟରୁ ଚନ୍ଦନଯାତ୍ରା ମୁଖ୍ୟ ଉତ୍ସବ ରୂପେ ଜନାଦୃତ ।

ନରେନ୍ଦ୍ର ପୁଷ୍କରିଣୀ ଜଗନ୍ନାଥ ମନ୍ଦିରଠାରୁ ୨କିଲୋମିଟର ଦୂରରେ ଅବସ୍ଥିତ । ଏହି ବଡ଼ ଜଳାଶୟଟି ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବିସ୍ତୃତ ହୋଇଥିବା ବଡ଼ଦାଣ୍ଡର ବାମ ପାଶ୍ୱରେ ବିଦ୍ୟମାନ କରିଛି । ବଡ଼ଦାଣ୍ଡ ଠାରୁ ଦାଣ୍ଡିମାଳ ସାହି ଦେଇ ଏକ ଉତ୍ତମ ମାର୍ଗ ନରେନ୍ଦ୍ର ପୁଷ୍କରିଣୀ ଯାଏ ଯାଇଛି । ଜଳାଶୟଟିର ଚାରିପାଖରେ ଘେରି ରହିଥିବା ମନୋଭରା ପ୍ରକୃତିକ ସୌନ୍ଦର୍ଯ୍ୟ ଏହାର ଶୋଭା ମଣ୍ଡନ କରୁଥାଏ । ନରେନ୍ଦ୍ର ପୁଷ୍କରିଣୀର ପୂର୍ବ ପାର୍ଶ୍ୱରେ ବଡ଼ଦାଣ୍ଡ, ପଶ୍ଚିମ ପାର୍ଶ୍ୱରେ ବିଶୋୟୀ ଠାକୁରାଣୀ ଙ୍କର ମନ୍ଦିର ଏବଂ ମାର୍କଣ୍ଡେଶ୍ୱର ସାହି ଅବସ୍ଥିତ, ଏହାର ଉତ୍ତର ପାର୍ଶ୍ୱ ଦେଇ ପୁରୀଠାରୁ ବ୍ରହ୍ମଗିରି ଯିବା ପାଇଁ ରାସ୍ତା ପଡ଼ିଛି ଓ ଜଟିଆ ବାବା ମଠ ମଧ୍ୟ ଉତ୍ତରରେ ଅବସ୍ଥିତ ଏବଂ ଦକ୍ଷିଣ ଭାଗରେ ଜଗନ୍ନାଥବଲ୍ଲଭ ମଠ ବିରାଜମାନ କରିଛି ।

ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ ମଣ୍ଡପ ଜଳାଶୟଟି ବିରାଟ ଏକ ଜାଗାରେ ଅବସ୍ଥିତ, ଯାହାର ମଧ୍ୟ ଭାଗରେ ଏକ ଦ୍ୱୀପ ସଦୃଶ ଜଳ ମଧ୍ୟରେ ଏକ ମନ୍ଦିର ଅବସ୍ଥିତ । ଜଳାଶୟରେ ମଧ୍ୟ ଚନ୍ଦନ ମଣ୍ଡପ ଭାବରେ ଏକ କ୍ଷୁଦ୍ର ମନ୍ଦିର ଅବସ୍ଥାନ କରିଛି । ଏହି ମନ୍ଦିରଟି ଜଳାଶୟର ଉତ୍ତର ପାର୍ଶ୍ୱକୁ ଏକ ବନ୍ଧ ଜରିଆରେ ସଂଯୋଗ କରୁଛି, ଯେଉଁଠିକୁ ମହାପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନ ପ୍ରତ୍ୟେକ ବର୍ଷ ଚନ୍ଦନ ଯାତ୍ରାରେ ଚାପ ଖେଳିବାକୁ ଆସନ୍ତି ।ଏହି ପବିତ୍ର ଜଳାଶୟଟି ଭଗବାନ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ପାଇଁ ଚନ୍ଦନ ସରୋବର ନାମରେ ଜଣାଯାଏ ।

ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ଦ୍ୱୀପ ସଦୃଶ ବିରାଜ- ମାନ କରିଥିବା କ୍ଷୁଦ୍ର ମନ୍ଦିରଟିଏ ରହିଛି।ଏହା ଦେବୀ ଗଙ୍ଗାଙ୍କୁ ସମର୍ପିତ।

ଶ୍ରୀମନ୍ଦିର ରେକର୍ଡ଼ ଘରର ଏକ ପ୍ରାଚୀନ ଦଲିଲରୁ ନରେନ୍ଦ୍ରର ପ୍ରାଚୀନ ଇତିବୃତ୍ତିରୁ ଜଣାଯାଏ ଯେ, କଖାରୁ ମଞ୍ଜିରୁ ନରେନ୍ଦ୍ର ପୁଷ୍କରିଣୀର ସୃଷ୍ଟି ବୋଲି । ନରେନ୍ଦ୍ରଦେବ ନାମରେ ରଣପୁରଗଡ଼ର ଜଣେ ରାଜା ଥିଲେ । ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମଭକ୍ତ ଥିଲେ । ଦିନେ ସେ ରଣପୁର ରାଜବାଟୀ ପ୍ରାଙ୍ଗଣରେ ବୁଲୁଥିବା ସମୟରେ ଗୋଟିଏ କଖାରୁ ମଞ୍ଜି ତାଙ୍କ ଦୃଷ୍ଟିଗୋଚର ହେଲା । ରାଜା ସେହି ମଞ୍ଜିକୁ କୌତୁକରେ ହାତରେ ଉଠାଇ ଧରିଥାନ୍ତି । ଏହି ସମୟରେ ତାଙ୍କର ଜଣେ ଅତିପ୍ରିୟ ବ୍ୟକ୍ତି ସର୍ବରାକାର ଛାମୁଁଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ରାଜା କୌତୁହଳ ଭାବରେ ସର୍ବରାକାରଙ୍କୁ କହିଲେ- ଆଜି ତୁମକୁ ଗୋଟିଏ ଭଲ ଜିନିଷଟିଏ ଦେବି । ଏହି କଖାରୁ ମଞ୍ଜିଟିକୁ ନିଅ । ଜଗନ୍ନାଥଙ୍କ ନାମରେ ପୋତିଦେବ । ଯାହା ଫଳିବ ତାହା ଠାକୁରଙ୍କୁ ଦେବ, ବିଶ୍ୱାସ ରଖ ସୁଫଳ ମିଳିବ । ସର୍ବରାକାର ଅତି ଆଦରରେ ସେହି ମଞ୍ଜିଟିକୁ ନିଜ କାନିରେ ବାନ୍ଧିଲେ ଓ ତାଙ୍କର ଅନ୍ୟାନ୍ୟ କଥୋପକଥନ ପରେ ନିଜ ଘରକୁ ଫେରିଲେ । ସେହି କଖାରୁ ମଞ୍ଜିଟି ଆଠ ଏକର ଜମି ଆକ୍ରାନ୍ତରେ ମାଡ଼ିଲା ଓ ଗଛର ପରମାୟୁ ପାଞ୍ଚ ବର୍ଷ ରହିଲା । ତହିଁରୁ କଖାରୁ ବିକ୍ରୀ ଧନ ଲକ୍ଷାଧିକ ହେଲା । ସର୍ବରାକାର ସେ ସମସ୍ତ ଟଙ୍କା ଧରି ଶ୍ରୀ ଜଗନ୍ନାଥଙ୍କୁ କିପରି ଦିଆଯିବ, ଏଥିଲାକି ରଣପୁର ରାଜାଙ୍କ ନିକଟକୁ ଗଲେ । ରାଜା ଆଶ୍ଚର୍ଯ୍ୟାନ୍ୱିତ ହୋଇ ଶ୍ରୀଜଗନ୍ନାଥ ଙ୍କୁ ସୁମରଣା କରି ଅର୍ଥ ଏବଂ ସର୍ବରାକାରଙ୍କ ସହିତ ପୁରୀ ଗଜପତିଙ୍କ ପାଖକୁ ଆସିଲେ । ସେହି କଖାରୁ ବିକା ଟଙ୍କାରେ ନରେନ୍ଦ୍ର ପୁଷ୍କରିଣୀ ଖୋଳା ହେଲା, ସେତିକି କ୍ଷେତ୍ରରେ କଖାରୁ ଗଛମାଡ଼ିଥିଲା ନରେନ୍ଦ୍ର ପୁଷ୍କରିଣୀ ଓ ତାହାର ଚତୁଃପାର୍ଶ୍ୱ ସୀମାର କ୍ଷେତ୍ରଫଳ ପ୍ରାୟ ସେତିକି । ପବିତ୍ର ନରେନ୍ଦ୍ର ପୁଷ୍କରିଣୀଟି ଶ୍ରୀମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଅଛି । ଶ୍ରୀକ୍ଷେତ୍ରର ଦେବଦେବି ଓ ପୁଷ୍କରିଣୀର ଇତିହାସ ସମ୍ପର୍କରେ ସର୍ବଶ୍ରୀ ସତ୍ୟନାରାୟଣ ରାଜଗୁରୁ , କେଦାରନାଥ ମାହାପାତ୍ର , ପ୍ରଫୁଲ୍ଲ ପଟନାୟକ, ସଦାଶିବ ରଥଶର୍ମା ପ୍ରମୁଖ ବହୁ ବିସ୍ତୃତ ବିବରଣୀ ସହିତ ଏହାର ବିବରଣୀ ବର୍ଣ୍ଣନା କରିଛନ୍ତି ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ତାଙ୍କର କନିଷ୍ଠ ପୁତ୍ର ନରେନ୍ଦ୍ର ଦେବ ନିଜର ମାତୃଭୂମି ପାଇଁ ପ୍ରାଣତ୍ୟାଗ କରିଥିଲେ । ନରେନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କାଳନ୍ଦୀ ମହାଦେବୀ ସର୍ବଶାନ୍ତି ପ୍ରାପ୍ତ କରିବା ପାଇଁ ଜଗନ୍ନାଥବଲ୍ଲଭ ଏବଂ ବଳଭଦ୍ରବଲ୍ଲଭ ବଗିଚା ମଧ୍ୟରେ ଏକ ବଗିଚାରେ ଅବସ୍ଥାନ କଲେ । ସେ ସେହି ସ୍ଥାନରେ ଭଗବାନ ଶଙ୍କର ଏବଂ କୃଷ୍ଣଙ୍କୁ ପୂଜା କରୁଥିଲେ । ବାବାଜୀ ଗୋବିନ୍ଦ ଦାସ ତାଙ୍କର ଗୁରୁ ଥିଲେ । ଏକଦା ଗୁରୁଦେବ ରାଣୀଙ୍କୁ ଏକ କଖାରୁ ମଞ୍ଜି ପ୍ରଦାନ କଲେ । ଏହା ପରେ ରାଣୀ ସେହି କଖାରୁ ମଞ୍ଜିଟକୁ ପୋତିଦେଲେ । ଏହି ମଞ୍ଜିରୁ ଉତ୍ପନ ଗଛଟି ବିରାଟ ଆକାରରେ ମାଡ଼ିଲା । ଶହ ଶହ କଖାରୁ ଏହି ଗଛରୁ ଆମଦାନୀ ହେଲା । ଏହି କଖାରୁଗୁଡ଼ିକ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିଲା । ସେହି ସମୟରେ ଏହି କଥା ଚାରିଆଡ଼େ ପ୍ରଚାର ହୋଇଗଲା । କାଳନ୍ଦୀ ଦେବୀଙ୍କର ଏହି କଖାରୁ ଗଛର ଗାଥା କପିଳେନ୍ଦ୍ରଦେବଙ୍କ କାନରେ ମଧ୍ୟ ପଡ଼ିଲା । କାଳନ୍ଦୀ ଦେବୀଙ୍କର ୧୪ତମ ପୁତ୍ର ଯିଏକି ଏକୁଟିଆ ରହୁଥିଲେ, ସେ ତାଙ୍କ ମାଆଙ୍କ ପାଖକୁ ଆସିଲେ । ଏକଦା କପିଳେନ୍ଦ୍ରଦେବ ତାଙ୍କ ଗୁରୁ ମହାଦେବ ବ୍ରହ୍ମପଦଙ୍କ ସହ ରାଣୀ କାଳନ୍ଦୀ ଦେବୀ ବାସ କରୁଥିବା ବଗିଚାକୁ ପରିଦର୍ଶନରେ ଆସିଲେ । ସେହି ସମୟରେ କାଳନ୍ଦୀ ଦେବୀଙ୍କ ଗୁରୁ ଗୋବିନ୍ଦ ଦାସ ମହୋଦୟ ଭଗବାନ ଗୋବିନ୍ଦଙ୍କ ପୂଜାର୍ଚ୍ଚନା କରୁଥିଲେ । ଗୁରୁ ଗୋବିନ୍ଦ ଦାସ ରାଣୀ ଭେଟିବାକୁ ଆସିଥିବା କପିଳେନ୍ଦ୍ରଦେବଙ୍କୁ ଆଶୀର୍ବାଦ କଲେ ଏବଂ କାଳନ୍ଦୀଦେବୀଙ୍କର ମୃତକ ପତି ବୀର ନରେନ୍ଦ୍ରଦେବଙ୍କ ସ୍ମୃତିରେ ସେହିଠାରେ ଏକ ଜଳାଶୟ ନିର୍ମାଣ କରିବାକୁ ଅନୁରୋଧ କଲେ । ଏବଂ କପିଳେନ୍ଦ୍ରଦେବ ମଧ୍ୟ ଏହି ପୁଷ୍କରିଣୀଟି ଖୋଳାଇଥିଲେ । ଗୋଧୋଇବା ପାଇଁ ଏଠାରେ ୧୬ଟି ତୁଠ ବା ଘ।ଟ ନିର୍ମାଣ କରିଥିଲେ । ମୁଖ୍ୟ ଘ।ଟ ଟି ବୀର ନରେନ୍ଦ୍ରଦେବ ଙ୍କ ନାମାନୁସାରେ ଏବଂ ଏହାର ପରବର୍ତ୍ତୀ ଘ।ଟ ସମୁହ ଯଥାକ୍ରମେ ରାଣୀ କଳନ୍ଦୀ ଦେବୀ ଏବଂ ୧୪ ଜଣ ପୁତ୍ରଙ୍କ ନାମାନୁସାରେ ନାମିତ ହୋଇଛି ।

ଐତିହାସିକ ମତାନୁସାରେ ଏହି ଜଳାଶୟଟି ୧୪ଶ-୧୫ଶ ଶତାବ୍ଦୀ ମଧ୍ୟରେ ଖନନ କରାଯାଇଥିଲା । ମାଦଳା ପାଞ୍ଜିରେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ବିଷୟରେ ବର୍ଣ୍ଣନା ରହିଛି । ମାଦଳା ପଞ୍ଜିକା ଅନୁସାରେ ଗଙ୍ଗରାଜା ବୀର ନରସିଂହ ଦେବଙ୍କ ମନ୍ତ୍ରୀ ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ଶୌଚ ପାଇଁ ଏହି ଜଳାଶୟଟିର ଖନନ କରିଥିଲେ । ଏହି ନରେନ୍ଦ୍ର ଶୌଚ ଶବ୍ଦରୁ ଜଣାଯାଏ ଯେ ଏହି ଜଳାଶୟଟି ନିତ୍ୟ ବ୍ୟବହାର ନିମିତ୍ତ ତିଆରି କରାଯାଇଥିଲା ।

ଏହି ସମସ୍ତ କିମ୍ବଦନ୍ତୀକୁ ଆଧାର କରି ଜଣାଯାଏ ଯେ ଏହି ଜଳାଶୟଟି ୧୫ଶହ ଶତାବ୍ଦଦୀରେ ଗଙ୍ଗବଂଶୀୟ ରାଜାମାନଙ୍କଦ୍ୱାରା ଖନନ କରାଯାଇଥିଲା ।

ନରେନ୍ଦ୍ର ପୁରଷ୍କରିଣୀରେ ମୁଖ୍ୟତଃ ଚନ୍ଦନ ଯାତ୍ରା ପାଳନ ବେଶ ଧୁମଧାମରେ ପାଳନ କରାଯାଏ । ଏହି ଯାତ୍ରାଟି ବୈଶାଖମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନଯାତ୍ରାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ ଏବଂ ସରସ୍ୱତୀ ସୁ-ସଜ୍ଜିତ ମଣିବିମାନରେ, ରାମ ଓ କୃଷ୍ଣ ସୁ-ସ-ସଜ୍ଜିତ ପାଲିଙ୍କିରେ ଏବଂ ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ୱର, ଶ୍ରୀମାର୍କଣ୍ଡେୟ, ଶ୍ରୀକପାଳମୋଚନ ଓ ଶ୍ରୀ ନୀଳକଣ୍ଠେଶ୍ୱର ବିଜେ ପ୍ରତିମା ସ୍ୱ-ସ୍ୱ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ନୌବିହାର ଉଦ୍ଦେଶ୍ୟରେ ଯାତ୍ରା କରନ୍ତି । ଏହି ଯାତ୍ରାରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ଗଭୀର ବିଶ୍ୱାସ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button